ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡି-ବିଜେପି ମୁହାଁମୁହିଁ ! ଜାଣନ୍ତୁ କଣ ରହିଛି ପୂରା ମାମଲା

27

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ଆଉ ଏହି କ୍ରମରେ ବିଜେପି ବିରୋଧରେ ଫେରାଦ ହୋଇଛି ବିଜେଡି । ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କ ଆଗରେ ବିଜେପୁର ଉପନିର୍ବାଚନରେ ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି ଦଳୀୟ ସାଂସଦ । ସାଂସଦ ଭର୍ତୃହରି ମହତାବ, ପିନାକି ମିଶ ଓ ରବୀନ୍ଦ୍ର ଜେନା ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗ କରିଛି ନିର୍ବାଚନ ପାଇଁ ଲୋକପ୍ରତିନିଧି ଆଇନର ଧାରା ୭୭ ଉପଧାରା-୧ ଉଲ୍ଲଘଂନର କରିଛି ବିଜେପି ।

bijepurଷ୍ଟାର କ୍ୟାମ୍ପେନର ତାଲିକା ମୁଖ୍ୟ ନିର୍ବାଚନ କମିଶନ ବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜ୍ଞପ୍ତି ପ୍ରକାଶର ୭ଦିନ ମଧ୍ୟରେ ଦାଖଲ କରିବାର ନିୟମ ରହିଛି । କିନ୍ତୁ ବିଜେପି ଏହାର ଉଲ୍ଲଙ୍ଘନ କରିଛି । ବିଜେପୁର ଉପନିର୍ବାଚନ ପାଇଁ ଗତ ଜାନୁୟାରୀ ୩୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିଜେପି ଗତକାଲି ଅର୍ଥାତ ଫେବୃୟାରୀ ୮ତାରିଖରେ ତାର ଷ୍ଟାର କ୍ୟାମ୍ପେନର ତାଲିକା ଜାରି କରିଛି । ଯାହାକି ନିର୍ବାଚନ ଆଇନର ଉଲ୍ଲଙ୍ଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏହାସହ ବିଜେପି ଜାରି କରିଥିବା ଷ୍ଟାର କ୍ୟାମ୍ପେନର ପ୍ରଚାର କଲେ ଏହାର ଖର୍ଚ୍ଚ ପ୍ରାର୍ଥୀଙ୍କ ହିସାବରେ ଯୋଡା ହେବାର ନିୟମ ରହିଛି ବୋଲି ବିଜେଡି ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛି ।

bijepurପୂର୍ବରୁ ଗତକାଲି ବିଜେପି ବିଜେଡିର ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ଅରୁଣ ତାଙ୍କ ଭାଷଣରେ ପୁରସ୍କାର ଦେବା କଥା କହି ଭୋଟରଙ୍କୁ ପ୍ରଲୋଭିତ କରୁଥିବା ନେଇ ଅଭିଯୋଗ କରିଥିଲା ପଦ୍ମଦଳ । ଏପରିକି ଆଜି ବିଜେପୁରରେ ମନ୍ତ୍ରୀଙ୍କ ସରକାରୀ ଗାଡି ନିର୍ବାଚନ ପ୍ରଚାର କରୁଥିବା ନେଇ ମଧ୍ୟ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଗରେ ଫେରାଦ ହୋଇଛି । ତେଣୁ ଏଭଳି ସ୍ଥିତିରେ କେହି କାହାକୁ ଛାଡିବାକୁ ନାରାଜ ।