ଆଗକୁ ବଢୁଛି ପାଣ୍ଠି ପଲିଟିକ୍ସ : ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚ୍ୟାଲେଂଜ, କହିଲେ ସାହସ ଅଛି ତ ତଦନ୍ତ ପାଇଁ ସୁଯୋଗ ଦିଅ

23

କନକ ବ୍ୟୁରୋ : ନିର୍ବାଚନୀ ଖର୍ଚ୍ଚ ଅନିୟମିତତାକୁ ନେଇ ବିଜେଡି-ବିଜେପିର ଲଢ଼େଇ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଚ୍ୟାଲେଂଜ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯଦି ସତ୍ ସାହାସ ଅଛି, ତେବେ ନିର୍ବାଚନ କମିଶନଙ୍କୁ ତଦନ୍ତ ପାଇଁ ସୁଯୋଗ ଦିଆଯାଉ । କମିଶନ ତଦନ୍ତ କରି ହାଇକୋର୍ଟକୁ ଜଣାଇବେ କିଏ ସତୀ । ପରିବର୍ତ୍ତନର ନାରା ଦେବା ସହ ନବୀନ ସରକାରକୁ ପାପର ଶାସନ ବୋଲି ଅଭିଯୋଗ କରିଛି ବିଜେପି । ନିର୍ବାଚନୀ ଖର୍ଚ୍ଚକୁ ନେଇ ବିଜେଡି-ବିଜେପିର ଟଣାଓଟରା ଭିତରେ ସାଂସଦ ପିନକୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିଜେପିର ଟାର୍ଗେଟରେ ବିଜେଡି ସୁପ୍ରିମୋ । ବିଜେଡିର ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ । ନିର୍ବାଚନୀ ଖର୍ଚ୍ଚ ଅନିୟମିତତାକୁ ନେଇ ତୁହାକୁ ତୁହା ପ୍ରେସମିଟ୍ ବସୁଛି, ଜଣେ ଆଉ ଜଣକୁ ପ୍ରଶ୍ନ କରୁଛି । ହେଲେ କିଏ କାହା ଉତ୍ତରରେ ସଂତୁଷ୍ଟ ନୁହେଁ । ଏହାରି ଭିତରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶ୍ନର ଉତରରେ ଜୁଏଲ୍ କହିଛନ୍ତି-ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ପାଣ୍ଠିରେ ଅନିୟମିତତା ଥିବା ପ୍ରାଥମିକ ତଦନ୍ତକୁ ଜଣାପଡିଛି । ବିଜେଡି ଯେଉଁ ମାମଲାରେ ଫଶିଛି, ଅନ୍ୟ ଆଡକୁ ଅଙ୍ଗୁଳି କରି ଖସିବାକୁ ଚେଷ୍ଟା କରୁଛି । ଜବାବରେ ବିଜେଡି କହିଛି-ନିଜ ତ୍ରୁଟିକୁ ଏଡାଇ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ନିଜ ସତ୍ୟାପାଠରେ ଦେଖାଇଥିବା ନିର୍ବାଚନୀ ଖର୍ଚ୍ଚରେ କୌଣସି ତାଳମେଳ ରହୁ ନାହିଁ ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲା । ସିଡୁଲ ସେଭେନରେ ନିଜ ଫଣ୍ଡ ବିଷୟରେ ଜୁଏଲ କିଛି ଦର୍ଶାଇନଥିବା ବେଳେ ସିଡୁଲ ନାଇନରେ କ୍ୟାସ୍ ଡିପୋଜିଟ୍ ନେଇ ଲେଖିଥିଲେ ମଧ୍ୟ, ଟଙ୍କାର ଉତ୍ସ ନେଇ କୌଣସି ତଥ୍ୟ ନଥିବା ବିଜେଡି ଦର୍ଶାଇଥିଲା ।

ଗୋଟିଏ ପଟେ ବିଜେଡିର ନିର୍ବାଚନୀ ଖର୍ଚ୍ଚ ନେଇ ହାଇକୋର୍ଟରେ ମାମଲା ଚାଲିଛି, ଅନ୍ୟ ପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ନିର୍ବାଚନୀ ଖର୍ଚ୍ଚ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବିଜେଡି । ଆଉ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରୋଚକ ହେବାରେ ଲାଗିଛି ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ରାଜନୀତି ।