ବଦଳୁଛି କି ବିଜେଡି-ବିଜୟ ସଂପର୍କ ! ‘ଜୟ’ଙ୍କ ହାତ ଛାଡିବା ପରେ ‘ବିଜୟ’ଙ୍କ ହାତ ଧରିବ କି ବିଜେଡି ?

36

କନକ ବ୍ୟୁରୋ : ବିଜେଡି ଓ ବିଜୟ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୮ ବର୍ଷ ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୟ ମହାପାତ୍ର ଗୋଟିଏ କାର୍ଯ୍ୟକ୍ରମରେ ଏକାଠି ହେବା ପରେ ଏହି କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଆଜି ବିଜୟ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜୁ ବାବୁ ସମସ୍ତଙ୍କ ଶ୍ରଦ୍ଧା ଓ ସମ୍ମାନର ବ୍ୟକ୍ତିିତ୍ୱ ହୋଇଥିବାରୁ ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କିନ୍ତୁ ଏଥିସହ ବିଜୟ ପୁଣିଥରେ କହିଛନ୍ତି ଦୁଇ ହଜାର ମସିହାରେ ତାଙ୍କର ଟିକେଟ୍ କାଟିବା ଘଟଣାକୁ ସେ ଭୁଲି ଯାଇଛନ୍ତି ।

bijay naveenବିଜୟ ମହାପାତ୍ର । ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରାକୁ ନେଇ ଏବେ ଚର୍ଚ୍ଚା । ପ୍ରାୟ ୧୮ ବର୍ଷ ପରେ ଶନିବାର ଦ ଟଲ ମ୍ୟାନ ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୟଙ୍କୁ ଗୋଟିଏ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ତେବେ ଏହି ଉଭୟଙ୍କୁ ଗୋଟିଏ କାର୍ଯ୍ୟକ୍ରମରେ ଦେଖିବା ପରେ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଣିଥରେ ପୁରୁଣା ଦଳ ତଥା ବିଜେଡିକୁ ଫେରିବେ କି ବିଜୟ ?

ଦୀର୍ଘ ୧୭ ବର୍ଷ ତଳେ ଅଥାର୍ତ ୨୦୦୦ ମସିହାରେ ଏକ ନାଟକୀୟ ଘଟଣାକ୍ରମେ ବିଜୟଙ୍କ ଟିକେଟ କାଟି ତାଙ୍କୁ ନିର୍ବାଚନ ଲଢିବାରୁ ବଞ୍ଚିତ କରିଥିଲେ ନବୀନ । ସେବେଠାରୁ ବିଧାନସଭା ଦ୍ୱାର ବିଜୟଙ୍କ ପାଇଁ ବନ୍ଦ ରହିଛି । ଏପରିକି ନିଜେ ବିଜେଡି ଗଠନରେ ପ୍ରମୂୁଖ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ବିଜେଡି ପକ୍ଷରୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ପାଇନାହାନ୍ତି ବିଜୟ । ସେବେଠାରୁ ବିଜେଡି ଓ ବିଜୟ ପରସ୍ପରକୁ ଶତ୍ରୁରୂପେ ଦେଖି ଆସିଛନ୍ତି । ଏପରିକି ଅନେକଥର ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

କିନ୍ତୁ ଏବେ ସ୍ଥିତି ପୂରା ଓଲଟା । ଦଳରୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିଲମ୍ବିତ କରିବା ପରେ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କେନ୍ଦ୍ରାପଡାରେ ବୈଜୟନ୍ତ ବିଜେଡି ପାଇଁ ଅଡୁଆ ସୃଷ୍ଟି କରି ପାରନ୍ତି । ତେଣୁ ଏହାକୁ ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ରାଜନୀତିରେ ଭାରସାମ୍ୟ ରକ୍ଷା ପାଇଁ ବିଜୟଙ୍କ କଥା ବିଜେଡି ଚିନ୍ତା କରୁଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଇଛି । କାରଣ କେନ୍ଦ୍ରାପଡା ରାଜନୀତିକୁ ନେଇ ବିଜୟଙ୍କ ଢେର ଦିନର ଅଭିଜ୍ଞତା ରହିଛି । ତେଣୁ ଏସବୁକୁ ଲକ୍ଷ୍ୟ କରି ଜୟଙ୍କ ହାତ ଛାଡିବା ପରେ ବିଜୟଙ୍କ ହାତ ଧରିବାକୁ ବିଜେଡି ଚିନ୍ତା କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ତେବେ ରବିବାର ବିଜୟଙ୍କୁ ଜଣେ ସାମ୍ବାଦିକ ବିଜେଡିରୁ ଅଫର ଆସିଲେ ସେ ଦଳରେ ଯୋଗଦେବେ କି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ହାଲକା ଢଙ୍ଗରେ ଉତ୍ତର ଦେଇ ବିଜୟ କହିଥିଲେ ସେ ଯୋଗସୁତ୍ର ରକ୍ଷା କଲେ ଭଲ ହେବ । ଏହାସହ ସେ ୨୦୦୦ ମସିହାର କଥା ସମ୍ପୂର୍ଣ୍ଣ ଭାବେ ଭୂଲି ସାରିଛନ୍ତି ବୋଲି ବିଜୟ କହିଛନ୍ତି ।