ମୁହଁ ଖୋଲିଲେ ବ୍ରହ୍ମପୁର ସାଂସଦ । ଟିକେଟ୍ ପାଇଁ ଆଶାୟୀ ନୁହନ୍ତି କହିଲେ ସିଦ୍ଧାନ୍ତ ମହାପାତ୍ର ।

1,775

କନକ ବ୍ୟୁରୋ: ମୁହଁ ଖୋଲିଲେ ବ୍ରହ୍ମପୁର ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର । ଆସନ୍ତା ନିର୍ବାଚନରେ ଟିକେଟ୍ ପାଇବା ନେଇ ସିଦ୍ଧାନ୍ତ କହିଛନ୍ତି ଯେ, ସୁପ୍ରିମୋ ମୋ ସହ କିଛି ଆଲୋଚନା କରିନାହାନ୍ତି କି ମୁଁ ଟିକେଟ୍ ପାଇଁ ଆଶାୟୀ ନାହିଁ । ଯଦି ଟିକେଟ ମିଳେ ଲଢ଼ିବି ନହେଲେ କହିବେ ଯଦି ଦଳ ପାଇଁ ପ୍ରଚାର କରିବି । ନବୀନ ନିବାସରୁ ଏପର୍ଯ୍ୟନ୍ତ ମୋତେ ଡାକରା ଆସିନାହିଁ ବୋଲି କହିଛନ୍ତି ସିଦ୍ଧାନ୍ତ ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ଯେତେ ପାଖାଉଛି ସେତେ ରାଜନୀତି ଉଷ୍ମ ହେବାରେ ଲାଗିଛି । ଯଦି ଦଳ ଟିକେଟ୍ ନଦିଏ ତେବେ ବିଜେପିରେ ସାମିଲ ହେବେ କି ? ପ୍ରଶ୍ନ ଉପରେ ପ୍ରତିକ୍ରିୟା ରଖି ସିଦ୍ଧାନ୍ତ କହିଛନ୍ତି ଯେ, ମୁଁ ବିଜେପିର ଯୋଗାଯୋଗରେ ନାହିଁ । ଏପରିକି ସମୟ କହିବ ଲଢ଼ିବି କି ନାହିଁ କହି ରାଜ୍ୟ ରାଜନୀତିକୁ ଦ୍ୱନ୍ଦରେ ପକାଇଛନ୍ତି ସିଦ୍ଧାନ୍ତ ।

ପୂର୍ବରୁ ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଦୁଇଥର ବିଜୟୀ ହୋଇ କଂଗ୍ରେସର ହେଭିୱେଟ୍ ଚନ୍ଦ୍ରଶେଖର ସାହୁଙ୍କୁ ପରାଜୟର ଦ୍ୱାର ଦେଖାଇଛନ୍ତି ସିଦ୍ଧାନ୍ତ । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କ˚ଗ୍ରେସ ଛାଡି ବିଜେଡିରେ ଯୋଗଦେବାପରେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ରାଜନୀତି ଗୋଳମାଳିଆ ହୋଇପଡ଼ିଛି । ଏପରିକି ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଆସିକା ଆସନ ଓ ଚନ୍ଦ୍ରଶେଖରଙ୍କୁ ବ୍ରହ୍ମପୁର ଆସନ ମିଳିପାରେ ବୋଲି ଚର୍ଚ୍ଚା ଜୋରିଥିବାବେଳେ ସିଦ୍ଧାନ୍ତଙ୍କ ବୟାନ ରାଜ୍ୟ ରାଜନୀତିକୁ ଦ୍ୱନ୍ଦରେ ପକାଉଛି ।