ଟିକେଟ୍ ମିଳିଲାନି ଦୁଃଖ ନାହିଁ । ଦଳପତିଙ୍କ ନିଷ୍ପତିକୁ ସମ୍ମାନ ଜଣାଉଛି: ବରଗଡ଼ ବିଜେଡି ସାଂସଦ ପ୍ରଭାସ ସିଂହ

533

କନକ ବ୍ୟୁରୋ: ବିଜେଡି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଭିନ୍ନ ବିଜେଡି ଶିବିରରେ ଅସନ୍ତୋଷ ନିଆଁ କୁହୁଳିବାରେ ଲାଗିଛି । କିନ୍ତୁ ବରଗଡ଼ ବିଜେଡି  ସାଂସଦ ପ୍ରଭାସ ସିଂହଙ୍କୁ ଟିକେଟ୍ ନମିଳିବା ନେଇ ସେ ଦୁଃଖୀତ ନଥିବା କହିଛନ୍ତି । ପ୍ରଭାସଙ୍କ କହିବା ମୁତାବକ କେବଳ ସାଂସଦ କିମ୍ବା ବିଧାୟକ ପଦ ପାଇଲେ ଯେ ଲୋକମାନଙ୍କ ସେବା କରିହେବ ତାହା ଭୁଲ । ଜଣେ ସାଧାରଣ କର୍ମୀ ଭାବେ ମଧ୍ୟ ଜନତାଙ୍କ ସୁଖ ଦୁଖରେ ଛିଡ଼ା ହୋଇପାରିବ ।  ଦଳରୁ ଟିକେଟ୍ ମିଳିଲାନି ସେଥିପାଇଁ ମୁଁ ଆଦୌ ଦୁଃଖିତ ନୁହେଁ । କାରଣ ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ । ଦଳପତି ଯାହା ନିଷ୍ପତି ନେବେ ତାହାକୁ ମୁଁ ସମ୍ମାନ ଜଣାଇବି ବୋଲି କହିଛନ୍ତି ପ୍ରଭାସ ।

ସେହିଭଳି ଦୀର୍ଘ ୫ ବର୍ଷ ଧରି ବରଗଡ଼ ବାସୀଙ୍କ ପାଇଁ ସେବା କରିଛି । ଦିନରାତି ଏକ କରି ମୋ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରିଛି । ଏପରିକି ଲୋକସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇଛି । ସଠିକ୍ ସମୟରେ ଏମପି ଲାଡ୍ ଫଣ୍ଡର ଅର୍ଥ ଲୋକଙ୍କ ଉନ୍ନତି କାର୍ଯ୍ୟରେ ବିନିଯୋଗ କରିଛି । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋତେ ୫ବର୍ଷ ପାଇଁ ସାଂସଦ ବାଛିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଛାତ୍ର ଜୀବନରୁ ବିଜୁ ବାବୁଙ୍କ ରାଜନୈତିକ ଶୈଳୀରୁ ଅନୁପ୍ରାଣିତ ହୋଇଛି । ଏବେ ମୋ ସୁପ୍ରିମୋ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ତେଣୁ ତାଙ୍କର ଯାହା ନିଷ୍ପତି ହେବ ତାହାକୁ ମୁଁ ସମ୍ମାନ ଜଣାଇବି ବୋଲି କହିଛନ୍ତି ପ୍ରଭାସ ।

ସେହିପରି ତାଙ୍କୁ ବାଦ୍ ଦେଇ ରାଜ୍ୟସଭାରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଣି ଦଳପତି ବରଗଡ଼ ଲୋକସଭା ଆସନ ଟିକେଟ୍ ଦେବା ନେଇ ସେ କହିଛନ୍ତି ଯେ, ପ୍ରସନ୍ନ ବାବୁଙ୍କ ସହିତ ମୋର ଭଲ ସମ୍ପର୍କ ରହିଛି । ଦଳପତି ଯାହାକୁ ବାଛିଛନ୍ତି ତାହା ତାଙ୍କ ନିଷ୍ପତି । ଦଳ ଆଗାମୀ ନିର୍ବାଚନରେ ଯାହା ଦାୟିତ୍ୱ ଦେବେ ତାହାକୁ ମୁଁ ପାଳନ କରିବି ବୋଲି କହିଛନ୍ତି ପ୍ରଭାସ । ଏନେଇ ମଧ୍ୟ ନବୀନ ନିବାସକୁ ଯାଇ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିଛନ୍ତି ପ୍ରଭାସ ବୋଲି ସୂଚନା ମିଳିଛି ।