ବୈଜୟନ୍ତଙ୍କ ଆଉ ଏକ ଟ୍ୱିଟ୍! ଲେଖିଲେ ପ୍ରତିଷ୍ଠା କରିଥିବା ଦଳକୁ ଛାଡିବାର ଇଚ୍ଛା ନାହିଁ କିନ୍ତୁ ବିଜେଡିରୁ ତଡିଦେବା ପାଇଁ ଚାଲିଛି ଶକ୍ତିଶାଳୀ ଷଡଯନ୍ତ୍ର

31

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ତଦନ୍ତ ରିପୋର୍ଟ ଦେବା ପରେ ପୁଣି ଟ୍ୱିଟ୍ କରିଛନ୍ତି ସାଂସଦ । ଲେଖିଛନ୍ତି ଯେଉଁ ଦଳକୁ ସେ ପ୍ରତିଷ୍ଠା କରିଥିଲେ ତାକୁ ଛାଡିବା ପାଇଁ ଇଚ୍ଛା ନାହିଁ । ହେଲେ ବିଜେଡିରୁ ତଡିଦେବା ଲାଗି ଶକ୍ତିଶାଳୀ ଷଡଯନ୍ତ୍ର ଚାଲିଛି । ନିଜ ନିର୍ବାଚନ କ୍ଷେତ୍ରରେ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ବିଶ୍ୱାସକୁ ନନେଇ ସାଂସଦ ମନମୁଖୀ କାମ କରୁଥିବା ଅଭିଯୋଗ ଆସିବା ପରେ ଦଳର ଦୁଇ ବରିଷ୍ଠ ନେତ୍ରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

baijayantଗତକାଲି ଅନେକ ଛକାପଂଝା ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଇଥିଲେ କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ, ଦଳୀୟ ନେତା ଓ କର୍ମୀଙ୍କୁ ସେ ଭେଟିଥିଲେ । ଅଧିକାଂଶ ଲୋକ ସାଂସଦଙ୍କ ବିରୋଧରେ ମତାମତ ଦେଇଥିବା ସେ ରିପୋର୍ଟ ଦେଇଛନ୍ତି । ସେହିପରି ଅନ୍ୟଜଣେ ବରିଷ୍ଠ ନେତ୍ରୀ ଉଷାଦେବୀଙ୍କୁ ମଧ୍ୟ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଓ ସାଲେପୁରରୁ ଆସିଥିବା ଅଭିଯୋଗର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ହେଲେ ଉଷା ଦେବୀ ଏପର୍ଯ୍ୟନ୍ତ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ନାହିଁ । ଆଶା କରାଯାଉଛି ଦୁଇଟି ଯାକ ତଦନ୍ତ ରିପୋର୍ଟ ମିଳିବା ପରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ନବୀନ ।

ନିଶ୍ଚିନ୍ତକୋଇଲିରେ ଏକ ପାଣିଟାଙ୍କି ଉଦଘାଟନକୁ ନେଇ ସବୁ ବିବାଦର ସୂତ୍ରପାତ ହୋଇଥିଲା । ସାଂସଦଙ୍କୁ ବିରୋଧ କରିଥିଲେ ବ୍ଲକ ଅଧ୍ୟକ୍ଷଙ୍କ ସମେତ କର୍ମୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାଂସଦଙ୍କ ବିରୋଧରେ ଫେରାଦ ହୋଇଥିଲେ । ଏହାପରେ କେନ୍ଦ୍ରାପଡା ସଂସଦୀୟ ନିର୍ବାଚନ କ୍ଷେତ୍ରର ବିଭିନ୍ନ ବ୍ଲକରୁ କର୍ମୀମାନେ ଆସି ପ୍ରତିଦିନ ନବୀନ ନିବାସରେ ଫେରାଦ ହେଉଛନ୍ତି ।