ବ୍ରହ୍ମଗିରି ଓ ସତ୍ୟବାଦୀରେ ଉତ୍ତେଜନା, ବୁଥରେ ଭଙ୍ଗାରୁଜା । ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଲେ ପୋଲିଂ କର୍ମଚାରୀ, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି ।

259

କନକ ବ୍ୟୁରୋ : ନିର୍ବାଚନ ସମୟରେ ବିଜେପି ହିଂସାକାଣ୍ଡ ଭିଆଉଥିବା ଅଭିଯୋଗରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଥିବା ଓମ୍ ପ୍ରକାଶ ମିଶ୍ର ଏକ ପୋଲିଂ ବୁଥରେ ନିଜ ସମର୍ଥକଙ୍କୁ ନେଇ ଇଭିଏମ୍ ଭଙ୍ଗାରୁଜା ଓ ଉତ୍ତେଜନା ସୃଷ୍ଟି କରିଛନ୍ତି । ଏହା ସହ ସେଠାରେ ଉପସ୍ଥିତ ଥିବା ପୋଲିଂ କର୍ମଚାରୀଙ୍କୁ ବିଜେପି କର୍ମୀମାନେ ଧମକଚମକ ମଧ୍ୟ ଦେଇଛନ୍ତି ।

ସେହିପରି ବହ୍ମଗିରିର ଦୁଇଟି ଜାଗାରେ ବିଜେପି ହିଂସା ଭିଆଇଥିବା ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ତେବେ ଗୋଟିଏ ସ୍ଥାନରେ ବିଜୁ ଜନତା ଦଳର ଜଣେ କର୍ମୀ ରାଜେନ୍ଦ୍ର ବେହେରାଙ୍କୁ ବିଜେପି କର୍ମୀ ମାନେ ହାଣିଥିବା କହିଛନ୍ତି ବିଜେଡି ମୁଖପାତ୍ର । ରାଜେନ୍ଦ୍ର ବର୍ତ୍ତମାନ ପୁରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜୀବନ ମରଣ ସହ ସେ ସଂଗ୍ରାମ କରୁଛନ୍ତି । ସେପଟେ ବ୍ରହ୍ମଗିରିର କମାଶାସନ ଠାରେ ବିଜେପି କର୍ମୀମାନେ ଇଭିଏମ୍ ଭଙ୍ଗାରୁଜା କରିଥିବା ବିଜେଡି କହିଛି । ତେବେ ବିଜେପି ରାଜ୍ୟରେ ହିଂସା ବଢାଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ ।

ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବୁଥରେ ଭଙ୍ଗାରୁଜା ହୋଇଥିବା ଆଜି ଅଭିଯୋଗ ହୋଇଥିଲା । ୨ଟି ସ୍ଥାନରୁ ଆସିଛି ଏହିଭଳି ଅଭିଯୋଗ ଆସିଥିଲା । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଣାସ ବୁଥ ନମ୍ବର ୭୮ରେ ମତଦାନ ଚାଲିଥିବା ବେଳେ କିଛି ଲୋକ ମେସିନ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ତାଙ୍କ ସମର୍ଥକଙ୍କ ସହ ଆସି ଏହି କାଣ୍ଡ ଭିଆଇବା ସହ ପ୍ରିଜାଇଣ୍ଡିଂ ଅଫିସରଙ୍କୁ ଧମକ ଚମକ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଏହାସହ ଘଟଣାସ୍ଥଳରୁ ଗୋଟିଏ ରିଭଲବର ଜବତ କରିଛି ପୋଲିସ । ଘଟଣାସ୍ଥଳରେ ବରିଷ୍ଠ ପ୍ରଶାସନିିକ ଅଧିକାରୀ ଉପସ୍ଥିତ ରହିଛନ୍ତି । ଘଟଣାସ୍ଥଳରେ ଉତେଜନା ଲାଗି ରହିଛି ।

ସେପଟେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କମା ଶାସନ ବିଦ୍ୟାଳୟ ବୁଥରେ ଉତ୍ତେଜନା ଓ ଭଙ୍ଗାରୁଜା ଅଭିଯୋଗ ହୋଇଛି । ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଯାଉଥିବା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଛି । ଲୋକଙ୍କ ଅଭିଯୋଗ, ପୋଲିଂ ଅଧିକାରୀ ଜାଣିଶୁଣି ଇଭିଏମରେ ତ୍ରୁଟି ଦର୍ଶାଇ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରୁଛନ୍ତି । ସଂପୃକ୍ତ ପୋଲିଂ ଅଧିକାରୀଙ୍କୁ ଗିରଫ କରିବା ପାଇଁ ଲୋକେ ଦାବି କରିଛନ୍ତି । ପୋଲିସ ପହଂଚି ପରିସ୍ଥିତିକୁ ଆୟତ କରିବାପାଇଁ ଉଦ୍ୟମ କରୁଥିବା ବେଳେ ଏବେ ବି ଉତ୍ତେଜନା ଜାରି ରହିଛି ।