ପ୍ରଥମେ ଦଳରୁ ନିଲମ୍ବିତ ହେଲେ ବୈଜୟନ୍ତ, ଏବେ ସାଂସଦ ପଦରୁ ଇସ୍ତଫା ମାଗୁଛି ବିଜେଡି !

86

କନକ ବ୍ୟୁରୋ : ଦୀର୍ଘ ଦିନର ସଂପର୍କ ପରେ ଏବେ ବିଜେଡି ଓ ସାଂସଦ ବୈଜୟନ୍ତ ପଣ୍ଡା ପରସ୍ପରର ଚିର ଶତ୍ରୁ ପାଲଟି ଯାଇଛନ୍ତି । ଦଳରୁ ନିଳମ୍ବନ କରିବା ପରେ ଏବେ ସାଂସଦ ପଦରୁ ବୈଜୟନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ପ୍ରେସ୍ କନଫରେନସ କରି ବୈଜୟନ୍ତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ବିଜେଡି କହିଛି, ନିୟମିତ କର୍ମଚାରୀ ଭାବେ ଇମ୍ପାରୁ କୋଟି କୋଟି ଟଙ୍କା ଦରମା ନେଇଥିଲେ ବି ନିର୍ବାଚନ ସତ୍ୟପାଠରେ ଲୁଚାଇଥିଲେ ବୈଜୟନ୍ତ । ସେପଟେ ବୈଜୟନ୍ତ ନିଲମ୍ବିତ ହେବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଯାଇ ସମର୍ଥକଙ୍କୁ ଭେଟିଛନ୍ତି ।

BAIJAYANTଦୁଇ ଦିନ ତଳେ ବିଜେଡିରୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବିତ କରିବା ପରେ ଏବେ ସାଂସଦ ପଦରୁ ଇସ୍ତଫା ଦେବାକୁ ଦାବି କରିଛି କେନ୍ଦ୍ରପଡ଼ା ବିଜେଡି । ଆଉ ଏହି ଦାବି କରିବାର କାରଣ କହିବାକୁ ଯାଇ ସାଂଘାତିକ ଅଭିଯୋଗ ଆଣିଛି ଦଳ ।
ବିଜେଡିର ଅଭିଯୋଗ ହେଉଛି:
କର୍ମଚାରୀ ଭଳି ଇମ୍ପାର ଉପସଭାପତି ଭାବେ ଦରମା ନେଇଛନ୍ତି ବୈଜୟନ୍ତ।ବାର୍ଷିକ ଦରମା ଓ ଭତ୍ତା ବାବଦରେ ୨ କୋଟି ୭୯ ଲକ୍ଷ, ୧କୋଟି ୪୫ ଲକ୍ଷ, ୧ କୋଟି ୬୧ ଲକ୍ଷ ଏବଂ ୭ କୋଟି ୬୬ ଲକ୍ଷ ଟଙ୍କା ନେଇଛନ୍ତି । ନିର୍ବାଚନ ପାଇଁ ଦେଇଥିବା ସତ୍ୟପାଠରେ ଏହି ତଥ୍ୟ ନଦେଇ ଗୋପନ ରଖିଛନ୍ତି ବୈଜୟନ୍ତ । ବୈଜୟନ୍ତ ଇମ୍ଫା କମ୍ପାନିର ଉପସଭାପତି ପଦରେ ରହି କୋଟି କୋଟି ଟଙ୍କା ଦରମା ଆକାରରେ ନେଇଛନ୍ତି । ଏହି ସବୁ ତଥ୍ୟ ଦଳ ତଥା ଦଳ ମୁଖିଆଙ୍କୁ ବୈଜୟନ୍ତ ଲୁଚାଇ ରଖିଛନ୍ତି । ଏହି ସବୁ ଗୋପନୀୟ ତଥ୍ୟ ନିର୍ବାଚନ ସତ୍ୟପାଠରେ ଦର୍ଶାଇ ନାହାନ୍ତି ବୈଜୟନ୍ତ । ଏଭଳି କରି ବୈଜୟନ୍ତ କେନ୍ଦ୍ରପଡାବାସୀଙ୍କୁ ଠକିଛନ୍ତି । ତେଣୁ ନୈତିକତା ଦୃଷ୍ଟିରୁ କେନ୍ଦ୍ରାପଡା ସାଂସଦ ପଦରୁ ବୈଜୟନ୍ତ ତୁରନ୍ତ ଓହରିଯିବା ସହ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । ତେବେ ଏଭଳି କରି ବୈଜୟନ୍ତଙ୍କ ପକ୍ଷଛେଦନ କରିବା ପାଇଁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ ।

ତେବେ ଏହି ଅଭିଯୋଗକୁ ବୈଜୟନ୍ତଙ୍କ ଅଫିସ ପକ୍ଷରୁ ଖଣ୍ଡନ କରାଯାଇଛି । ପୁଣି ଥରେ ତୃତୀୟ ମହଲାକୁ ଟାର୍ଗେଟ କରିଛି ବୈଜୟନ୍ତଙ୍କ ଅଫିସ । ଲୋକଙ୍କୁ ବିଭ୍ରାନ୍ତ କରିବାକୁ ତୃତୀୟ ମହଲା ଷଡଯନ୍ତ୍ର ରଚିଥିବା କୁହିଛନ୍ତି ତାଙ୍କ ରାଜନୈତିକ ସଚିବ । ସେପଟେ ନିଲମ୍ବନ ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଯାଇ ନିଜ ସମର୍ଥନଙ୍କ ସହ ଆଲୋଚନା କରିଛନ୍ତି । ସମର୍ଥନଙ୍କ ସହ ଏକ ରାଲିରେ ବଳଦେବ ଜୀଉ ମନ୍ଦିର ଦର୍ଶନ କରିଛନ୍ତି ବୈଜୟନ୍ତ ।ଦୀର୍ଘ ୨୦ ବର୍ଷର ନିବିଡ଼ ସଂପର୍କ ପରେ ଏବେ ବୈଜୟନ୍ତ୍ ଓ ବିଜେଡି ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି । ଏବଂ ନିର୍ବାଚନ ସତ୍ୟପାଠରେ ସତ୍ୟ ଲୁଚାଇବାର ଅଭିଯୋଗ ଆଣି ବୈଜୟନ୍ତଙ୍କୁ ହରଡଘଣାରେ ପକାଇଦେଇଛି ବିଜେଡି । ଏହି ନିର୍ଦ୍ଦିଷ୍ଟ ଅଭିଯୋଗର ବୈଜୟନ୍ତ କଣ ଜବାବ ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।