ଆଜି ୯ଟି ଆସନ ପାଇଁ ଟିକେଟ ଘୋଷଣା କରିପାରେ ବିଜେଡି ! କାହାକୁ ସୁଯୋଗ ଦେବେ ବିଜେଡ଼ି ସୁପ୍ରିମୋ ?

446

କନକ ବ୍ୟୁରୋ : ଆଜି ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେଡି ୯ ଲୋକସଭା ଓ ୫୪ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କିଛି ଆସନରେ ବିଭିନ୍ନ କାରଣରୁ ପ୍ରାର୍ଥୀଙ୍କ ନାଁ ଝୁଲିରହିଥିଲା । ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତା ୨୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ବିଜେଡି ତାର ପ୍ରକାଶ ପାଇନଥିବା ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିବାର ବଡ ସମ୍ଭାବନା ରହିଛି । ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଶ୍ରୀମୟୀ ମିଶ୍ର ଓ ଅର୍କେଶ ସିଂଦେଓଙ୍କ ନାଁ ଆଗରେ ଥିବା ବେଳେ ଲୋଇସିଂହାରୁ ଯୋଗେନ୍ଦ୍ର ବେହେରା ଓ ନିହାର ରଂଜନ ବେହେରାଙ୍କ ଭିତରୁ ଜଣକୁ ମିଳିପାରେ ଟିକେଟ ।

ସେହିପରି ଲାଂଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବଳଭଦ୍ର ମାଝୀ ଓ ପ୍ରଦୀପ ଦିଶାରୀଙ୍କ ମଧ୍ୟରୁ ଜଣଙ୍କୁ ମିଳିବ ଟିକେଟ । ଝରିଗାଁର ବିଧାୟକ ରମେଶ ମାଝୀ ଥିବା ବେଳେ ତାଙ୍କୁ ଏବେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ କରାଯାଇଛି । ତେଣୁ ଝରିଗାଁରେ କାହାକୁ ମିଳିବ ଟିକେଟ ସେ ନେଇ ସସପେନ୍ସ ଲାଗିରହିଛି । ସେହିପରି ମାଲକାନଗିରିରେ ମାନସ ମାଡକାମୀଙ୍କ ନାଁ ଆଗରେ ରହିଛି । ବ୍ରଜରାଜନାଗରରେ କିଶୋର ମହାନ୍ତି ଓ ଅନୁପ ସାଏ ଟିକେଟ ଆଶାରେ ଅଛନ୍ତି । ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଡୁଗୁନି କହଁରଙ୍କ ନାଁ ଘୋଷଣା ହୋଇପାରେ । ସେହିପରି ପଟାଙ୍ଗୀରେ ପ୍ରଫୁଲ ପାଙ୍ଗୀ ଓ ଜୟରାମ ପାଙ୍ଗୀଙ୍କ ପୁତୁରା ଅଶୋକ ପାଙ୍ଗୀଙ୍କ ମଧ୍ୟରୁ ଜଣକୁ ଟିକେଟ ମିଳିପାରେ । ସେପଟେ ବୀରମିତ୍ରପୁରରେ ନୂଆ ମୁହଁକୁ ପ୍ରାର୍ଥୀ ଭାବେ ଘାଷଣା କରିପାରନ୍ତି ନବୀନ ।

Comments are closed.