ମହାନଦୀ ମହଙ୍ଗା ପଡ଼ିବା ପୂର୍ବରୁ ମାନିଗଲେ ଧର୍ମେନ୍ଦ୍ର ! ୨୦୧୯ ପାଇଁ ବଦଳିଲା କି ବିଜେପିର ରଣନୀତି

33

କନକ ବ୍ୟୁରୋ : ରମଣ ସିଂଙ୍କ ବୟାନକୁ ନେଇ ଅଡୁଆରେ ପଡିବା ପରେ ମହାନଦୀ ନେଇ ଆଭିମୁଖ୍ୟ ବଦଳାଇଥିବା ରାଜ୍ୟ ବିଜେପି ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଆକ୍ରମଣ । ଉଭୟ ବିଜେଡି ଓ କଂଗ୍ରେସ ଆକ୍ରମଣକୁ ଶାଣିତ କରିଛନ୍ତି । ଆଉ ଏହାରି ଭିତରେ ନଜର ରହିଛି ବିଜେପିର ପରବର୍ତି ପଦକ୍ଷେପ ଉପରେ । କାରଣ ମୂଳରୁ ଛତିଶଗଡ ସରକାରଙ୍କ ବେଆଇନ ନିର୍ମାଣକୁ ପରୋକ୍ଷରେ ସମର୍ଥନ କରିଆସୁଥିବା କେନ୍ଦ୍ରମନ୍ତ୍ରୀ ଏବେ ସେ ଭୁଲ କରିଥିବା କହିଛନ୍ତି । ତେଣୁ ପ୍ରଶ୍ନ ଉଠୁଛି କଣ ନିର୍ମାଣ କାମ ବନ୍ଦ କରିବା ପାଇଁ ଛତିଶଗଡ ଉପରେ ଚାପ ପକାଇବେ ଧର୍ମେନ୍ଦ୍ର ପ୍ରଧାନ । କଲମା ବ୍ୟାରେଜରୁ ପାଣି ଛାଡିବାକୁ କହି ଓଡିିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଗେଇ ଆସିବେ କି ଧର୍ମେନ୍ଦ୍ର ।

ଛତିଶଗଡର ବେଆଇନ ନିର୍ମାଣ ଫଳରେ ଓଡିଶାରେ ମହାନଦୀ ଶୁଖିଲା ପଡିଛି । ଆଗକୁ ପାଣି ମିଳିବନି, ବିଜୁଳି ଉତ୍ପାଦନ ହୋଇପାରିବନି ଏଭଳି ଏକ ଧାରଣା ତିଆରି ହେଉଥିବାବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବେପରୁଆ ବୟାନ ରାଜ୍ୟ ବିଜେପିକୁ ଅଡୁଆରେ ପକାଇଦେଇଥିଲା । ଆଉ ଶେଷରେ ଛତିଶଗଡ ଭୁଲ କରିଛି ବୋଲି କହିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ବିଜେପିର ନେତା ନମ୍ବର ୱାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ମହାନଦୀକୁ ନେଇ ଆଭିମୁଖ୍ୟ ବଦଳାଇଥିବା ରାଜ୍ୟ ବିଜେପିର ଆଗାମୀ ପଦକ୍ଷେପ କ’ଣ ହେବ?

କୁହାଯାଉଛି କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସମର୍ଥନ ପାଇଆସୁଥିବା ରମଣ ସିଂ ମହାନଦୀରେ କୌଣସି ପରିସ୍ଥିତିରେ କାମ ବନ୍ଦ କରିବେ ନାହିଁ ବୋଲି ଦମ୍ଭ ଦେଖାଇବା ପରେ ଅଡୁଆରେ ପଡିଯାଇଛି ରାଜ୍ୟ ବିଜେପି । ତେଣୁ ଅନ୍ୟ ଉପାୟ ନପାଇ ଛତିଶଗଡକୁ ନିନ୍ଦା କରିବା ଆରମ୍ଭ କରିଛି । ହେଲେ ଓଡିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କି ପଦକ୍ଷେପ ନେବ ତା ଉପରେ ନଜର ରହିଛି ।
– କଲମା ବ୍ୟାରେଜ ଦେଇ ଓଡିଶା ହକର ପାଣି ଛାଡିବାକୁ କହିବ କି ବିଜେପି?
– ମହାନଦୀ ଉପରମୁଣ୍ଡରେ କାମ ବନ୍ଦ କରିବାକୁ କହିବ କି ଛତିଶଗଡକୁ?
– କାମ ବନ୍ଦ ପାଇଁ ଚାପ ପକାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବେ କି ଧର୍ମେନ୍ଦ୍ର?

ମହାନଦୀକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ ଏକ ପ୍ରକାର ଜନମତ ତିଆରି କରୁଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରିବାକୁ ପ୍ରସ୍ତୁତ ହେଉଛି । ଆଉ ଏହାରି ଭିତରେ ରମଣ ସିଂଙ୍କ ବୟାନ ଯୋଗୁଁ ଅକଳରେ ପଡିଯାଇଥିବା ରାଜ୍ୟ ବିଜେପି ଛତିଶଗଡକୁ ବିରୋଧ କରି ପୁଣି ନୂଆ ରଣନୀତି ଆପଣାଇଛି ।