ବାଜୁନି ବିଜେପୁର ବିଗୁଲ! ବିଳମ୍ବ ହେଉଛି, ତାତି ବଢୁଛି । ବିରୋଧୀଙ୍କ ଟାର୍ଗେଟରେ ନିର୍ବାଚନ କମିଶନ ଓ ବିରୋଧୀ

56

କନକ ବ୍ୟୁରୋ : ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନର ୫ଟି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଆଜି ବିଜେପୁରକୁ ନେଇ ପ୍ରଶ୍ନ ଉଠିଛି । ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଓ କଂଗ୍ରେସ । ଅଭିଯୋଗ କରିଛନ୍ତି, ବିଜେପିର ହାତ ବାରିସି ସାଜିଛି କମିଶନ । ଜାଣିଶୁଣି ବିଜେପିକୁ ସୁହାଇବା ଭଳି ତାରିଖ ଘୋଷଣା କରିବାକୁ ଯୋଜନା ହେଉଛି । ଏହାରି ଭିତରେ ଆଜି ବିଜେପି କହିଛି, ବିଜେପୁରରେ ମୋଦି କହିବେ ମନର କଥା । ୨୭୦ ବୁଥରେ ରେଡିଓରେ ମୋଦିଙ୍କ ମନର କଥା ଶୁଣିବେ ବିଜେପୁରବାସୀ ।

Political Parties Gear Up For Bijepur Assembly Bypollକାହିଁକି ହେଉ ନାହିଁ ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ବିଜେପୁର ଉପନିର୍ବାଚନ ଲାଗି ତାରିଖ ଘୋଷଣା ଯେତିକି ଘୁଂଚୁଛି ଆରୋପ ପ୍ରତ୍ୟାରୋପ ସେତିକି ବଢୁଛି । ଅନ୍ୟ ସବୁ ରାଜ୍ୟରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ହେଉଥିବା ବେଳେ ବିଜେପୁର ଉପନିର୍ବାଚନ ଲାଗି ତାରିଖ ଘୋଷଣାରେ ବିଳମ୍ବ ପାଇଁ ନିର୍ବାଚନ କମିଶନ ଉପରେ ଚାପ ପଡୁଛି । ଉପନିର୍ବାଚନ ବିଳମ୍ବରେ କରାଇବା ପାଇଁ କେନ୍ଦ୍ର ସରକାର ଚାପ ପକାଉଥିବା ବିଜେଡି ଅଭିଯୋଗ କରିଛି । ବିଜେଡି ବିଧାୟକ ସମୀର ଦାସ କହିଛନ୍ତି, ବିଳମ୍ବ ପାଇଁ କେନ୍ଦ୍ର ହିଁ ଦାୟୀ । ନିର୍ବାଚନ କମିଶନ ମୂଖୁଡା ଦେଖାଇ ପଳାୟନ ପନ୍ଥି ହୋଇଛି ବିଜେପି । ବିଜେପୁର ଲଢେଇ ପାଇଁ ବିଜେଡି ପ୍ରସ୍ତୁତ ଥିବା ସେ କହିଛନ୍ତି ।

ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ନିର୍ବାଚନ କମିଶନ ବିଜେପିର ହାତବାରିସି ସାଜିଛନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି ନରସିଂହ ମିଶ୍ର କହିଛନ୍ତି । ଗତକାଲି ରାଜସ୍ଥାନ ଓ ପଶ୍ଚିମବଙ୍ଗର ୫ଟି ସ୍ଥାନରେ ଉପନିର୍ବାଚନ ଲାଗି ନିର୍ବାଚନ କମିଶନର ତାରିଖ ଘୋଷଣା କରିଥିଲେ ।ଗତ ଅଗଷ୍ଟ ୨୧ ତାରିଖରେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କିନ୍ତୁ ୪ ମାସ ବିତିବାକୁ ବସିଥିବା ବେଳେ ନିର୍ବାଚନ କମିଶନ ବିଜେପୁରକୁ ନେଇ ଚୁପ ଅଛନ୍ତି । ଏପରିକି ଅଗଷ୍ଟ ୨୮ରେ ମୃତ୍ୟୁ ହୋଇଥିବା ବିଧାୟକଙ୍କ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ନ ହେବା ଫଳରେ ନିର୍ବାଚନ କମିଶନ ଓ ବିଜେପି ସରକାରଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ଉଭୟ କଂଗ୍ରେସ ଓ ବିଜେଡି ।

mann ki baat modiରାଜସ୍ଥାନର ଗୋଟିଏ ବିଧାନସଭା ଓ ୨ଟି ଲୋକସଭା ଆସନରେ ଉପନିର୍ବାଚନ ଏବଂ ପଶ୍ଚିମବଙ୍ଗର ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି । ଜାନୁଆରୀ ୨୯ ତାରିଖରେ ରାଜସ୍ଥାନର ମଣ୍ଡଲଗଡ ବିଧାନସଭା ଆସନ ଓ ଅଲୱାର ଲୋକସଭା, ଆଜମେର୍ ଲୋକସଭା ଆସନରେ ଉପନିର୍ବାଚନ କରିବା ଲାଗି ଘୋଷଣା କରିଛନ୍ତି ନିର୍ବାଚନ କମିସନର । ସେହିଭଳି ସେହି ଦିନ ହିଁ ପଶ୍ଚିମବଙ୍ଗର ଉଲବେରିଆ ଲୋକସଭା ଆସନ ଓ ନୂଆପାରା ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୧ ଏହି ସବୁ ଆସନରେ ଭୋଟ ଗଣତି ହେବ ।

ବିଜେପୁର ଉପନିର୍ବାଚନ ଲାଗି ତାରିଖ ଘୋଷଣାରେ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କୁ ବିଜେଡି-କଂଗ୍ରେସ ଆଟାକ୍ କରୁଥିବା ବେଳେ ବିଜେପୁରର ସବୁ ବୁଥରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ପହଂଚାଇବା ପାଇଁ ଚେଷ୍ଟା କରୁଛି ବିଜେପି ।ବିଜେପୁରର ୨୭୦ ବୁଥରେ ବିଜେପି ନେତାଙ୍କ ସହ ଲୋକେ ରେଡିଓରେ ଶୁଣିବେ ମୋଦିଙ୍କ ମନର କଥା । ପ୍ରଥମଥର ପାଇଁ ଓଡ଼ିଶାର ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଦି ଦିଲ୍ଲୀରେ ରେଡିଓ ମାଧ୍ୟମରେ ମନର କଥା କହିବେ । ଏହି ସମୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ଉପସ୍ଥିତି ମଧ୍ୟ ରହିବେ ।ଏହାସହ ଲୋକଙ୍କ ଆଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ ରାଜ୍ୟ ସରକାରଙ୍କ ଦୁର୍ନୀତିର ପେଡି ଖୋଲିବ ବିଜେପି ।