ହରତାଳ ନାଁରେ ଦାଦାଗିରି ! ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ଉତ୍ପାତ, ରାଜଭବନ ସମ୍ମୁଖରେ ବିଜେଡି-ବିଜେପି ମୁହାଁମୁହିଁ

26

କନକ ବ୍ୟୁରୋ: ହରତାଳ ବେଳେ ବିଜେଡିର ଦାଦାଗିରି । ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବା ବିଜେଡି କର୍ମୀ ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡିନଥିଲେ । ରାଜଧାନୀର ସିଆରପିଏଫ ଛକ, ପଳାଶୁଣୀ ଓ ବରମୁଣ୍ଡାରେ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସର ବାଟ ଛାଡିନଥିଲେ ବିଜେଡି କର୍ମୀ । ତାଙ୍କୁ ଅଧାବାଟରୁ ଫେରାଇ ଦିଆଯାଇଥିଲା ।

ସେହିପରି ଡେଲଟା ଛକରେ ମଧ୍ୟ ବିଜେଡି କର୍ମୀଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା । ରାସ୍ତାରେ ଯାଉଥିବା ଜଣେ ଯୁବତୀକୁ ଅଟକାଇ ଦେଇଥିଲେ ପ୍ରାୟ ୩୦ଜଣ ବିଜେଡି କର୍ମୀ । ଏପରିକି ତାଙ୍କ ସ୍କୁଟି ମଧ୍ୟ ଭଙ୍ଗାରୁଜା କରିଥିଲେ ।

ସେପଟେ ରାଜଭବନ ସମ୍ମୁଖରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି ବିରୋଧରେ ରାଜଭବନ ଛକରେ ବିଜେପି କୃଷକ ମୋର୍ଚ୍ଛା ଧାରଣା ଦେଇଥିଲା । ରାସ୍ତାର ଉଭୟ ପଟରେ ପୁଲିସ ବ୍ୟାରିକେଡ କରିଥିଲା । ହେଲେ କିଛି ବିଜେଡି କର୍ମୀ ସେହି ରାସ୍ତାରେ ବିଜେପି ଧାରଣା ସ୍ଥଳି ଆଗରେ କେନ୍ଦ୍ର ବିରୋଧୀ ନାରାବାଜି ଦେଇଥିବା ଅଭିଯୋଗ ହୋଇଛି ।

ସେହି ସମୟରେ ବିଜେପି କର୍ମୀ ଉତକ୍ଷିପ୍ତ ହୋଇ ରାସ୍ତାକୁ ଓହ୍ଳାଇଥିଲେ । ଫଳରେ ବିଜେପି ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ଧସ୍ତାଧସ୍ତି ହୋଇଥିଲେ । ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା ପୁଲିସ । ବିଜେପିର ଧାରଣା ସ୍ଥଳ ନିକଟ ବ୍ୟାରିକେଡରେ କାହିଁକି ପୁଲିସ ବିଜେପି କର୍ମୀଙ୍କୁ ଛାଡିଲା ସେ ନେଇ ପ୍ରଶ୍ନ କରିଛି ବିଜେପି ।