୨୧ରୁ ୨୧ ନେଇ ଟଣାଓଟରା ! ବିଜେଡି ସୁପ୍ରିମୋଙ୍କ ଦମ୍ଭୋକ୍ତି ପରେ ଧର୍ମେନ୍ଦ୍ର କହିଲେ, ଆମେ ବି ଜିତିବୁ ୨୧ରୁ ୨୧ ।

456

କନକ ବ୍ୟୁରୋ: ରାଜ୍ୟର ୨୧ ଲୋକସଭା ଆସନକୁ ନେଇ ବିଜେଡି-ବିଜେପି ଟଣାଓଟରା । ଓଡ଼ିଶାର ୨୧ ଲୋକସଭା ଆସନକୁ କିଏ କରିବ କ୍ଲିନ୍ ସୁଇପ ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚାଲିଛି ବୟାନବାଜି । ନୟାଗଡ଼ରେ ବିଜେଡି ସୁପ୍ରିମୋ ୨୧ରୁ ୨୧ ଲୋକସଭା ଆସନ କ୍ଲିନ୍ ସୁଇପ୍ କରିବାକୁ ଦମ୍ଭୋକ୍ତି ବାଢ଼ିଥିବାବେଳେ ବିଜେପି ମଧ୍ୟ ଏହାର କାଉଣ୍ଟର ରଖିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ବୟାନକୁ ନେଇ କହିଛନ୍ତି ଯେ, ଆଗାମୀ ମେ’ ଶେଷ ସପ୍ତାହରେ ଜଣାପଡ଼ିବ କିଏ ୨୧ରୁ ୨୧ ଲୋକସଭା ବିଜୟ ହେବ । ଏପରିକି ଦେଶରେ ଦୁର୍ବଳ ସରକାର ଗଢ଼ିବା ପାଇଁ ନବୀନ ବାବୁ ବିରୋଧୀ ମହାମେଣ୍ଟ ତରଫରୁ ଓକିଲାତି କରୁଥିବା କହିଛନ୍ତି ଧର୍ମେନ୍ଦ୍ର । 

୨୦୧୯ ମହାସମର ପାଇଁ ବିଜେଡି ସୁପ୍ରିମୋଙ୍କ ପ୍ରଥମ ନିର୍ବାଚନୀ ପ୍ରଚାର ରାଜ୍ୟ ରାଜନୀତିର ହଟଚମଟ ସୃଷ୍ଟି କରିଛି । ଆଉ ନବୀନଙ୍କ ଗୋଟିଏ ପଦ କଥା, ଏଥର ୨୧ରୁ ୨୧ ଲୋକସଭା ବିଜେଡି ଜିତିବ କହିବା ପରେ ବିରୋଧୀ ଶିବିରରେ ହଡ଼କମ୍ପ ସୃଷ୍ଟି ହୋଇଛି । ଶାସକ ବିଜେଡି ସମ୍ମୁଖରେ ପ୍ରମୁଖ ପ୍ରତିଦ୍ୱନ୍ଦୀଭାବେ ଉଭା ହୋଇଥିବା ବିଜେପି ମଧ୍ୟ ନବୀନଙ୍କ ଦମ୍ଭୋକ୍ତି ମାତ୍ ଦେଇ ୨୧ରୁ ୨୧ ଲୋକସଭା ଜିତିବାକୁ ଦମ୍ଭୋକ୍ତି ବାଢୁଛନ୍ତି । ଏସବୁ ଭିତରେ ପ୍ରକୃତରେ କିଏ ୨୧ରୁ ୨୧ ଲୋକସଭା ଜିତିବ ତାକୁ ନେଇ ଛକାପଞ୍ଝା ଲାଗିରହିଛି । 

ସେପଟେ ରାଜନୀତି ବିଶେଷଜ୍ଞଙ୍କ କହିବା ମୁତାବକ, ଶାସକ ବିଜେଡିକୁ ମାତ୍ ଦେବା ପାଇଁ ଧିରେ ଧିରେ ବିଜେପି ଶକ୍ତି ଜୁଟାଉଥିବାବେଳେ ଆଗାମୀ ନିର୍ବାଚନୀ ଫଳାଫଳ କାହା ସପକ୍ଷରେ ଯିବ ତାହା ଆକଳନ କରିବା ହୁଏତ କାଠିକର ପାଠ ହୋଇଡ଼ିବ । କେବଳ ବିଜେପି ନୁହେଁ କଂଗ୍ରେସ ମଧ୍ୟ ଚଳିତଥର ନୂଆ ରଣନୀତି ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ରହିଛି । ଏପରିକି କଂଗ୍ରେସ ବିଭିନ୍ନ ଆସନରେ ମେଣ୍ଟ କରି ବିଜେପି ଓ ବିଜେଡିକୁ ମାତ୍ ଦେବାକୁ ସଜବାଜ ହୋଇଛି । ତେଣୁ ଏପରିସ୍ଥଳେ କିଏ କେତେ ଲୋକସଭା ଆସନ ଜିତିବ ତାହା ପ୍ରକୃତରେ ଆସନ୍ତା ମେ’୨୩ ତାରିଖ ନିର୍ବାଚନୀ ଫଳାଫଳରେ ହିଁ ସ୍ପଷ୍ଟ କରିବ ।