ପକ୍କା ଘରକୁ ନେଇ ଆରମ୍ଭ ହେଲା ରାଜନୈତିକ କଳି । ବିଜେପି କହିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଭୂଲ ତଥ୍ୟ ଦେଉଛନ୍ତି ରାଜ୍ୟ ସରକାର, ଜବାବ ରଖିଲା ବିଜେଡି ।

253

କନକ ବ୍ୟୁରୋ : ବିଜୁ ପକ୍କାଘରକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ପକ୍କାଘର ବଂଟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବିଜେଡି ସରକାର ଚଂଚକତା ବନ୍ଦ କରନ୍ତୁ । ଅନ୍ୟପଟେ ଏହାର ଜବାବ ରଖି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଏହି ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରିଛନ୍ତି ।

ପକ୍କାଘର ପାଇଁ ମୁହାଁମୁହିଁ । ବିଜୁ ପକ୍କାଘର ବନାମ ପ୍ରଧାନମନ୍ତ୍ରୀ ଆୱାସ । ରାଜ୍ୟ ସରକାରଙ୍କୁ ବିଜେପିର ଚେତାବନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁଙ୍କ ନାମରେ ନାମିତ କଲେ କିମ୍ବା କୌଣସି ଜଣେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିଲେ ତୀବ୍ର ବିରୋଧ କରିବ ବିଜେପି ।

୨୦୨୨ ମସିହା ସୁଦ୍ଧା ଦେଶରେ ଥିବା ସମସ୍ତ କଚାଘରକୁ ପକ୍କାରେ ପରିଣତ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ଅନୁସାରେ ଓଡିଶାକୁ ମଧ୍ୟ ବିପୁଳ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଆସୁଛି ବିଜେପି ।

୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୨୭ଲକ୍ଷ ୪୯ହଜାର ୬୧୭ କଚାଘରକୁ ପକ୍କାଘରରେ ପରିଣତ କରିବାକୁ ତାଲିକାଭୁକ୍ତ କରିଥିଲେ ରାଜ୍ୟ ସରକାର । ଯାହା ମଧ୍ୟରୁ ୧୩ ଲକ୍ଷ ୬୫ ହଜାର ୨୫ ପରିବାର ଅଯୋଗ୍ୟ ବୋଲି ଜଣାପଡିଛି । ତେଣୁ ଜାନୁଆରୀ ୧୫ ସୁଦ୍ଧା ବିସ୍ତୃତ ସର୍ଭେ କରି ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ପଂଚାୟତିରାଜ ବିଭାଗ । ଏବେ ସେହି ରିପୋର୍ଟ ଆସିନଥିବା ବେଳେ ରାଜ୍ୟ ସରକାର ପୁଣି ଲୋକଙ୍କୁ ପକ୍କାଘର ଯୋଗାଇଦେବାକୁ କହିବା ପରେ ପ୍ରଶ୍ନ ଉଠାଇଛି ବିଜେପି । କିନ୍ତୁ ଆବାସ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରୁଥିବା ବେଳେ ବିଜେପିର ଏହି ପ୍ରଶ୍ନ ଅମୂଳକ ବୋଲି କହିଛି ବିଜେଡି ।

ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଜୁ ପକ୍କାଘର ଓ ଆବାସ ଯୋଜନାରେ ପୁଣି ଗାଁ ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି । ସରକାର ସମସ୍ତଙ୍କ ମୁଣ୍ଡ ଉପରେ ଛାତ ପରିକଳ୍ପନା କରୁଥିବା ବେଳେ, ରାଜ୍ୟର ବିଭିନ୍ନ ସ୍ଥାନରୁ ମାଳ ମାଳ ଦୁର୍ନୀତି ଅଭିଯୋଗ ଏହି ଯୋଜନାର ବାସ୍ତବତା ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି ।