ଧର୍ମେନ୍ଦ୍ରଙ୍କ ଟିଟୋ ଲିଙ୍କ ଖୋଲିଲା ବିଜେଡି ! ଗ୍ୟାଙ୍ଗଷ୍ଟର କିଭଳି ପାଇଲା ପେଟ୍ରୋଲ ପମ୍ପ ? କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲା ଦଳ ।

58

ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ମିଳିବା ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି । ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ଘଟଣାରେ ସିବିଆଇକୁ ତଦନ୍ତ ଭାର ଦେବାନେଇ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ନିଷାଣରେ ନେଇ ବିଜେଡି କହିଛି କେମିତି ଟିଟୋକୁ ପେଟ୍ରୋଲ ପମ୍ପ ମିଳିଲା ସ୍ପଷ୍ଟ କରନ୍ତୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ଯଦି ଏଭଳି ଅପରାଧିକମୂଳ ରାଜନୀତିରେ ସଂପୃକ୍ତ ଅଭିଯୋଗ ବାରମ୍ବାର ହେଉଛି ତେବେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦେବା ଉଚିତ ବୋଲି କହିଛନ୍ତି ପ୍ରତାପ ଦେବ ।

କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରଣାଳୟ ଅଧିନସ୍ଥ ଆଇଓସିଏଲ କର୍ତ୍ତୁପକ୍ଷ ସିଲେକସନ ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ସ୍ୱୀକାର କରିଛନ୍ତି । ପୂର୍ବରୁ ଏହିଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ , ଏହାକୁ ସିବିଆଇ ହସ୍ତାନ୍ତର କରିବା ସନ୍ଦେହ ସୃଷ୍ଟି କରୁଛି ବୋଲି ପ୍ରତାପ କହିଛନ୍ତି । କ’ଣ କେବଳ ଗୋଟିଏ ପେଟ୍ରୋଲ ପମ୍ପର ତଦନ୍ତ କରିବାର ନିୟମାବଳୀ ସିବିଆଇରେ ଅଛି କି? ଯଦି ଅଛି ତେବେ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀଙ୍କ ବିଭାଗ ଅଧିନରେ ଥିବା ଗ୍ୟାସ ଏଜେନ୍ସି ଏବଂ ପେଟ୍ରୋଲ ପମ୍ପରେ ହୋଇଥିବା ଅନିୟମିତାରେ କାହିଁକି ଚୁପ ବସିଛନ୍ତି କେନ୍ଦ୍ରମନ୍ତ୍ରୀ ? ପୂର୍ବରୁ ମଧ୍ୟ ବିଜେପୁର ଉପ-ନିର୍ବାଚନ ସମୟରେ ପେଟ୍ରୋଲ ପମ୍ପମାନଙ୍କରେ ଟଙ୍କା ବଣ୍ଟନ ହେଉଥିବା ଅଭିଯୋଗ ଆମେ କରିଥିଲୁ, ଛତ୍ରପୁର କାଉନସିଲର ହତ୍ୟା ଘଟଣା ପଛରେ ବିଜେପିର ଜଣେ ପ୍ରବକ୍ତା ସଂପୃକ୍ତି ଅଭିଯୋଗ ହୋଇଥିଲା, ଯାହାର ଅଙ୍ଗୁଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ହୋଇଥିଲା ବୋଲି ପ୍ରତାପ ଦେବ କହିଛନ୍ତି ।

ତେବେ ଦିଲ୍ଲୀରେ ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ଏଭଳି ସଂଗୀନ ଅଭିଯୋଗ ଆଣିଥିବା ଏକ ପ୍ରକାର ରାଜନୈତିକ ମହଲରେ ଝଡ ଆଣିବାକୁ ଯାଉଥିବା ଅଶଙ୍କା କରାଯାଉଛି । ସେପଟେ ଗ୍ୟାଙ୍ଗଷ୍ଟର ଟିଟୋର ପେଟ୍ରୋଲ ପମ୍ପ ଆବଂଟନ ନେଇ ସିବିଆଇର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଏହି ସଂପର୍କରେ ସୂଚନା ଦେଇଛନ୍ତି ଆଇଓସିଏଲ ମହାପ୍ରବନ୍ଧକ ପ୍ରୀତିଶ ଭରତ । ଗ୍ୟାଙ୍ଗଷ୍ଟର କେନ୍ଦ୍ରାପଡା ଓ ପାରାଦୀପରେ ଥିବା ପେଟ୍ରୋଲ ପମ୍ପ ମଧ୍ୟରୁ ପାରାଦୀପର କୋକ ଷ୍ଟେସନକୁ ଆଇଓସିଏଲ ନିଜ ଅଧିନକୁ ନେଇ ସାରିଛି । କିନ୍ତୁ କେନ୍ଦ୍ରାପଡାର ଥିବା ପେଟ୍ରୋଲ ପମ୍ପ ଟିଟୋର ସଂପର୍କୀୟଙ୍କ ନାଁରେ ରହିଛି । କିନ୍ତୁଏହି ପେଟ୍ରୋଲ ପମ୍ପ ଆବଂଟନ ବେଳେ ଅନୀୟମିତତା ହୋଇଥିବାର ପ୍ରମାଣ ମିଳିଛି । ଫଳରେ ଆଇଓସିଏଲ କତୃପକ୍ଷ ପେଟ୍ରୋଲିୟମ ମନ୍ତ୍ରାଳୟର ସୁପାରିସ କ୍ରମେ ସିବିଆଇକୁ ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଯାହାକୁ ସିବିଆଇ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।