କାଳିଆ ଟଙ୍କା ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବିଜେପି ! ଚାଷୀଙ୍କ ସ୍ୱାର୍ଥରେ ବ୍ୟାଘାତ ନ ପହଞ୍ଚାଇବାକୁ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲା ବିଜେଡି

299

କନକ ବ୍ୟୁରୋ : କାଳିଆ ଟଙ୍କା ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବିଜେପି । ‘କାଳିଆ’ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ଟଙ୍କାକୁ ବନ୍ଦ କରିବା ପାଇଁ ନିର୍ବାଚନ କମିସନଙ୍କ ଉପରେ ବିଜେପି ଚାପ ସୃଷ୍ଟି କରୁଥିବା ବିଜୁ ଜନତା ଦଳ ପକ୍ଷରୁ ଶନିବାର ଅଭିଯୋଗ ହୋଇଛି। ଆଦର୍ଶ ଆଚରଣ ବିଧିର ଆଳ ଦେଖାଇ ବିଜେପିର ଏହି ହୀନ ଉଦ୍ୟମ ବନ୍ଦ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦଳ ଦାବି କରିଛି।

ବିଜେଡିର ଏକ ପ୍ରତିନିଧି ଦଳ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ବିଜେଡିର ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ଗତ ଏପ୍ରିଲ ୧ରୁ ପ୍ରଣୀତ ‘କାଳିଆ’ ଯୋଜନାରେ ଓଡ଼ିଶାର ଚାଷୀମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ଗତ କିଛି ମାସ ମଧ୍ୟରେ ୩୭ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ଉପକୃତ ହୋଇ ସାରିଲେଣି। ଚାଷୀମାନଙ୍କର ଜୀବନ ଜୀବିକା ଓ ସେମାନଙ୍କର ବିକାଶରେ ‘କାଳିଆ’ ଯୋଜନା ଯଥେଷ୍ଟ ସହାୟକ ହୋଇଛି। ଦେଶ ବିିଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ ଓ କୃଷିବିଦମାନେ ‘କାଳିଆ’ ଯୋଜନାକୁ ଏକ ବୈପ୍ଲବିକ ଯୋଜନାର ଆଖ୍ୟା ଦେଇ ଉଚ୍ଚ ପ୍ରଶଂସା କରିଛନ୍ତି।

କିନ୍ତୁ ବିଜେପି ସଂକୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ରଖି ‘କାଳିଆ’ ଯୋଜନା ଟଙ୍କାକୁ ବନ୍ଦ ରଖିବା ପାଇଁ ନିର୍ବାଚନ କମିସନଙ୍କ ଉପରେ ଚାପ ପକାଉଥିବା ଖବର ସାମ୍ନାକୁ ଆସୁଛି ବୋଲି ବିଜେଡି କହିଛି । ଏହା ସତ୍ୟ ହୋଇଥିଲେ ସାଂଘାତିକ ଏବଂ ପଂଜିକୃତ ହୋଇସାରିଥିବା ରାଜ୍ୟର ୨୦ ଲକ୍ଷରୁ ଅଧିକ ଚାଷୀ କ୍ଷତିଗ୍ରସ୍ତ ହେବେ। ଆସନ୍ତା ଚାଷ ଋତୁର ପ୍ରସ୍ତୁତି ପାଇଁ ସେମାନେ ଟଙ୍କା ନ ପାଇ ଦୁର୍ଦ୍ଦଶାର ସମ୍ମୁଖୀନ ହେବେ। ବିଜେପିର ଏହି ଉଦ୍ୟମକୁ ପ୍ରଶୟ ନ ଦେବାକୁ ବିଜେଡି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିସନଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି।