ବିିଜେବିର ଗୁଲାବ୍ ଗ୍ୟାଙ୍ଗ ! ହାତରେ ଠେଙ୍ଗା ଧରି ରଣହୁଙ୍କାର ଦେଲେ ଛାତ୍ରୀ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଲେଜ୍ କ୍ୟାମ୍ପସରେ ଛକାପଂଝା । ବିଜେବି କଲେଜର ଗୁଲାବ୍ ଗ୍ୟାଙ୍ଗ । କାହା ହାତରେ ଠେଙ୍ଗା ତ ଆଉ କାହା ହାତରେ ଟ୍ୟୁବ୍ ଲାଇଟ୍ । ଲଢେଇ ପାଇଁ ବାନ୍ଧିଛନ୍ତି ମେଳି । ସାଥୀ ଛାତ୍ରଙ୍କ ପାଇଁ ଆଗେଇ ଆସିଛନ୍ତି ଛାତ୍ରୀ । ବିରୋଧୀ ଛାତ୍ରଗୋଷ୍ଠୀ ବିରୋଧରେ ଦେଇଛନ୍ତି ରଣହୁଙ୍କାର । ଏପଟେ ସାମ୍ନାରେ ବିପକ୍ଷ ଛାତ୍ରଗୋଷ୍ଠୀ । ହାତରେ ଠେଙ୍ଗା ଧରି ମୁହାଁମୁହିଁ ପାଇଁ ପ୍ରସ୍ତୁତ । ବାସ୍ ଆରମ୍ଭ ହୋଇଗଲା ଫିଲ୍ମ ଷ୍ଟାଇଲରେ ବଳ କଷାକଷି । କ୍ୟାମେରାରେ କଏଦ ହୋଇଛି ରାଜଧାନୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିଜେବି କଲେଜର ଏପରି ଦୃଶ୍ୟ ।

କ୍ୟାମ୍ପସରେ ଦୁଇ ଦିନ ହେଲା ଅଶାନ୍ତିର ବାତାବରଣ । ଦୁଇ ଛାତ୍ର ଗୋଷ୍ଠୀ ଭିତରେ ମୁହାଁମୁହିଁ ସ୍ଥିତି । ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ସେଲ୍ଫ ଫାଇନାନ୍ସ କୋର୍ସର ଜଣେ ଛାତ୍ର ମାଡ ମାରିଥିବା ନେଇ ପ୍ରଥମେ ଅଭିଯୋଗ ହେଲା । ଏହାକୁ ନେଇ ସ୍ୱର ଉଠାଇଲେ ସାଥୀ ଛାତ୍ରୀ । ଥାନାରେ ବି ଅଭିଯୋଗ କଲେ । ତେବେ ଏହାକୁ ବିରୋଧ କରି ଉତେଜିତ ବିପକ୍ଷ ଛାତ୍ରଗୋଷ୍ଠୀ ସଂପୃକ୍ତ ଛାତ୍ରୀଙ୍କୁ ମାଡ ମାରିଥିଲେ । ଏହାପରେ ଆଜି ସଂଗୀନ ହୋଇଯାଇଥିଲା ସ୍ଥିତି । କ୍ୟାମ୍ପସରେ ସଂଘର୍ଷର ରୂପ ନେଇଥିଲା ପୁଂଜିଭୂତ ଅସୋନ୍ତଷ ।

କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ନୂଆ କଥା ନୁହେଁ । ତେବେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଛନ୍ତି ଛାତ୍ର ଓ ଛାତ୍ରୀ ଗୋଷ୍ଠୀ । ଉତେଜନା ଦୃଷ୍ଟିରୁ ବିଜେବି କ୍ୟାମ୍ପସକୁ ଜଗି ରହିଛନ୍ତି ବ୍ୟାପକ ପୋଲିସ ।