ପୁରୀ : ପାନ ବଜାର ମାନ୍ଦା ଥିବାରୁ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

65

କନକ ବ୍ୟୁରୋ : ଭଲ ଫସଲ ଅମଳ ପରେ ତାକୁ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା, ପିପିଲି ଏବଂ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଅଂଚଳରେ । ପାନ ବଜାର ମାନ୍ଦା ଥିବାରୁ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ବର୍ତ୍ତମାନ ପାନ ହଜାର ଦର ୧୦୦ ରୁ ୨୦୦ ଟଙ୍କା ରହିଥିବାରୁ ଲାଭ ତ ଦୂରର କଥା ମୂଳ ଉଠିବା କଷ୍ଟକର ହୋଇପଡିଛି । ହଜାର ହଜାର ଟଙ୍କା ଋଣ କରି ପାନବରଜ କରିଥିବା ଚାଷୀ ଏବେ ବଜାର ଦରକୁ ନେଇ ସଂପୂର୍ଣ୍ଣ ଭାଙ୍ଗିପଡ଼ିଛି ।

ଅସ୍ତରଂଗ ଓ କାକଟପୁର ପାନଚାଷୀ ଏବଂ ସରକାରଙ୍କ ଉଦାସୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପାନଚାଷୀ ମହାସଂଘ ଅଭିଯୋଗ କରିଛି । ଅସ୍ତରଂଗ ଏବଂ କାକଟପୁର ଅଂଚଳର ପାନଚାଷୀ ପିପିଲି ହାଟରେ ପସରା ମେଲାଉଥିବାରୁ ପାନର ଅଭାବୀ ବିକ୍ରି ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ବର୍ଷକୁ ୮ମାସ ବିଦେଶକୁ ଉଚ୍ଚ ଦରରେ ଅସ୍ତରଂଗ ଏବଂ କାକଟପୁରର ଚାଷୀ ପାନ ଯୋଗାଇଥାଆନ୍ତି । ବାକି ୪ମାସ ଜୁନ, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବିଦେଶକୁ ପାନ ରପ୍ତାନି ବନ୍ଦ ହୋଇଯିବା ଫଳରେ ସେମାନେ ପିପିଲି ହାଟରେ ପସରା ମେଲାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।

ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ପିପିଲି ହାଟରେ ଅସ୍ତରଂଗ କାକଟପୁର ପାନଚାଷୀଙ୍କୁ ବିରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଗତକାଲି ସଂନ୍ଧ୍ୟାରେ ନିମାପଡ଼ା ଠାରେ ଅନୁଷ୍ଠିତ ମହାସଂଘ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।