ଅତୀତର ୯ ବର୍ଷକୁ ଛାଡ଼ି ୧୮ ବର୍ଷର ହିସାବ ମାଗି ପାରିବନି ବିଜେପି ! ବିଶ୍ୱଭୂଷଣ ଦେଲେ ବିସ୍ପୋରକ ବୟାନ

28

କନକ ବ୍ୟୁରୋ : ସବୁବେଳେ ରାଜ୍ୟରେ ବିଜେଡି ସରକାରଙ୍କ ୧୮ବର୍ଷ ଶାସନର କଥା କହି ଆସୁଥିବା ବିଜେପି ହଠାତ ଅଡୁଆରେ ପଡିଯାଇଛି । ଯେତେବେଳେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି , ବିଜେପି ଅଧା ଶାସନ ପାଇଁ ଦାୟୀ । ଅର୍ଥାତ ୯ବର୍ଷ ମେଂଟ ସରକାରରେ ଥିବା ବିଜେପି ଓ ଏହାର ନେତା ସେ ସମୟର ତ୍ରୃଟି ପାଇଁ ଉତରଦାୟୀ ରହିବେ ବୋଲି ବିଶ୍ୱଭୂଷଣ କହିଛନ୍ତି । ତେବେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ କାଠଗଡାରେ ଛିଡା କରୁଥିବା ବିଜେପି ପାଇଁ ଏହି ମନ୍ତବ୍ୟ ଅସହଜ ପରିସ୍ଥିତି ସୃଷ୍ଟି କରିଛି । କିନ୍ତୁ ବିଜେପିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ବିଜେଡିକୁ ବେଶ୍ ସୁହାଇଛି । କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବିଶ୍ୱଭୂଷଣ ଏମିତି କିଛି କହିଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତିରେ ଦେଖାଦେଇଛି ହଲଚଲ ।
ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କନକ ନ୍ୟୁଜକୁ ଦେଇଥିବା ମନ୍ତବ୍ୟ, ଯାହା ରାଜ୍ୟ ରାଜନୀତିରେ ବେଶ ହଟଚମଟ ସୃଷ୍ଟି କରିଛି । କାରଣ ଆଗାମୀ ନିର୍ବାଚନରେ ୧୨୦ ଆସନ ହାସଲର ଲକ୍ଷ୍ୟ ନେଇ ରଣନୀତି ପ୍ରସ୍ତୁତ କରୁଥିବା ବିଜେପି, ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସିଛି । ରାଜ୍ୟ ବିକାଶର ମୁଦ୍ଦାରେ ୧୮ବର୍ଷର ଶାସନକୁ କାଠଗଡାରେ ଛିଡା କରିଛି । ହେଲେ ପ୍ରଥମଥର ପାଇଁ ବିଜେଡି ସହ ୯ବର୍ଷ ମେଂଟ ଶାସନରେ ଥିବା ବିଜେପି ମଧ୍ୟ ସେ ସମୟର ଦୋଷତ୍ରୃଟି ପାଇଁ ସମାନ ଭାବରେ ଉତରଦାୟୀ ବୋଲି କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।

ଇଚ୍ଛାଧୀନ କୋଟାର ଅପବ୍ୟବହାର କରି ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବେଆଇନ ଭାବେ ଏକାଧିକ ପ୍ଲଟ ଓ ଫ୍ଲାଟ ଆବଂଟନ କରାଯାଇଥିବା ନେଇ ବିଜେଡି ସରକାର ଉପରେ ଜୋରଦାର ଆକ୍ରମଣ କରିଥିଲା ବିଜେପି । ହେଲେ ଏଥିପାଇଁ ମଧ୍ୟ ଦାୟିତ୍ୱରେ ଥିବା ବିଜେପି ମନ୍ତ୍ରୀ ଦାୟୀ ବୋଲି ବିଶ୍ୱଭୂଷଣ କହିବା ସହ ନିଜ ଦଳର ନେତାଙ୍କୁ ପ୍ରଶ୍ନ ଘେରକୁ ଟାଣିଆଣିଛନ୍ତି । ଯାହା ବେଶ ସୁହାଇଛି ବିଜୁ ଜନତା ଦଳକୁ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ହେଉ ବା ଇଚ୍ଛାଧୀନ କୋଟା କେଳେଙ୍କାରୀ କିମ୍ବା ଦାରିଦ୍ର୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ପରି ମୌଳିକ ସମସ୍ୟାକୁ ନେଇ ବିଜେପି ସବୁବେଳେ ବିଜେଡି ସରକାରଙ୍କ ୧୮ବର୍ଷ ଶାସନର ବିଫଳତା କଥା କହିଆସୁଛି । ଆଉ ପ୍ରଥମଥର ଲାଗି ବିଶ୍ୱଭୂଷଣ, ବିଜେପି ମଧ୍ୟ ଅଧା ଶାସନ ପାଇଁ ଦାୟୀ ବୋଲି କହିବା ଭାରତୀୟ ଜନତା ପାର୍ଟିକୁ ଅଡୁଆରେ ପକାଇଦେଇଛି । କାରଣ ଆଗକୁ ନିର୍ବାଚନ ଥିବାବେଳେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଉଭୟ ବିଜେପି ଓ ବିଜେଡି ।