ତିନି ତଲାକ ଆଲୋଚନା ବେଳେ ଗୃହରେ ହଟ୍ଟଗୋଳ : ମୁସଲମାନ ମହିଳାଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିରୋଧୀ ଦଳ ଉପନେତା, ପ୍ରତିବାଦ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ

418

କନକ ବ୍ୟୁରୋ : ବିଧାନସଭାରେ ବିଜେପି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିବାଦୀୟ ବୟାନ । ତିନି ତଲାକ୍ ଆଲୋଚନା ବେଳେ ବିବାଦୀୟ ବୟାନଦେଇଛନ୍ତି ବିଷ୍ଣୁ । ତଲାକ ପ୍ରଥା ଅନେକ ମୁସଲମାନ ଦେଶର ଗ୍ରହଣୀୟ ନୁହେଁ କିମ୍ବା ପ୍ରଚଳିତ ନୁହେଁ । ତେଣୁ ତିନି ତଲାକ୍ ବିଲ୍ ପାରିତ ହେଲେ ମୁସଲମାନ ମହିଳା ଉପକୃତ ହେବେ । ବିବାହ ପରେ ଛାଡପତ୍ର ସହଜରେ ହେଉନଥିବାରୁ ମୁସଲମାନ ମହିଳାଙ୍କୁ ରେଡ ଲାଇଟ ଏରିଆରେ ଦେଖିବାକୁ ମିଳିଛି । ସେମାନେ ବାଧ୍ୟ ହୋଇ ବେଶ୍ୟାବୃତ୍ତିକୁ ଆପଣାଉଛନ୍ତି । ମୁମ୍ବାଇ ଓ କୋଲକତାରେ ଦେହ ବ୍ୟବସାୟ କରୁଛନ୍ତି ମୁସଲିମ ମହିଳା ।

ବିଷ୍ଣୁ ସେଠୀଙ୍କ ଏଭଳି ବୟାନକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ବିଜେଡି ଓ କଂଗ୍ରେସ ସଦସ୍ୟ ବିଜେପି ବିଧାୟକଙ୍କ ବୟାନକୁ ନେଇ ପ୍ରତିବାଦ କରିଛନ୍ତି । ଏହା ପରେ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ବିଷ୍ଣୁ ସେଠୀଙ୍କ ମନ୍ତବ୍ୟକୁ ଅନୁଧ୍ୟାନ କରିବାକୁ ବାଚସ୍ପତ୍ତି ରୁଲି ମଧ୍ୟ ଦେଇଛନ୍ତି । ସଂଖ୍ୟାଲଘୁ ମହିଳାଙ୍କ ପ୍ରତି ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ବିଧାନସଭାରେ ମନ୍ତବ୍ୟ ରଖିବା ପୂର୍ବରୁ ବିରୋଧୀ ଦଳ ଉପନେତା ସଂଯତ ହେବା ଉଚିତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅନ୍ୟପଟେ ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛି ବିଜେଡ଼ି ।

ତେବେ ଏପ୍ରସଙ୍ଗରେ ସଫେଇ ରଖିଛନ୍ତି ବିରୋଧୀ ଦଳ ଉପନେତା । ସେ କହିଛନ୍ତି, ରିପୋର୍ଟ ଆଧାରରେ ମୁଁ ତଥ୍ୟ ରଖିଥିଲି । କାହାକୁ ଆକ୍ଷେପ କରିବା ଉଦ୍ଦେଶ୍ୟରେ ମୁଁ ଏକଥା କହିନାହିଁ । ପରିସ୍ଥିତି ଚାପରେ ବାଧ୍ୟ ହୋଇ ମୁସଲମାନ ମହିଳାମାନେ ବେଶ୍ୟାବୃତ୍ତି କରୁଛନ୍ତି । ୟୁନିସେଫ୍ ରିପୋର୍ଟରେ ଆସିଛି, ଆଉଟଲୁକ ପରି ମ୍ୟାଗାଜିନରେ ଆସିଛି, ଟିଭି ଓ ରେଡ଼ିରେ ଆଲୋଚନା ମଧ୍ୟ ହେଉଛି । ମୁଁ କହିଦେଲି ଯେ କ’ଣ ବେଦ ଅଶୁଦ୍ଧ ହୋଇଗଲା ି । ବିଧାନସଭାରେ ଏକଥା କହିବାର କୌଣସି ଅସୁବିଧା ନାହିଁ । କେନ୍ଦ୍ର ସକରାରଙ୍କୁ ଘେରିବା ପାଇଁ ଅଯଥା ପ୍ରୟାସ କରି ମୋ କଥାରୁ ଜିରାରୁଶିରା କଢ଼ାଯାଉଛି ବୋଲି କହିଛନ୍ତି ବିଷ୍ଣୁ ସେଠୀ ।