ପୁଣି ସରଗରମ ଜଗତସିଂହପୁର ଜିଲ୍ଲା ରାଜନୀତି : ବିଷ୍ଣୁଙ୍କ ଜିଦରେ ବଦଳିଲେ ମହିଳା ସଂଗଠନ କର୍ମକର୍ତ୍ତା

39

କନକ ବ୍ୟୁରୋ : ଜଗତସିଂହପୁରରେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁଚରଣ ଦାସଙ୍କ ମଧ୍ୟରେ ବିବାଦ ନୂଆ ନୁହେଁ। ତେବେ, ନିକଟରେ ମହିଳା ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ସେଥିରେ ବିଷ୍ଣୁ ଦାସଙ୍କର ଜିତାପଟ ହୋଇଛି । ରାଜଶ୍ରୀ ଜିଲ୍ଲା ମହିଳା ସଭାପତି ହୋଇଥିଲେ ମଧ୍ୟ ବିଷ୍ଣୁଙ୍କ ଜିଦରେ ମହିଳା ସଂଗଠନ କର୍ମକର୍ତ୍ତା ବଦଳିଥିବା ଜଣାପଡ଼ିଛି । ଯାହାକୁ ନେଇ ଜଗତ୍ସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇଛି ।

ପୂର୍ବରୁ ଜିଲ୍ଲା ମହିଳା ସଭାପତି ତଥା ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ପସନ୍ଦ ମୁତାବକ ନାଉଗାଁ, ଜଗତସିଂହପୁର ବ୍ଲକ୍ ଓ ପୌରପାଳିକାର ମହିଳା ସଭାପତିଙ୍କ ନାଁ ଘୋଷଣା ହୋଇଥିଲା । ଏଥିରେ ବିଷ୍ଣୁଙ୍କ ମତକୁ ଅଣଦେଖା କରାଯାଇଥିଲା । ଏହାକୁ ନେଇ ବିଷ୍ଣୁ ଦାସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗତ ୧୨ ତାରିଖରେ ବିଷ୍ଣୁଙ୍କ ନେତୃତ୍ଵରେ ସର୍କିଟ୍ ହାଉସରେ ଏକ ବୈଠକ ବସିଥିଲା । ଏଥିରେ ବିଷ୍ଣୁଙ୍କ ସମର୍ଥକମାନେ ଦଳ ବିରୋଧରେ ଏକ ପ୍ରକାର ବିଦ୍ରୋହ ଘୋଷଣା କରିଥିଲେ । ତୁରନ୍ତ ହାଇକମାଣ୍ଡ ଏ ଦିଗରେ ପଦକ୍ଷେପ ନ ନେଲେ ଜଗତସିଂହପୁର ଜିଲ୍ଲାର ଏକାଧିକ ସରପଞ୍ଚ, ସଭ୍ୟ ଓ ଜିଲ୍ଲା ପରିଷଦ ସମୂହ ଭାବେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ । ଫଳରେ ରାଜ୍ୟ ମହିଳା ସଭାପତି କର୍ମକର୍ତ୍ତାଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ ଏକପ୍ରକାର ବାଧ୍ୟ ହେଲେ ବୋଲି କୁହାଯାଉଛି ।