ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି ବିଷ୍ଣୁ ଦାସ । କୁନ୍ଦୁଲି ଘଟଣାରେ କରିଥାନ୍ତେ କ୍ରାଇମବ୍ରାଂଚ ତଦନ୍ତ ଦାବି

45

କନକ ବ୍ୟୁରୋ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖାକରିପାରିଲେନି ବିଜେଡି ଦଳିତ ସେଲର ଆବାହକ ବିଷ୍ଣୁଦାସ । ଆଜି ସକାଳେ ବିଷ୍ଣୁ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ । କିନ୍ତୁ ତାଙ୍କୁ ଭେଟିପାରିନଥିଲେ । ଏ ନେଇ ବିଷ୍ଣୁ ଦାସ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରାଇମବ୍ରାଂଚ ଦାବି କରିଥାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲିନି । ବିଷ୍ଣୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଥିଲେ, ତାଙ୍କର ଆସିବା ବିଳମ୍ବ ହେଲା । ତେବେ ଏହା ପ୍ରକୃତ କାରଣ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ।

ଗତ ଶୁକ୍ରବାର ଦିନ ବିଜେଡି ଦଳିତ ସେଲର ମୁଖ୍ୟ ବିଷ୍ଣୁଦାସ ସାମ୍ବାଦିକ ସମ୍ମିଳନୀରେ କୁନ୍ଦୁଲି ଗଣଦୁଷ୍କର୍ମ କେବଳ ଏସଓଜି ଜବାନମାନଙ୍କ ଦ୍ୱାରା ହିଁ ଘଟିଛି ବୋଲି କହିଥିଲେ । ନିକଟରେ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବାକୁ ଯାଇଥିବା ଆମର କମିଟି ଏହା ହୃଦବୋଧ କରିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ଦଳିତ ସେଲର ଆବାହକ ବିଷ୍ଣୁ ଦାସଙ୍କ ଏହି ଦୁଇ ଧାଡ଼ି କଥା ପୁଣି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଚର୍ଚ୍ଚାକୁ ନେଇଆସିଥିଲା । ଏହା ସହ ରାଜ୍ୟ ସରକାର ମଧ୍ୟ ଅକଳରେ ପଡ଼ିଯାଇଥିଲେ । କାରଣ ମାଓ ଦମନ ପାଇଁ କାର୍ଯ୍ୟ କରୁଥିବା ଏସଓଜି ରାଜ୍ୟ ଗୃହ ବିଭାଗ ଅଧୀନରେ କାର୍ଯ୍ୟ କରୁଛି । ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଗୃହ ବିଭାଗକୁ ଟାର୍ଗେଟ କରିବା ବିଷ୍ଣୁଙ୍କ ମହଙ୍ଗା ପଡିଲା କି ? ସେଦିନ ବିଷ୍ଣୁଙ୍କ ମନ୍ତବ୍ୟର ପରେ ବିଜେପି ସ୍ପଷ୍ଟିକରଣ ଦାବି କରିଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଅଗଷ୍ଟ ୧୦ରେ କୁନ୍ଦୁଲି ଗଣଦୁଷ୍କର୍ମ ପରେ କୋରାପୁଟ ଏସପି ବିଶାଲ ସିଂହ କହିଥିଲେ, ସେ ଅଂଚଳକୁ ଏସଓଜି ଓ ବିଏସଏଫ ଜବାନମାନେ ଯାଇନଥାନ୍ତି । ଅଗଷ୍ଟ ୧୧ରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏଥିରେ ନକ୍ସଲ ସଂପୃକ୍ତ ଥାଇପାରନ୍ତି ବୋଲି କହିଥିଲେ । ଯାହାକୁ ବିରୋଧ କରିଥିଲେ ନକ୍ସଲ ସଂଗଠନ । ବିଷ୍ଣୁ ଦାସ ମର୍ଯ୍ୟାଦାସମ୍ପନ୍ନ ପଦରେ ରହି ଗୃହ ବିଭାଗକୁ ଟାର୍ଗେଟ କରିବା ବିଜେଡିକୁ ଅଡୁଆ ପରିସ୍ଥିତିରେ ପକାଇଥିଲା ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଦେଇଥିବା ଲିଖିତ ପ୍ରେସ ବିବୃତି ଓ କ୍ୟାମେରା ସାମ୍ନାରେ ତାଙ୍କ ବିବୃତି ମଧ୍ୟରେ ଫରକ ରହିଥିଲା। ଲିଖିତ ବିବୃତିରେ ଦର୍ଶାଯାଇଥିଲା, ସଂପୃକ୍ତ ନାବାଳିକା କୁନ୍ଦୁଲି ବଜାରରୁ ଘରକୁ ଫେରୁଥିଲା ବେଳେ ବିଏସଏଫ, କୋବ୍ରା ବାହିନୀର ୪ ଜଣ ଜୋରଜବରଦସ୍ତ ଗଣଦୁଷ୍କର୍ମ କରିଥିବା କଥା ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ । ବିଏସଏଫ ଓ କୋବ୍ରା ବାହିନୀର ଜବାନମାନେ ଏ ପ୍ରକାର ଅପରାଧିକ ଘଟଣାରେ ଲିପ୍ତ ଥିବା କଥା ସ୍ଥାନୀୟ ଲୋକମାନେ ପ୍ରକାଶ କରିଥିଲେ । ଏହା ଏକ ସ୍ପର୍ଶକାତର ଘଟଣା। ବିଜେଡିର ଅନୁସୂଚିତ ଜାତି ସେଲ ପକ୍ଷରୁ ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ । ସେମାନଙ୍କ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଦ୍ୱାରା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଛି ।

bishnu dasକିନ୍ତୁ ବିଷ୍ଣୁ ଦାସ କ୍ୟାମେରା ସାମ୍ନାରେ ବିଏସଏଫ ଓ କୋବ୍ରା ବାହିନୀ ନାଁ ନେଇ ନ ଥିଲେ । ଗଣଦୁଷ୍କର୍ମ ଏସଓଜି ଜବାନଙ୍କ କାମ ବୋଲି କହିଥିଲେ। ବିଷ୍ଣୁଙ୍କ ମନ୍ତବ୍ୟ ପରେ ଏ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ଦିନତମାମ ଏହାକୁ ନେଇ ଚର୍ଚ୍ଚା ଚାଲିଲା । ବିଜେପି ଓ କଂଗ୍ରେସ ବି ସୁଯୋଗ ହାତଛଡ଼ା କଲେ ନାହିଁ । ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଦିଲ୍ଲୀପ ମଲ୍ଲିକ କହିଲେ, ବିଷ୍ଣୁ ଦାସଙ୍କ ମନ୍ତବ୍ୟ ସତ ହୋଇଥିଲେ ଅତ୍ୟନ୍ତ ସାଂଘାତିକ । ସେହିପରି ଦୁଇ ଦିନ ହେଲା ଏହି ଘଟଣାକୁ ନେଇ ରାଜଭବନ ସମ୍ମୁଖରେ ଧାରଣା ଦେଉଥିବା କଂଗ୍ରେସ ବି ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି । ଦଳର ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ତଥା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି, ବିଜେଡ଼ି ଦଳିତ ସେଲ ଆବାହକ ବିଷ୍ଣୁ ଦାସ ଏସଓଜି ଜବାନ ଦୁଷ୍କର୍ମରେ ସଂପୃକ୍ତ ବୋଲି ଆଜି ପ୍ରକାଶ କରିବା ପରେ ରାଜ୍ୟ ପୋଲିସ ଡିଜି କାହା ଇଙ୍ଗିତରେ ଘଟଣା ଘଟିବାର ଅଧଘଣ୍ଟା ଭିତରେ ଏଥିରେ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ କହିଥିଲେ ? ନବୀନ ସରକାରଙ୍କ ପକ୍ଷରୁ କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ଚପାଇ ଦେବାପାଇଁ ଚକ୍ରାନ୍ତ ହୋଇଥିଲା । ମାତ୍ର କଂଗ୍ରେସର ଆନ୍ଦୋଳନ ଫଳରେ ସତ୍ୟ ପଦାକୁ ଆସିଛି ।

ରାତିରେ ନିଜେ ଶ୍ରୀ ଦାସ ଗଣମାଧ୍ୟମକୁ ଏକ ସ୍ପଷ୍ଟୀକରଣ ଦେଲେ । ସେଥିରେ ସେ ଦର୍ଶାଇଲେ, କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ବିଜେଡି ଅନୁସୂଚିତ ଜାତି ସେଲ ପକ୍ଷରୁ ତଦନ୍ତ ରିପୋର୍ଟ ସମ୍ପର୍କରେ ମୁଁ ସାମ୍ବାଦିକ ସମ୍ମିଳନୀରେ ଲିଖିତ ଭାବେ ସୂଚନା ଦେଇଥିଲି । କିନ୍ତୁ କେତେକ ଗଣମାଧ୍ୟମରେ ମୋ ବକ୍ତବ୍ୟକୁ କଦର୍ଥ କରି ଏସଓଜି ଜବାନଙ୍କ ସଂପୃକ୍ତି ଥିବା କଥା ପ୍ରକାଶ କରୁଛନ୍ତି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ଦେଇଥିଲେ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । ଆଜି ବିଷ୍ଣୁ ପ୍ରଣାମ କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିରକ୍ତି ଭାବ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଥିଲା ।