କନକ ବ୍ୟୁରୋ : ଡାକ ଟିକେଟରେ ଆପଣ ଏଥର ପାଇବେ ଭାରତୀୟ ଖାଦ୍ୟର ବାସ୍ନା । ଭାରତୀୟଙ୍କ ପ୍ରିୟ ଖାଦ୍ୟର ମହକ ମିଳିବ ଭାରତୀୟ ଡାକ ଟିକେଟରେ । ଏଥର ଭାରତୀୟ ଡାକରୁ ଚିଠି ପାଇଲେ ସେଥିରୁ ହାଇଦ୍ରାବାଦର ଟ୍ରେଡମାର୍କ କ୍ୟୁଜିନ ବିରିୟାନି, ବଘାରେ ବୈଗନ ଏବଂ ସେଓ୍ଵିୟାନର ମହକ ବାହାରି ପାରେ । ହାଇଦ୍ରାବାଦର ଏଇ ତିନୋଟିଯାକ ସିଗନେଚର ଡିସ ଭାରତୀୟ ଡାକଟିକେଟରେ ସ୍ଥାନ ପାଇଛି। ଶୁକ୍ରବାର ଦିନ ଭାରତୀୟ ଡାକ ବିଭାଗ ଏହି ଖାଦ୍ୟର ଫଟୋ ଥିବା ଡାକଟିକେଟ ପ୍ରଚଳନ କରିଛନ୍ତି।

ଭିନ୍ନ ଭିନ୍ନ ୨୪ ପ୍ରକାରର ଭାରତୀୟ ଖାଦ୍ୟକୁ ଡାକ ଟିକେଟରେ ସ୍ଥାନ ପାଇଛି । ଡାକ ବିଭାଗର ଅଂଶ ବିଶେଷ ହୋଇଯାଇଛି ଡାକ ଟିକେଟ । ଏଥିରେ ପ୍ରସିଦ୍ଧ ତିରୁପତି ଲଡୁ, ଆନ୍ଧ୍ରପଦେଶର ଇଡଲି -ଦୋସା ଏବଂ ପୋଙ୍ଗଲ ଆଦି ମଧ୍ୟ ଏହି ସ୍ୱତନ୍ତ୍ର ଡାକଟିକେଟରେ ସ୍ଥାନ ପାଇଛି । ଗୋଲକୁଣ୍ଡା ଦୁର୍ଗ ନିର୍ମାଣ ଏବଂ କୁତୁବ ଶାହି ରାଜବଂଶ ପ୍ରତିଷ୍ଠାର ୫୦୦ ତମ ବାର୍ଷିକୀ ପାଳନର ଦୁଇ ମାସ ଅବ୍ୟବହିତ ପୂର୍ବରୁ ସହରର ଏହି ଦିବ୍ୟ ଭୋଜନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି। କୁତୁବ ଶାହି ଏବଂ ଅସଫ ଜାହିଙ୍କ ରାଜକୀୟ ରୋଷଶାଳାରେ ବିରିୟାନି ବିକଶିତ ହୋଇଥିଲା।

ପାରସ୍ୟ ଭାଷାରେ ବିରିୟାନିର ଅର୍ଥ ହେଉଛି ଭଜା ପିଆଜ। ବିରିୟାନି ତିଆରି ସମ୍ବନ୍ଧରେ ଅନେକ ଲୋକକଥା ଶୁଣିବାକୁ ମିଳେ। ସମ୍ରାଟ ବାବର ଉତ୍ତର ଭାରତକୁ ବିରିୟାନି ଆଣିଥିବା କଥା କୁହାଯାଏ। ଇରାନୀୟ ବଂଶଜ କୁତୁବ ଶାହି ଦକ୍ଷିଣରେ କେତେ ଗୁଡ଼ିଏ ପାରସ୍ୟ ଏବଂ ତୁର୍କୀୟ ଆହାର ପ୍ରଚଳ କରାଇଥିଲେ। ମୋଗଲମାନଙ୍କ ଦ୍ୱାରା ପ୍ରଭାବିତ ଅସଫ ଜାହିମାନେ ହାଇଦ୍ରାବାଦୀ ବ୍ୟଞ୍ଜନରେ ଅଧିକ କିସମର ବ୍ୟଞ୍ଜନ ସାମିଲ କରିଥିଲେ ବୋଲି ହାଇଦ୍ରାବାଦ ଆହାର ଉପରେ ଗବେଷଣା କରୁଥିବା ସହରର ଐତିହାସିକ ଡକ୍ଟର ମହମ୍ମଦ ସୈଫୁଲ୍ଲା କହନ୍ତି।

ସୁଫି ସନ୍ଥମାନେ ମଧ୍ୟ ହାଇଦ୍ରାବାଦ ବ୍ୟଞ୍ଜନକୁ ସମୃଦ୍ଧ କରିଥିଲେ। ସୁଫି ସନ୍ଥଙ୍କର ଖାନକାମାନେ ସେମାନଙ୍କର ନିଜ ଭୋଜନ ନେଇ ଆସିଥିଲେ। ଭୋଜନ ପ୍ରସ୍ତୁତି ପ୍ରଣାଳୀରେ ପାରସ୍ପରିକ ଅଦଳ ବଦଳ କରାଯିବା ଦ୍ୱାରା ବହୁ ନୂଆ ବ୍ୟଞ୍ଜନର ସୃଷ୍ଟି ହୋଇଛି । ଯଦିବା ହାଇଦ୍ରାବାଦୀ ବିରିୟାନି ପାରସ୍ୟର ସୃଷ୍ଟି, ଏଥିରେ ସ୍ଥାନୀୟ ମସଲା ସାମିଲ କରାଯାଇ ସ୍ଥାନୀୟ ଅଞ୍ଚଳର କରାଯାଇଛି।ହାଇଦ୍ରାବାଦ ରାଜକୀୟ ରୋଶଷାଳାର ଅନ୍ୟ ଏକ ପ୍ରମୁଖ ଖାଦ୍ୟ ହେଉଛି ବଗାରେ ବୈଗନ। ବାଇଗଣ ଭାରତୀୟ ପରିବା ହୋଇଥିବାରୁ ସର୍ବଦା ଭାରତୀୟ ବ୍ୟଞ୍ଜନରେ ସ୍ଥାନିତ ହୋଇଥାଏ। ପରେ ବିଦେଶରୁ ବିଲାତି ବାଇଗଣ ଆସି ଆନ୍ଧ୍ର ପଲଉର ଏକ ମୁଖ୍ୟ ସାମଗ୍ରୀ ହୋଇ ପାରିଛି। କୁତୁବ ଶାହୀମାନେ ଦକ୍ଷିଣ ଭାରତରେ ସେବିୟାନ ପ୍ରଚଳନ କରାଇଥିଲେ।

କିଛିଦିନ ତଳେ ଓଡିଶାବିକାଶରେ ପ୍ରମୁଖ ଭୂମିକା ନିଭାଇଥିବା ହୀରକୁଦ ନାଁରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଥିଲା । ଆଉ ଏକ ସମ୍ମାନମିଳିଥିଲା ଏହି ପୁରୁଣା ଡ୍ୟାମକୁ । ନିର୍ମାଣର ୬୦ ବର୍ଷ ପୂର୍ତ୍ତି ଅବସରରେ ହୀରାକୁଦ ବନ୍ଧକୁ ଡାକ ଲଫାପାରେ ସ୍ଥାନିତ କରାଯାଇଥିଲା । ମହାନଦୀରେ ବନ୍ୟା ରୋକିବା ଉଦ୍ଦେଶ୍ୟରେ ବିଶିଷ୍ଟ ବନ୍ଧର ନିର୍ମାଣ କାର୍ଯ୍ୟ ୧୯୪୮ରେ ଆରମ୍ଭ ହୋଇଥିଲା । ବିଧିବଦ୍ଧ ଭାବେ ୧୯୫୭ରେ ଏହାର ଉଦଘାଟନ କରାଯାଇଥିଲା । ପରେ ଏହି ଡ୍ୟାମ ଓଡିଶାବାସୀଙ୍କ ଲାଇଫଲାଇନ ପାଲଟିଯାଇଥିଲା । ଓଡିଶାବାସୀଙ୍କ ଭାଗ୍ୟକୁ ବଦଳାଇବାରେ ବଡ ଅବଦାନ ରଖିଲା ହୀରାକୁଦ ଡ୍ୟାମ । ଆଜିର ଦିନରେ କୃଷ. ବିଦ୍ୟୁତ ଶକ୍ତି ଉତ୍ପାଦନକରିବା ସହ ଅନେକ ଲୋକଙ୍କ ଜୀବନଜୀବିକାର ମାଧ୍ୟମ ପାଲଟିଛି । ଭାରତର ଖାଦ୍ୟ ହେଉ ଅବା ଐତିହ୍ୟକୁ ଡାକ ଟିକେଟରେ ସ୍ଥାନ ପାଇବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।