ପାରାଦ୍ୱୀପରେ ବାର୍ଡ ଫ୍ଲୁ ଭୟ : ବିଭିନ୍ନ ନାମୀଦାମୀ ହୋଟେଲରେ ପୌର ପରିଷଦ ଓ ମେଡିକାଲ ଟିମ ପକ୍ଷରୁ ଚଢାଉ

39

କନକ ବ୍ୟୁରୋ : ବନ୍ଦରନଗରୀ ପାରାଦ୍ୱୀପରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି । ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୂପ ବିଭିନ୍ନ ସ୍ଥାନରେ କୁକୁଡା ମରା ଅଭିଯାନ ଚାଲିଛି । ନୂଆବଜାର ଓ ସଂଜୟ ଗାନ୍ଧୀ ବସ୍ତିରେ ଚାଲିଛି କୁକୁଡା ମରା ଅଭିଯାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ୮ଟି ଟିମ ନିୟୋଜିତ କରାଯାଇଛି । ବିଭିନ୍ନ ନାମୀଦାମୀ ହୋଟେଲରେ ଚଢାଉ କରି କୁକୁଡା ଓ ଅଣ୍ଡା ଜବତ କରାଯାଉଛି । ପାରାଦୀପ ପୌରପରିଷଦ ଓ ମେଡିକାଲ ଟିମ ପକ୍ଷରୁ ମିଳିତ ଚଢାଉ କରାଯାଇଛି ।

ଗତକାଲି ସନ୍ଧ୍ୟାରେ ୩ ଜଣିଆ କେନ୍ଦ୍ରୀୟ ଟିମ୍ ପାରାଦ୍ୱୀପରେ ପଂହଚି ପ୍ରଭାବିତ ଷଣ୍ଢକୁଦ ଅଂଚଳ ପରିଦର୍ଶନ କରିଛନ୍ତି । ପ୍ରଶାସନର ବୈଠକ ବସି ପ୍ରତିଷେଧକମୂଳକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି । ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି । ୨ ଦିନରେ ପାରାଦ୍ୱୀପ ଅଂଚଳରେ ୮ଶହରୁ ଅଧିକ କୁକୁଡାଙ୍କୁ ମରାଯାଇଥିବା ପ୍ରଶାସନ ଦାବି କରିଛି ।

କୁକୁଡା, ବତକ ଓ ଅଣ୍ଡା ନଖାଇବାକୁ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସୂଚନା ଦେଇଛି । ଏହା ଛଡା ତିନି ମାସ ପାଇଁ ପାରାଦୀପକୁ କୁକୁଡା ଓ ବତକ ଯୋଗାଣ ବନ୍ଦ କରାଯିବା ନେଇ ନିଷ୍ପତି ହୋଇଛି । ବିଦେଶାଗତ ପକ୍ଷୀଙ୍କ ଠାରୁ ଏହି ଭୂତାଣୁ ସ୍ଥାନୀୟ ଅଂଚଳରେ ସଂକ୍ରମଣ ହୋଇଥିବା କୁହାଯାଉଛି । ସଂକ୍ରମଣ ଅଂଚଳର ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କୁକୁଡା, ବତକ, ମାଂସ ଓ ଅଣ୍ଡା ବିକ୍ରି କରିବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ପାରାଦୀପରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ କେନ୍ଦ୍ରାପଡାର ମହାକାଳପଡା ଅଂଚଳରେ ମଧ୍ୟ ଏହି ସନ୍ଦେହ ଦେଖାଦେଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ଥାନରୁ କୁକୁଡାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।