ପୁରୀରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ନଳବଣ ଉପରେ ନଜର ! ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା ।

89

କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକରେ ଚାଲିଛି କୁକୁଡ଼ା ମରା ଅଭିଯାନ । ମୃତ କୁକୁଡ଼ାକୁ ଗାତ ଖୋଳି ଚୂନ, ବ୍ଲିଚିଂ ପାଉଡର ଓ ଫିନାଇଲ ଦେଇ ପୋତାଯାଉଛି । ସେପଟେ ଆଜି ପାରାଦୀପର ବିଭିନ୍ନ ସ୍ଥାନରେ କାଉ ଏବଂ ସତ୍ୟବାଦୀରେ ବଗ ମରିପଡିଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଚିଲିକାରେ ବାର୍ଡ ଫ୍ଲୁକୁ ନେଇ ଡର ବଢିବାରେ ଲାଗିଛି । ଯାହାକୁ ନେଇ ଚିଲିକାରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ।

ଗୋଟିଏ ପଟେ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଜମିଲାଣି, ଅନ୍ୟ ପଟେ ବାର୍ଡ ଫ୍ଲୁ ଡର । ପୁରୀ କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଚିଲିକାରେ ସ୍ଥିତି ପରଖିଛି କନକ ନ୍ୟୁଜ । ବାର୍ଡ ଫ୍ଲୁ  ଭୟ ବଢ଼ୁଥିବା ବେଳେ ନଳବଣ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଜାରି କରାଯାଇଛି କଟକଣା । ବିଦେଶାଗତ ପକ୍ଷୀଙ୍କର  ମୃତଦେହ କାଳେ କେଉଁଠି ପଡିଥିବ ସେନେଇ ବୋଟରେ ୧୬ଟି ପ୍ରୋଟେକ୍ସନ ଟିମ ବୁଲିି ଦେଖୁଛନ୍ତି । ନଳବଣ ଭିତରକୁ ଯାଉଥିବା ଟିମ ମାକ୍ସ ପିନ୍ଧି ଯାଉଛନ୍ତି । ୨ରୁ ୪ଦିନ ତଳେ ଚିଲିକାରୁ ଏକ ବିଦେଶାଗତ ପକ୍ଷୀର ମୃତଦେହ ମିଳିଥିଲା । ସେଗୁଡ଼ିକର ମଧ୍ୟ ରକ୍ତ ନମୂନା ସଂଗ୍ରହ କରାଯାଇଛି ।

ଚିଲିକା ନଳବଣରେ  ୬ ଭେଟନାରୀ ଟିମ ପହଚିଂ ରକ୍ତ ନମୂନା ସଂଗ୍ରହ କରୁଛନ୍ତି । ଏହିସବୁ ନମୂନା ପରୀକ୍ଷା ପାଇଁ ପଠାଯିବ ।  ବାର୍ଡ ଫ୍ଲୁ କିପରି ଏହି ନ ବ୍ୟାପିବ ସେନେଇ ପଦକ୍ଷେପ ନେଉଛନ୍ତି କର୍ତୃପକ୍ଷ । ଚିଲିକା ଆଖପାଖ ଅଂଚଳରେ କଡା ନଜର  ରଖାଯାଇଛି । ପାରାଦୀପର ବିଭିନ୍ନ ସ୍ଥାନରେ କାଉ ମରି ପଡିଥିବା ଦେଖିବାକୁ ମିଳିଛି ।

ନେହେରୁ ବଙ୍ଗଳାସ୍ଥିତ ମାଛଧରା ବନ୍ଦର ପରିସର ମଧ୍ୟରେ ଗତ କିଛି ଦିନ ହେବ ପ୍ରାୟ ବହୁ ସଂଖ୍ୟାରେ କାଉ ମରିପଡୁଥିବାର ଦେଖିବାକୁ ମିଳିଛି । ଗତ ବର୍ଷ ଏହି ଅଂଚଳରେ ବାର୍ଡ ଫ୍ଲୁ ଦେଖା ଦେଇଥିବାରୁ ଲୋକଙ୍କ ମନରେ ଏହାକୁ ନେଇ ଭୟ ରହିଛି । ସେହିପରି ସତ୍ୟବାଦୀରେ ମଧ୍ୟ ବଗ ମରି ପଡ଼ିଥିବା ଖବର ଆସିଛି । ସେପଟେ କୃଷ୍ଣପ୍ରସାଦ ବ୍ଳକରେ ଗତକାଲିଠାରୁ ଆରମ୍ଭ ହୋଇଥିବା କୁକୁଡ଼ା ମରା ଅଭିଯାନ ଆଜି ବି ଜାରି ରହିଛି । ମୃତ କୁକୁଡ଼ାକୁ ଗାତ ଖୋଳି ଚୂନ, ବ୍ଲିଚିଂ ପାଉଡର ଓ ଫିନାଇଲ ଆଦି ପକାଇ ପୋତାଯାଉଛି ।