କୃଷ୍ଣପ୍ରସାଦ ପରେ ବିଭିନ୍ନ ସ୍ଥାନରୁ ଆସିଲା ପକ୍ଷୀ ମରିବା ଖବର ! ବାର୍ଡ ଫ୍ଲୁ ନେଇ ସାରା ରାଜ୍ୟରେ ଆତଙ୍କ

69

କନକ ବ୍ୟୁରୋ : ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଯେଉଁ ଅଂଚଳରେ ପକ୍ଷୀ ମରୁଥିବା ଖବର ଆସୁଛି ସେଠାରେ ଲୋକମାନେ ଆଶଙ୍କା ଭିତରେ ରହୁଛନ୍ତି । କୃଷ୍ଣପ୍ରସାଦ ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ପକ୍ଷୀ ମରିବା ଖବର ସାମନାକୁ ଆସିବାରେ ଲାଗିଛି । ସେପଟେ ବାର୍ଡ-ଫ୍ଲୁର ମୁକାବିଲା ପାଇଁ ସରକାର କସରତ ଆରମ୍ଭ କରିଛନ୍ତି । ଗତକାଲି ପୁରୀ ଜିଲ୍ଲାର ସିଡିଭିଓଙ୍କ ନେତୃତ୍ୱରେ ୪୦ଜଣିଆ ଟିମ୍ କୃଷ୍ଣପ୍ରସାଦ ବାର୍ଡଫ୍ଲୁ ପ୍ରଭାବିତ ଅଂଚଳକୁ ଯାଇଥିଲେ ।

ପ୍ରଥମ ଦିନରେ ପ୍ରଭାବିତ ସ୍ଥାନଠାରୁ ୧କିମି ମଧ୍ୟରେ ୩୯୯ଟି କୁକୁଡା ମରାଯାଇଥିବା ଜଣାପଡିଛି । ସେହିପରି ୧୦କିମି ମଧ୍ୟରେ ଥିବା ବତକ ଓ ଅନ୍ୟ ଘରୋଇ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଛି । ଆଜି ମଧ୍ୟ ଏହିସବୁ ଅଂଚଳରୁ ନମୁନା ସଂଗ୍ରହ ଅଭିଯାନ ଜାରି ରହିବ ବୋଲି ଜଣାପଡିଛି । ସେପଟେ ଚିଲିକା ଉପକୂଳବର୍ତ୍ତିଅଂଚଳ ଓ ଗଞ୍ଜାମ ଜିଲ୍ଳାର ଦୁଇଟି ବ୍ଲକରେ ହାଇ ଆଲର୍ଟ କରାଯାଇଛି ।