ଆଜି ନନ୍ଦନକାନନରେ ପକ୍ଷୀ ଗଣନା ! କାଲି ଚିଲିକା, ୬ରେ ଭିତରକନିକା ଓ ହୀରାକୁଦରେ ଗଣାହେବେ ପକ୍ଷୀ ।

458

ଓଡ଼ିଶାରେ ବିଦେଶୀ ପକ୍ଷୀ । ଚିଲିକାରୁ ଆରମ୍ଭ କରି ଭିତରକନିକା ପର୍ଯ୍ୟନ୍ତ ଏବେ ସବୁଠି ଅତିଥି ପକ୍ଷୀଙ୍କ ଭିଡ଼ ଜମିଥିବାରୁ ଗୁରୁବାରଠାରୁ ବନ୍ୟପ୍ରାଣୀ ଡିଭିଜନ ଗୁଡ଼ିକରେ ପକ୍ଷୀ ଗଣନା ଆରମ୍ଭ ହେବ। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ପକ୍ଷୀ ବିଶେଷଜ୍ଞଙ୍କ ସମେତ ବନ ବିଭାଗ ଅଧିକାରୀମାନେ ଏଥିରେ ସାମିଲ ହୋଇଛନ୍ତି। ସେମାନେ ସକାଳୁ ସନ୍ଧ୍ୟା ମଧ୍ୟରେ ପକ୍ଷୀ ଗଣନା କରି ରିପୋର୍ଟ ଦାଖଲ କରିବେ। ଗଣନା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା କ୍ୟାମ୍ପ କରାଯାଇଥିବା ପିସିସିଏଫ୍(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ କହିଛନ୍ତି ।

ଜାନୁଆରି ୩ ଅର୍ଥାତ୍ ଗୁରୁବାର ନନ୍ଦନକାନନ ସମେତ ଅନ୍ୟାନ୍ୟ ଡିଭିଜନ୍ଗୁଡ଼ିକରେ ପକ୍ଷୀ ଗଣନା ହେବ। ୪ ତାରିଖରେ ଚିଲିକା, ୬ ତାରିଖରେ ଭିତରକନିକା ଓ ହୀରାକୁଦ, ୯ ତାରିଖରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପକ୍ଷୀ ଗଣନା କରାଯିବ। ଭୋର ୬ଟାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଶେଷ ହେବ। ଏହାପରେ ଡିଏଫଓମାନେ ବନ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବେ। ଚଳିତବର୍ଷ ଚିଲିକା ପକ୍ଷୀ ଗଣନା ଉପରେ ସମସ୍ତଙ୍କ ନଜର ରହିଛି। ଗତବର୍ଷ ପାଗ ଅନୁକୂଳ ଥିବାରୁ ଚିଲିକାରେ ଅତିଥି ପକ୍ଷୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଫଳପ୍ରଦ ହୋଇ ନଥିଲା।

୨୦୧୭ ଗଣନା ବେଳେ ୯ ଲକ୍ଷ ୩୭ ହଜାର ୪୨୦ ପକ୍ଷୀ ଆସିଥିବା ବେଳେ ୨୦୧୮ରେ ୯୭ ପ୍ରଜାତିର ୮ ଲକ୍ଷ ୯୩ ହଜାର ୩୯୦ ପକ୍ଷୀ ଆସିଥିଲେ। ଏଥର ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଚିଲିକାର ପାରିକୁଦ, ନଳବଣ, ବାଲୁଗାଁ, ସାତପଡ଼ା, ଟାଙ୍ଗୀ ଆଦି ଅଞ୍ଚଳ ଏଥର ନଜରରେ ରହିଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ୧୫ ଦିନ ପୂର୍ବରୁ ଚିଲିକା ଚାରିପାଖରେ ଯନ୍ତ୍ରଚାଳିତ ଡଙ୍ଗାକୁ ନିଷିଦ୍ଧ କରାଯାଇଛି। ପକ୍ଷୀ ଗଣନା କାର୍ଯ୍ୟରେ ୩୫ଟି ଟିମ୍ ସାମିଲ ହେବେ। ପ୍ରତି ଟିମକୁ ୱାକିଟକି, ବାଇନାକୁଲାର, ଜିପିଏସ୍ ସ୍କେଲ୍, ଡିଏଚଏଫ୍ ଆଦି ସାମଗ୍ରୀ ଯୋଗାଇ ଦିଆଯାଇଛି। ୫ଟି ବୋଟ୍କୁ ପ୍ରସ୍ତୁତ କରି ରଖାଯାଇଛି।

ଅନ୍ୟପକ୍ଷରେ ଭିତରକନିକାରେ ଗତବର୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ବଢ଼ିଥିଲା। ଏଥର ମଧ୍ୟ ସମାନ ସ୍ଥିତି ରହିବ ବୋଲି ଆକଳନ କରାଯାଇଛି। ୨୦୧୭ରେ ଏଠାକୁ ୭୬,୨୬୮ ବିଦେଶୀ ପକ୍ଷୀ ଆସିଥିବା ବେଳେ ୨୦୧୮ରେ ୧ ଲକ୍ଷ ୧୨ ହଜାର ୯୩୭କୁ ବୃଦ୍ଧିପାଇଥିଲେ। ହୀରାକୁଦକୁ ବି ଗତବର୍ଷ ପକ୍ଷୀଙ୍କ ଆଗମନ ବଢ଼ିଥିବାରୁ ଏଥର ମଧ୍ୟ ପୁନରାବୃତ୍ତି ହେବ ବୋଲି ଆଶା କରାଯାଇଛି।

ସେପଟେ ଜାନୁଆରି ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କୁମ୍ଭୀର ଗଣନା ହେବ। ୨୦୧୭ରେ ଭିତରକନିକାରେ ୧୬୮୨ କୁମ୍ଭୀର ଥିବାବେଳେ ୨୦୧୭-୧୮ରେ ଏହି ସଂଖ୍ୟା ୧୬୯୮କୁ ବୃଦ୍ଧି ପାଇଥିଲା। ଏଥର ୧୭୦୦ ଟପିବ ବୋଲି ଅନୁମାନ କରାଯାଉଛି। ଜାନୁଆରି ୧୯ରେ ଡଲଫିନ୍ ଗଣନା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।