ଆଜିଠୁ ରାଜ୍ୟରେ ପକ୍ଷୀ ଗଣନା : ଚାଲିଛି ପକ୍ଷୀଙ୍କ ସଂଖ୍ୟାର ହିସାବ୍ । ପୁରୀର ୫ଟି ଜୋନରେ ଚାଲିଛି ଗଣନା

93

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ଆରମ୍ଭ ହୋଇଛି ପକ୍ଷୀଗଣନା କାର୍ଯ୍ୟକ୍ରମ । ଏଥିପାଇଁ ୫ଟି ଜୋନକୁ ଚିହ୍ନଟ କରାଯାଇଥିବା ବେଳେ ଆଜି ସକାଳୁ ବ୍ରହ୍ମଗିରି ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ୨୬ଟି ଟିମ୍ ଗଠନ କରାଯାଇଥିବା ବନବିଭାଗ ସୂଚନା ଦେଇଛି ।

ପାଣି କାଟି ଆଗକୁ ମାଡ଼ିଚାଲିଛି ବୋଟ୍ ଆଉ ଏପଟେ ଚାଲିଛି ଚଢ଼େଇଙ୍କ ସଂଖ୍ୟା ଗଣତି । ପୁରୀ ଜିଲ୍ଲାରେ କେତେ ପକ୍ଷୀ ଅଛନ୍ତି, ଜିଲ୍ଳାର ନଦୀନାଳ, ହ୍ରଦପୋଖରୀ ଡେଇଁ ହିସାବ କରୁଛି ବନବିଭାଗ । ଚିଲିକା ଉପକୂଳବର୍ତ୍ତୀ ଇଲାକା ପକ୍ଷୀଙ୍କ କିଚିରିମିଚିରିରେ ମନଲୋଭା ଦୃଶ୍ୟ ସୃଷ୍ଟି କରୁଛି । ସେପଟେ ପକ୍ଷୀ ଗଣନା କାମରେ ବ୍ୟସ୍ତ ବନବିଭାଗ କର୍ମଚାରୀ । ବ୍ରହ୍ମଗିରି ରେଂଜର ୩ଟି ଜୋନରେ ଏହି କାର୍ଯ୍ୟକ୍ରମ ଚାଲିଛି । ସେପଟେ ଅସ୍ତରଙ୍ଗରେ ମଧ୍ୟ ବନବିଭାଗର ଚାଲିଛି ପକ୍ଷୀଙ୍କ ସଂଖ୍ୟା ଗଣତି ।

ପକ୍ଷୀଗଣନାର ପୁରା କାହାଣୀ

– ଗତବର୍ଷ ୫୪ହଜାର ୫ଶହ ୩୦ଟି ପକ୍ଷୀଗଣନା ହେବା ସହ ୨୬ଟି ପ୍ରଜାତିର ପକ୍ଷୀଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ସଂଖ୍ୟାବୃଦ୍ଧି ହେବା ଅନୁମାନ କରାଯାଉଛି ।
– ଚଳିତ ପକ୍ଷୀଗଣନା କାର୍ଯ୍ୟକ୍ରମରେ ୩ଜଣ ବନ୍ୟପ୍ରାଣୀ ସଂରକ୍ଷକ, ୫ଜଣ ରେଂଜର, ୫ଜଣ ପକ୍ଷୀ ବିଶେଷଜ୍ଞଙ୍କ ସମେତ ୭୦ଜଣ କର୍ମଚାରୀ ସାମିଲ୍ ହୋଇଛନ୍ତି ।
– ବ୍ରହ୍ମଗିରି ଢ଼ାବା ଛକରୁ ତଳମାଳ ପର୍ଯ୍ୟନ୍ତ ଗୋଟିଏ, ସୁନାମୁହିଁଠାରୁ ବାରପଣିଆ ଛକ ଯାଏଁ ଗୋଟିଏ ଓ କପିଳେଶ୍ୱରପୁରରୁ ରାହଡ଼ମଲ୍ଲ ପର୍ଯ୍ୟନ୍ତ ଗୋଟିଏ ଟିମ୍ ଗଣନା କରୁଛନ୍ତି ।

ସବୁଜ ସୁନ୍ଦର ଅସ୍ତରଙ୍ଗ । ଏଠାରେ ମାଇଲ୍ ମାଇଲ୍ ବ୍ୟାପିଛି ସମୁଦ୍ର । ପୁଣି ମୁହାଣର ବି ପ୍ରାକୃତିକ ଶୋଭା କଥାରେ ପ୍ରକାଶ କଲା ଭଳି ନୁହେଁ । ଏଭଳି ସ୍ଥିତି ପକ୍ଷୀଙ୍କୁ ବେଶ ସୁହାଇଥିବା ବେଳେ ସେମାନଙ୍କୁ ଦେଇଛି ନିରାପଦ ଆଶ୍ରୟ । ଆଉ ଅସ୍ତରଙ୍ଗ ପାଲଟିଛି ଚଢ଼େଇଙ୍କ ପାଇଁ ଭୂସ୍ୱର୍ଗ । ଚଳିତବର୍ଷ ଶୀତ ପ୍ରବାହ ଜାରି ରହିଥିବାରୁ ଚଢ଼େଇ ଖରାକୁ ଆସିବା କାରଣରୁ ସହଜ ହେଉଛି ପକ୍ଷୀ ଗଣନା ।

ପକ୍ଷୀଙ୍କ କଳରବରେ ଏବେ ମୁଖରିତ ହେଉଛି ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳ । ସେପଟେ ବିଶେଷଜ୍ଞ ଦଳଙ୍କୁ ନେଇ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ଲାଗିପଡ଼ିଛନ୍ତି ପୁରୀ ବନ ବିଭାଗର କର୍ମଚାରୀ ।