ଦକ୍ଷିଣ ଆଫ୍ରିକା ଟୁରରେ ଟିମ ଇଣ୍ଡିଆ । ବିରାଟଙ୍କ ସହ ଗଲେ ଅନୁଷ୍କା । କ୍ୟାପଟେନ କୋହଲି କହିଲେ, ଭଲ କରିବ ଭାରତ,ରକ୍ତରେ ରହିଛି କ୍ରିକେଟ

69

 କନକ ବ୍ୟୁରୋ : ଅଭିନେତ୍ରୀ ଅନୁଷ୍କାଙ୍କୁ ବିବାହ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅନ୍ୟ ଟିମ ସଦସ୍ୟଙ୍କ ପରି ତାଙ୍କ ରକ୍ତରେ ବି ରହିଛି କ୍ରିକେଟ । ତେଣୁ ଗତ କିଛି ଦିନର ବିରତି ପରେ ଏହି ପ୍ରତ୍ୟାବର୍ତନ ତାଙ୍କ ପାଇଁ କଷ୍ଟକର ନୁହେଁ ବୋଲି ସେ କହିଛନ୍ତି ।

ଏହା ସହ ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ କିଛି ଦିନ ହେଲା ସେ କ୍ରିକେଟରୁ ଦୂରେଇ ରହିଥିଲେ ଏବଂ ପ୍ରତ୍ୟେକଙ୍କ ଜୀବନରେ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କହିଛନ୍ତି ବିରାଟ । ଡିସେମ୍ବର ୧୧ ତାରିଖରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ବିବାହ କରିଛନ୍ତି । ତେଣୁ କୋହଲି ଶ୍ରୀଲଙ୍କା ବିରୋଧରେ ଖେଳାଯାଇଥିବା ଦିନିକିଆ ଓ ଟି-ଟ୍ୱେଂଟି ସିରିଜ୍ରୁ ବାହାରେ ରହିଥିଲେ । ତେବେ ଆଗକୁ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯିବାକୁ ଥିବା ୬ଟିକିଆ ଦିନିକିଆ ସିରିଜ୍ ପାଇଁ ସେ ଅଧିନାୟକ ଭାବେ ପୁଣି ମଇଦାନକୁ ଓହ୍ଲାଇବେ ।

ଏହା ସହ ଦକ୍ଷିଣ ଆଫ୍ରିକାରେ ଦଳର ପ୍ରଦର୍ଶନ ନେଇ କାହାକୁ ଆମର ପ୍ରମାଣ ଦେବାର ନାହିଁ ବୋଲି ରୋକଠୋକ୍ କହିଛନ୍ତି ବିରାଟ । ତେବେ ଏହାରି ଭିତରେ ସେ ୪୮ ପଏଂଟ ହରାଇ ଆଇସିସି ଟି-ଟ୍ୱେଂଟି ର୍ୟାଙ୍କିଂର ତୃତୀୟ ସ୍ଥାନକୁ ଖସିଆସିଛନ୍ତି । ଅନ୍ୟପଟେ ଟିମ୍ ଇଣ୍ଡିଆ ୩-୦ରେ ଶ୍ରୀଲଙ୍କା ବିରୋଧରେ ଟି-୨୦ ସିରିଜ୍ ଜିତିବା ସହ ୨ଟି ପାହ୍ୟା ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଂଚିଛି ।