୨୩ ଜାନୁଆରୀ ୧୮୦୯ ମସିହା ଖିଣ୍ଡା ଗ୍ରାମରେ ଜନ୍ମିତ ବୀର ସୁରେନ୍ଦ୍ର ସାଏ ମାତ୍ର ୧୮ ବର୍ଷ ବୟସରେ ମା ମାଟି ପାଇଁ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୮୨୭ ରୁ ୧୮୪୦ ଓ ଦ୍ୱିତୀୟ ପର୍ୟ୍ୟାୟ ୧୮୫୭ ରୁ ୧୮୬୪ ପର୍ଯ୍ୟନ୍ତ ଦୀର୍ଘ କୋଡ଼ିଏ ବର୍ଷର ସଶସ୍ତ୍ର ସଂଗ୍ରାମ ବ୍ରିଟିସ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ତେବେ,୧୮୪୦ ରୁ ୧୮୫୭ ପର୍ୟ୍ୟନ୍ତ ହଜାରିବାଗ୍ ଜେଲ୍ରେ ୧୭ ବର୍ଷ ଓ ଦ୍ୱିତୀୟ ଥର ୧୮୬୪ ରୁ ୧୮୮୪ ଫେବ୍ରୁଆରି ୨୮ ମୃତ୍ୟୁ ପର୍ଯ୍ୟନ୍ତ ଅସୁରଗଡ଼ ଜେଲରେ ୨୦ ବର୍ଷ ଏହିପରି ମୋଟ ୩୭ ବର୍ଷ ବନ୍ଦୀ ରହି ସୁରେନ୍ଦ୍ର ସାଏ ଅକଥନୀୟ ଯନ୍ତ୍ରଣା ଭୋଗିଥିଲେ। ତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ନେତୃତ୍ୱରେ ସମ୍ବଲପୁରରେ ବ୍ରିଟିସ ବିରୋଧୀ ଲଢ଼େଇ ଭାରତୀୟ ସଶସ୍ତ୍ର ସଂଗ୍ରାମର ଦେଶ ମାତୃକାର ଏକ ଅନନ୍ୟ ଜ୍ୱଳନ୍ତ ଉଦାହରଣ।

 

 ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କୁ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀରତନ କୁମାରୀ ଇଂରେଜମାନଙ୍କ ସହାୟତା ଲୋଡ଼ିଥିଲେ। ୧୮୦୪ ମସିହାରେ ଲେଫ୍ଟନେଣ୍ଟ ବ୍ରାଉଟନ୍ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ। ମରହଟ୍ଟା ସାମ୍ରାଜ୍ୟର ପତନ ପରେ ସମ୍ବଲପୁର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲି ଆସିଥିଲା କେହି ଉତ୍ତରାଧିକାରୀ ନଥିବାରୁ ମହାରାଜ ସାଏଙ୍କ ବିୟୋଗ ପରେ ଇଂରେଜମାନେ ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ସିଂହାସନରେ ବସାଇଥିଲେ। ସିଂହାସନରେ ନିଜ ଦାବି ହାସଲ ପାଇଁ ଆଗଭର ହେଇଥିବା ରାଜବଂଶର ଦାୟାଦଙ୍କ ମଧ୍ୟରେ ସୁରେନ୍ଦ୍ର ଥିଲେ ପ୍ରମୁଖ । ଜମିଦାରମାନେ ସେମାନଙ୍କ ପ୍ରତି ସହାୟତା ପାଇଁ ଆଗେଇ ଆସିଥିଲେ । ୧୮୪୦ରେ ସମ୍ବଲପୁର ଦେହୁରୀପାଲିରେ ସୁରେନ୍ଦ୍ର, ତାଙ୍କ କାବା ବଳରାମ ଓ ଭାଇ ଉଦନ୍ତଙ୍କୁ ଇଂରେଜମାନେ ବନ୍ଦୀ କରିନେଇଥିଲେ। ସୁରେନ୍ଦ୍ରଙ୍କୁ ପାଞ୍ଚ ବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରିବାଗ ଜେଲରେ ରଖାଯାଇଥିଲା । ସୁରେନ୍ଦ୍ରଙ୍କ ଦ୍ୱିତୀୟ ପର୍ଯ୍ୟାୟର ଲଢ଼େଇ ଥିଲା ଅତ୍ୟନ୍ତ ସୁସଂଗଠିତ ଯାହାକି ମହାସଂଗ୍ରାମର ରୂପ ନେଇଥିଲା। ୧୮୫୭ ଜୁଲାଇ ୩୦ ତାରିଖ ବିଦ୍ରୋହୀମାନେ ହଜାରୀବାଗ ଜେଲ ଭାଙ୍ଗି ଦେବାର ସୁଯୋଗ ନେଇ ଅନ୍ୟ ବନ୍ଦୀଙ୍କ ସହ ବୀର ସୁରେନ୍ଦ୍ର ସାଏ ପଳାୟନ କରି ଅକ୍ଟୋବର ୭ ତାରିଖ ସମ୍ବଲପୁରରେ ପହଞ୍ଚିଲେ। ବିଦ୍ରୋହ ମହାସଂଗ୍ରାମରେ ପରିଣତ ହେବା ପାଇଁ ସତେ ଯେମିତି ସୁରେନ୍ଦ୍ରଙ୍କୁ ଅପେକ୍ଷା କରିଥିଲା ସମୟ। ବ୍ରିଟିଶ ସରକାର ତାଙ୍କୁ ବିଦ୍ରୋହୀ ବୋଲି ଘୋଷଣା କଲେ। ବ୍ରଟିସ ମାନଙ୍କ ଅଭିପ୍ରାୟ ବୁଝିପାରି ଅକ୍ଟୋବର ୩୧ ତାରିଖ ସୁରେନ୍ଦ୍ର ଖିଣ୍ଡା ଅଭିମୁଖେ ଯାଉଥିଲେ। ବାଟରେ ଝରଘାଟି ଠାରେ ରକ୍ତାକ୍ତ ଯୁଦ୍ଧ ହେଲା। ବ୍ରିଟିସ ସୈନ୍ୟଙ୍କ ସଂଖ୍ୟାରେ ଅଧିକ ତଥା ଆଧୁନିକ ଅସ୍ତ୍ର ଶସ୍ତ୍ରକୁ ସାମ୍ନା କରିବା ଅସମ୍ଭବ ଜାଣିପାରି ଲୁଚିଛପି ଗରିଲା ଯୁଦ୍ଧ ଆରମ୍ଭ କଲେ।

ସୁରେନ୍ଦ୍ରଙ୍କ ମୁକ୍ତିର ଅବଧି ସରିବା ପରେ ମଧ୍ୟ ତାଙ୍କୁ ମୁକ୍ତ କରାଗଲା ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ଅସୁରଗଡ଼ ଜେଲରେ ତାଙ୍କୁ ବନ୍ଦୀ କରି ରଖାଗଲା। ସେଠାରେ ତାଙ୍କୁ ଦୀର୍ଘ ୨୦ ବର୍ଷ କାଳ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ରଖାଯାଇଥିଲା। ୧୮୮୪ ଫେବ୍ରୁଆରି ୨୪ ତାରିଖରେ ଅସୁରଗଡ଼ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଦୀପ ଲିଭି ଯାଇଥିଲା।

ସୁରେନ୍ଦ୍ରଙ୍କ ଋଣ କୈାଶଳ

ଇଂରେଜମାନଙ୍କୁ ତୁଳନାରେ ସୁରେନ୍ଦ୍ରଙ୍କ ସୈନ୍ୟ ଥିଲେ ବହୁତ୍ କମ୍ । ସମ୍ମୁଖ ଯୁଦ୍ଧ ବଦଳରେ ସୁରେନ୍ଦ୍ର ଇଂରେଜମାନଙ୍କ ସହ ମୁକାବିଲା ପାଇଁ ଆପଣେଇଥିଲେ ଗରିଲା ରଣନୀତି। ବାଛି ନେଇଥିଲେ ଘଞ୍ଚ ବନାନୀ, ପାର୍ବତ୍ୟ ଦୁର୍ଗ, ଗିରିଶୃଙ୍ଗକୁ ସୁରକ୍ଷିତ ଆଶ୍ରୟସ୍ଥଳୀ। ଘଞ୍ଚ ଜଙ୍ଗଲର ବାଧା ପାଇଁ ଇଂରେଜ ବାହିନୀ ବିପ୍ଲବୀମାନଙ୍କ ନିକଟରେ ପହଂଚି ପାରୁନଥିଲା। ଇଂରେଜ ସେନାକୁ ସୁରେନ୍ଦ୍ରଙ୍କ ସେନା ଅତର୍କିତ ଆକ୍ରମଣ କରୁଥିଲେ। ପାହାଡ଼ ଉପରକୁ ପଥର ଖସାଇ ଦେଉଥିଲେ। ତାଲିମପ୍ରାପ୍ତ ଇଂରେଜ ସୈନ୍ୟମାନଙ୍କ ଯୁଦ୍ଧ କୌଶଳ କାମ ଦେଇନଥିଲା।

ମୁକ୍ତି ସଂଗ୍ରାମ

ସୁରେନ୍ଦ୍ରଙ୍କୁ ସମର୍ଥନ ଜଣାଇ ଏହି ମହାସଂଗ୍ରାମରେ ସାମିଲ ହେଲେ ଘେଁସର ମାଧୋ ସିଂହ, ଭେଡ଼େନର ମନୋହର ସିଂହ, ଖରସଲର ଦିଆଲ ସର୍ଦ୍ଦାର, ପାହାଡ଼ଶ୍ରୀଗିଡ଼ାର ଜନାର୍ଦ୍ଦନ ସିଂହ, ଲଖନପୁରର ବଳଭଦ୍ର ଦାଓ, କୋଲାବିରାର କରୁଣା ଗଡ଼ତିଆ, ପାଟକୁଲୁଣ୍ଡାର ପୀତାମ୍ବର ସିଂହ, ସୋହେଲାର ମୋହନ ସିଂହ, ମଲିଦା, ଲୋଇସିଂହା, ଖରମୁଣ୍ଡା, କୋଡ଼ାବଗା, ଲିମଧରର ଜମିଦାର ଆଉ ମୁଖଆମାନେ। ତେବେ, ଏହି ଜମିଦାର/ମୁଖିଆମାନେ ଆଦିବାସୀ (ଗଣ୍ଡ, ବଂଝାଲ, କନ୍ଧ ଓ ଚୁହାନ) ଥିବାରୁ ସାଧାରଣ ନିରକ୍ଷର ପ୍ରଜା ମଧ୍ୟ ଏହି ଯୁଦ୍ଧରେ ଝାସ ଦେଲେ। ରାୟପୁର-ବରଗଡ଼ ରାସ୍ତାର ସିଂଘୋଡ଼ା ଘାଟିରେ ବ୍ରିଟିସ ଯୋଗାଯୋଗ ବ୍ୟାହତ କରିବା ପାଇଁ ଏହି ଘାଟିର ଦାୟିତ୍ୱରେ ରହିଲେ ଜମିଦାର ମାଧୋ ସିଂହ। ଏହି ସଂଗ୍ରାମରେ ମାଧୋ ସିଂଙ୍କ ହଟ୍ଟେ ସିଂହ, କୁଂଜଲ ସିଂହ, ବୈରୀ ସିଂହ, ଐରୀ ସିଂହଙ୍କ ସହ ଜ୍ୱାଇଁ ନାରାୟଣ ସିଂହ, ନାତୁଣୀ ଜ୍ୱାଇଁ ଗୋବିନ୍ଦ ସିଂହ ସାମିଲ ହୋଇ ବଳିଦାନ କରିଥିଲେ। ନାଗପୁରର କେପଟେନ୍ ବ୍ରିଜ ସମ୍ବଲପୁର ଆସିବା ବେଳେ ସିଂଘୋଡ଼ା ଘାଟିରେ ଯୁଦ୍ଧ ହୋଇଥିଲା। କେପଟେନ ସେକ୍ସପିଅର ରାୟପୁରରୁ ଅଶ୍ୱାରୋହୀ ସୈନ୍ୟ ସହ ଆସିବା ସମୟରେ ତୁମୁଳ ଯୁଦ୍ଧ ହୋଇଥିଲା। ୧୧ ଜଣ ସଂଗ୍ରାମୀ ସହିଦ ହୋଇଥିଲେ। ୧୮୫୮ ଫେବ୍ରୁଆରି ୧୨ ତାରିଖରେ ପାହାଡ଼ଶ୍ରୀଗିଡ଼ାରେ ବ୍ରିଟିସ ସେନାଧ୍ୟକ୍ଷ ଉଡବ୍ରିଜ ହତ୍ୟା କରାଯାଇ ତାଙ୍କର ମୁଣ୍ଡ ବିହୀନ ଶରୀରକୁ ଗଛ ଡାଳରେ ଝୁଲାଇ ଦିଆଗଲା।

 

ଏହାପରେ ବ୍ରିଟିସ୍ ମାନେ ସଂଗ୍ରାମରେ ସାମିଲ ହୋଇଥିବା ଖରସଲ ଜମିଦାର ଦିଆଲ ସର୍ଦ୍ଦାର ଓ ପାହାଡ଼ଶ୍ରୀଗିଡ଼ା ଜମିଦାର ଜନାର୍ଦ୍ଦନ ସିଂହଙ୍କୁ ଫାଶୀ ଦେଇଥିଲେ। ମାଧୋ ସିଂହଙ୍କୁ ଡିସେମ୍ବର ୩୦ ତାରିଖ ଫାଶୀ ଦିଆଯାଇଥିଲା। କୁଂଜଲ ସିଂହ ଓ ତାଙ୍କ ସହଯୋଗୀଙ୍କୁ ସମ୍ବଲପୁର ଠାରେ ଫାଶୀ ଦିଆଗଲା। ବୈରୀ ସିଂହ ଆଜୀବନ କାରାଦଣ୍ଡ ଭୋଗିଲା ବେଳେ ବସନ୍ତରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ। ଐରୀ ସିଂହ ଏକ ଗୁଂଫାରେ ଆଶ୍ରୟ ନେଇଥିବାବେଳେ ସେଠାରେ ଅଗ୍ନି ସଂଯୋଗ କରି ଦିଆଯାଇଥିଲା। ହଟ୍ଟେ ସିଂହଙ୍କୁ କଳାପାଣି ଜେଲଦଣ୍ଡ ହୋଇଥିଲା। ବସେଇକେଲାରେ ବ୍ରିଟିସ ସୈନ୍ୟ ସହିତ ଘମାଘୋଟ ଲଢ଼େଇରେ ଭେଡ଼େନ ଜମିଦାର ମନୋହର ସିଂହ ସହିଦ ହୋଇଥିଲେ। ଲଖନପୁର ଜମିଦାର ବଳଭଦ୍ର ଦାଓ ଡେବ୍ରୀଗଡ଼ ଯୁଦ୍ଧରେ ପ୍ରାଣବଳି ଦେଇଥିଲେ। ତାଙ୍କ ପୁତ୍ର କମଳ ସିଂହ, ଖଗେଶ୍ୱର ସିଂହ ଅସୁରଗଡ଼ ଜେଲରେ ଅନ୍ତିମ ଜୀବନ କଟାଇଲେ। ସୁରେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ଦେଶମାତୃକାର ମୁକ୍ତି ପାଇଁ ହସି ହସି ଜୀବନ ଦେଇଥିଲେ।