ବୀରମିତ୍ରପୁର ବାଜି ! ବିଜେଡି-ବିଜେପିର ଅଭିଜ୍ଞ ପ୍ରାର୍ଥୀଙ୍କୁ ସାମ୍ନା କରିବେ ନବାଗତ ଜର୍ଜ ତିର୍କୀଙ୍କ ପୁଅ ରୋହିତ, ନିର୍ଣ୍ଣାୟକ ଭୂମିକା ନେଇପାରେ ଜେଏମଏମ ।

168

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବଳକାଥିବା ବିଧାନସଭା ଆସନର କାର୍ଡ ଖୋଲିଲେ ତିନି ଦଳ । ବିଜେଡି ତରଫରୁ ମାଖଲୁ ଏକ୍କା, ବିଜେପିର ଶଙ୍କର ଓରାମ ଓ କଂଗ୍ରେସ ତରଫରୁ ବିଧାକୟ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ୍ ତିର୍କୀଙ୍କୁ ଏହି ଆସନରେ ପ୍ରାର୍ଥୀ ଭାବେ ଓହ୍ଲାଇଛନ୍ତି । ସେପଟେ ଜେଏମଏମ ତରଫରୁ ସେବେ ଆଇନ୍ଦ ମଧ୍ୟ ତିନିଦଳକୁ ଟକ୍କର ଦେବା ପାଇଁ ସଜବାଜ ହେଉଛନ୍ତି । ତେବେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ଯାଉଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ଜିଲ୍ଲାର ବୀରମିତ୍ରପୁର ବିଧାନସଭା କ୍ଷେତ୍ରକୁ ଆରମ୍ଭ ହୋଇଛି ଶାସକ ଓ ବିରୋଧୀଙ୍କ ବଳ କଷାକଷି ।

ବୀରମିତ୍ରପୁରର ରାଜନୈତିକ ଇତିହାସକୁ ଅନୁଧ୍ୟାନ କରିଲେ ଜଣାପଡ଼େ ଯେ, ୧୯୯୦ ମସିହାରେ ଏହି ଆସନରୁ ଜନତା ଦଳର ସତ୍ୟ ନାରାୟଣ ପ୍ରଧାନ ବିଜୟୀ ହୋଇଥିଲେ । ଏହାପରେ ଏହି ନିର୍ବାଚନମଣ୍ଡଳୀ ଜେଏମଏମ୍ ଓ ଜର୍ଜ ତିର୍କୀଙ୍କ କବଜାରେ ରହିଛି । ହେଲେ ନିକଟରେ କଂଗ୍ରେସରେ ଯୋଗଦେଇଥିଲେ ଜର୍ଜ ତିର୍କୀ । ଏବଂ ତାଙ୍କୁ ଦଳ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଇଥିବାବେଳେ ତାଙ୍କ ପୁଅ ରୋହିତ ଜୋସେଫ୍ ତିର୍କୀଙ୍କୁ ବୀରମିତ୍ରପୁର ଭାର ଦେଇଛନ୍ତି । ତେବେ ରାଜନୀତି ଦୁନିଆରେ ନବାଗତ ଜର୍ଜଙ୍କ ପୁଅ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବବେଳେ ତାଙ୍କ ଉପରେ ସମସ୍ତଙ୍କ ନଜର । କାରଣ ବାପାଙ୍କ ଲବିରେ ପୁଅ କଂଗ୍ରେସ ଟିକେଟ୍ ପାଇଥିବା ଚର୍ଚ୍ଚା ହେଉଥିବାବେଳେ ସାମ୍ନାରେ ବିରୋଧୀ ଶିବିରରେ ଥିବା ଅଭିଜ୍ଞ ନେତାଙ୍କୁ ସେ କିଭଳି ମାତ୍ ଦେବେ ତାହାକୁ ନେଇ ବୀରମିତ୍ରପୁର ରାଜନୀତି ତାତି ବଢ଼ିବାରେ ଲାଗିଛି ।

ସବୁଠାରୁ ରୋଚକ ବିଷୟ ହେଲା ଯେ, ଏଠାରେ ଜେଏମଏମକୁ ପୂର୍ବ ନିର୍ବାଚନ ଗୁଡ଼ିକରେ କଡ଼ା ଟକ୍କର ଦେଉଛି ବିଜେପି । ତେଣୁ ଚଳିତ ଥର ବିଜେପି ଏଠାରେ ବିଜୟର ସ୍ୱାଦ ଚାଖିବାକୁ ଗୋଟି ଚାଳନା କରି ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କୁ ବୀରମିତ୍ରପୁର ମଙ୍ଗ ଧରାଇଛି । କାରଣ ତୃଣମୂଳ ସ୍ତରରେ ସାଗଂଠନିକ ସ୍ଥିତି ମଜଭୁତ କରିଥିବା ପୂର୍ବତନ ବିଧାୟକ ଶଙ୍କର ଓରାମ ଚଳିତ ନିର୍ବାଚନରେ ‘ପଦ୍ମ’ ଫୁଟାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ତେଣ ଅନେକ ଟିକେଟ୍ ଆଶାୟୀ ରହିଥିବା ବେଳେ ଗେରୁଆ କ୍ୟାମ୍ପରୁ ଶଙ୍କରଙ୍କୁ ଗ୍ରୀନ ସିଗନାଲ ମିଳିଛି ।

ଅନ୍ୟପଟେ ଗତ ବିଧାନସଭା ନିର୍ବାଚନରେ ଏହି ଆସନରେ ବିଜେଡି ଶୋଚନୀୟ ପରାଜିତ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଦଳକୁ ଉତ୍ସାହିତ କରିଛି। କିନ୍ତୁ ଏଥର ଟିକେଟ୍ ପାଇଁ ଦଳରେ ଅନେକ ଥିଲେ ମଧ୍ୟ ଦଳ ନୂଆ ବ୍ଳକ୍ ଅଧ୍ୟକ୍ଷ ମାଖଲୁ ଏକ୍କାଙ୍କୁ ବାଛିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଉଭୟ ବିଜେପି ଓ କଂଗ୍ରେସକୁ ମାତ୍ ଦେଇ ପ୍ରଥମଥର ପାଇଁ ବିଜୟର ସ୍ୱାଦ ଚାଖିବାକୁ ବଷ କଷୁଛି ବିଜେଡି ବୋଲି ଶୁଣିବାକୁ ମିଳୁଛି ।

ସେପଟେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳ ତରଫରୁ ସେବେ ଆଇନ୍ଦ ପ୍ରାର୍ଥୀ ହୋଇଛି । ଏପରିକି ଆଗାମୀ ଏପ୍ରିଲ ୧୮ ତାରିଖରେ ହେବାକୁଥିବା ନିର୍ବାଚନରେ ଜେଏମଏମ ଦଳ ପ୍ରମୁଖ ଭୂମିକା ନେଇପାରେ ବୋଲି ରାଜନୀତି ସମୀକ୍ଷମାନେ ମତ ପ୍ରକାଶ କରୁଛନ୍ତି । କାରଣ ଏହି ନିର୍ବାଚନ ମଣ୍ଡଳୀରେ ତିନି ତିନିଥର ଜେଏମଏମ ପ୍ରାର୍ଥୀ ପୂର୍ବରୁ ବିଜୟୀ ତିଳକ ପିନ୍ଧି ଇତିହାସ ରଚିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କଡ଼ା ମୁକାବିଲା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ।