୨୦ ବର୍ଷର ମାଣିକ ସରକାରର ପତନ ! ତ୍ରିପୁରାରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ପଦ ରେସରେ ବିପ୍ଲବ ଆଗରେ

44

ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ବଡ ବିଜୟ । ଦୀର୍ଘ ୨୫ ବର୍ଷ ଧରି ବାମଦଳର ଗଡ ଥିବା ତ୍ରିପୁରାରେ ଗେରୁଆ ବାନା ଉଡ଼ାଇଛି ବିଜେପି । ବାମ ଦଳର ଗଡ ଭାଙ୍ଗିବା ସହ ବହୁମତ ହାସଲ କରିଛି ବିଜେପି । ୫୯ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ଜବରଦସ୍ତ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଆରମ୍ଭ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରହିଛନ୍ତି ତ୍ରିପୁରା ରାଜ୍ୟ ବିଜେପି ସଭାପତି ବିପ୍ଲବ କୁମାର ଦେବ । ବିପ୍ଲବ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି ।
କିଏ ଏହି ବିପ୍ଲବ କୁମାର ଦେବ:
ବିପ୍ଲବ କୁମାର ଦେବ । ତ୍ରିପୁରାର ରାଜ୍ୟ ବିଜେପି ସଭାପତି । ଦୀର୍ଘ ୨୫ ବର୍ଷ ଧରି ବାମ ଦଳର ଗଡ ଥିବା ତ୍ରିପୁରାରେ ପଦ୍ମ ଫୁଟାଇବାରେ ବିପ୍ଲବଙ୍କର ବଡ ଭୂମିକା ରହିଛି । ବନମାଳିପୁର ଆସନରୁ ନିର୍ବାଚନ ଲଢୁଥିବା ବିପ୍ଲବ ଚଳିତ ନିର୍ବାଚନରେ ବିଜେପିର ନେତୃତ୍ୱ ନେଇଥିଲେ । ଦୀର୍ଘ ବର୍ଷ ଧରି ଆରଏସଏସ ସହ ଜଡିତ ଥିବା ବିପ୍ଲବ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବାମ ଦଳର ପୁରୁଖା ନେତାଙ୍କୁ ବିଜେପିରେ ସାମିଲ କରି ତ୍ରିପୁରା ରାଜନୀତିରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଥିଲେ ।

ବିପ୍ଲବ ତ୍ରିପୁରାରେ ବି.ଏ ପାଠପଢା ଶେଷ କରିବା ପରେ ଦିଲ୍ଲୀ ଚାଲି ଯାଇଥିଲେ । ସେଠାରେ ପ୍ରାୟ ଦୀର୍ଘ ୧୫ ବର୍ଷ ପରେ ରହିଥିଲେ । ଦିଲ୍ଲୀରେ ରହିବା ବେଳେ ସେ ପ୍ରଫେସନାଲ ଜିମ୍ ଟ୍ରେନର ଭାବେ କାମ କରିଥିଲେ । ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ୨୦୧୬ ମସିହାରେ ରାଜ୍ୟ ବିଜେପିର ସଭାପତି ଦାୟିତ୍ୱ ଦିଆଯାଇଥିଲା । ଏହା ପରେ ଲାଲଗଡରେ ଗେରୁଆ ବାନା ଉଡାଇବା ପାଇଁ ଦିନରାତି ଏକ କରି ଦେଇଥିଲେ । ଯାହାର ଫଳ ନିର୍ବାଚନରେ ଦେଖିବାକୁ ମିଳିଛି । ନିର୍ବାଚନ ପ୍ରଚାରରେ ବିପ୍ଲବ ଏକ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ।