ତ୍ରିପୁରାରେ ଆଜି ବିଜେପି ସରକାରଙ୍କ ଶପଥ ଗ୍ରହଣ ! ବିପ୍ଲବ ଦେବ ହେବେ ମୁଖ୍ୟମନ୍ତ୍ରୀ, ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ

19

କନକ ବ୍ୟୁରୋ: ତ୍ରିପୁରାରେ ଆଜି ନୂଆ ସରକାର ଶପଥ ନେବେ । ୨୫ ବର୍ଷର ବାମପନ୍ଥୀ ସରକାରଙ୍କ ପତନ ଘଟାଇ ପ୍ରଥମ ଥର ଲାଗି ରାଜ୍ୟରେ ବିଜେପି କ୍ଷମତାସୀନ ହୋଇଛି । ତ୍ରିପୁରା ବିଜେପିର ସଭାପତି ବିପ୍ଲବ କୁମାର ଦେବ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅଗରତାଲାରେ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ସଭାପତି ଅମିତ ଶାହ ସାମିଲ ହେବେ । ଶପଥଗ୍ରହଣ ସମାରୋହ ଦିନ ୧୨ଟାରେ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ୬୦ ଆସନ ବିଶିଷ୍ଠ ବିଧାନସଭାରେ ବିଜେପିକୁ ୩୫ଟି ଆସନ ମିଳିଥିବାବେଳେ ସହଯୋଗୀ ଆଇପିଏଫଟି ୮ଟି ଆସନ ପାଇଛି ।

ତ୍ରିପୁରାରେ ବାମଗଡ ଧ୍ୱସ୍ତ ହେବା ପରେ ପ୍ରଥମ ଥର ଲାଗି ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଛି । କିନ୍ତୁ ରାଜ୍ୟରେ ନୂଆ ସରକାର ପାଇଁ ବଡ ଚ୍ୟାଲେଞ୍ଜ ରହିଛି । ଆସନ୍ତୁ ଜାଣିବା ୫ ବଡ ଚ୍ୟାଲେଞ୍ଜ ସମ୍ପର୍କରେ । ପ୍ରଥମ ଚ୍ୟାଲେଞ୍ଜ ହେଲା ରାଜ୍ୟରୁ ବେକାରୀ ସମସ୍ୟା ଦୂର କରିବା । ନିର୍ବାଚନ ଇସ୍ତାହରରେ ବିଜେପି ରାଜ୍ୟର ସମସ୍ତ ଯୁବକଙ୍କ ରୋଜଗାର ଦେବାକୁ ପ୍ରତିଶ୍ରୃତି ଦେଇଛି । ପ୍ରାକୃତିକ ସମ୍ପଦରେ ଭରପୂର ତ୍ରିପୁରାରେ ଶିଳ୍ପ ଓ କଳକାରଖାନା ନାହିଁ ।

କ୍ଷମତାକୁ ଆସିବା ପରେ ବିଜେପି ତ୍ରିପୁରାକୁ ବିଶେଷ ଆର୍ଥିକ କ୍ଷେତ୍ର, ସେଜ୍ ପାଇଁ ପ୍ରତିଶ୍ରୃତି ଦେଇଛି । ତେଣୁ ନୂଆ ଶିଳ୍ପ ସ୍ଥାପନ କରିବା ଓ ଜମି ଅଧିଗ୍ରହଣ ନୂଆ ସରକାର ପାଇଁ ବଡ ଚ୍ୟାଲେଞ୍ଜ ହେବ । ଭଲ ସ୍ୱାସ୍ଥ୍ୟସେବା ତ୍ରିପୁରା ପାଇଁ ବଡ ଚ୍ୟାଲେଞ୍ଜ । ରାଜ୍ୟରେ ଏମ୍ସ ସହ କିଛି ସୁପରସ୍ପେଶାଲିଟି ହସପିଟାଲ ତିଆରି କରିବାକୁ ବିଜେପି ପ୍ରତିଶ୍ରୃତିଦେଇଛି । ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ ଏକ ବଡ ସମସ୍ୟା । ଏଥିଯୋଗୁଁ ରାଜ୍ୟରେ ହିଂସା ବି ବଢିଛି । ଏହାକୁ ବନ୍ଦ କରିବା ନୂଆ ବିଜେପି ସରକାର ପାଇଁ ବଡ ଚ୍ୟାଲେଞ୍ଜ ହେବ । ରାଜ୍ୟର ବିଭିନ୍ନ ଆଦିବାସୀ ସଙ୍ଗଠନ ଓ ଅଲଗା ରାଜ୍ୟ ଦାବି କରୁଥିବା ସଙ୍ଗଠନଗୁଡିକ ମୁକାବିଲା କରିବା ବିଜେପି ସରକାର ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।