ଆତଙ୍କବାଦୀଙ୍କୁ ଚେତାବନୀ ଦେଲେ ସେନା ମୁଖ୍ୟ ବିପିନ ରାୱାତ ! ସେନାଘାଟିରେ ପୁଣି ଅପରେସନ ଅଲଆଉଟ ଜୋରଦାର

33

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ପୁଣି ସେନା ମୁଖ୍ୟଙ୍କ ଚେତବାନୀ । ରମଜାନ ସିଜଫାୟାର ଶେଷ ହେବା ପରେ ସେନା ଘାଟିରେ ପୁଣି ଅପରେସନକୁ ଜୋରଦାର କରିଛି । ତେବେ ସେନା ମୁଖ୍ୟ କହିଛନ୍ତି ଆମ ଟାର୍ଗେଟରେ ସେହି ଆତଙ୍କବାଦୀ ରହିଛନ୍ତି ଯେଉଁମାନେ ଘାଟିରେ ହିଂସା ସୃଷ୍ଟି କରୁଛନ୍ତି । କୌଣସି ସାଧାରଣ ନାଗରିକଙ୍କୁ ଆମେ ଟାର୍ଗେଟ କରୁନାହୁଁ ବୋଲି ବିପିନ ରାୱତ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟ ଅପରେସନ ଭଳି ଏଥର ମଧ୍ୟ ସେନା ଅପରେସନକୁ ଜୋରଦାର କରୁଛି । ସାଧାରଣ ଲୋକଙ୍କୁ କୌଣସି ଅସୁବିଧା ନପହଂଚାଇବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି । କାଶ୍ମୀରର କିଛି ଛାତ୍ରଛାତ୍ରୀଙ୍କୁ ଆଜି ଭେଟିବା ଅବସରରେ ଏହା କହିଛନ୍ତି ବିପିନ ରାୱତ । ବାରମୁଲା ଓ ଏହାର ଆଖପାଖ ଅଂଚଳର କିଛି ପିଲାଙ୍କୁ ଦିଲ୍ଲୀ ଅଣାଯାଇଛି । ଏହାଦ୍ୱାରା ପିଲାମାନେ ଜାଣିପାରିବେ ଯେ କାଶ୍ମୀର ବାହାରର ଦୁନିଆ କେତେ ସୁନ୍ଦର । କାଶ୍କୀର ବାହାରେ ଯେଉଁଭଳି ସୁନ୍ଦର ମାହୋଲ ରହିଛି କାଶ୍ମୀରରେ ସେଭଳି ମାହୋଲ କିଭଳି ସୃଷ୍ଟି କରିହେବ ସେ ନେଇ ପିଲାମାନଙ୍କୁ ବୁଝାଇଛନ୍ତି ସେନା ମୁଖ୍ୟ ।

ସେପଟେ ଜମ୍ମୁକାଶ୍ମୀରରେ ଜାରି ରହିଛି ଆତଙ୍କବାଦୀ ବିରୋଧୀ ଅପରେସନ ଅଲଆଉଟ । ଆଜି ସକାଳୁ ସେନା ଜଣେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛିି । କୁପୱାଡା ଜିଲ୍ଲାରେ ଗୁଳିବିନିମୟ ବେଳେ ଏହି ଆତଙ୍କବାଦୀ ପ୍ରାଣ ହରାଇଛି । ସେନା ପକ୍ଷରୁ ତଲାସି ଅଭିଯାନ ଚାଲିଥିବା ବେଳେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସେପଟେ ଅମରନାଥ ଯାତ୍ରା ଚାଲିଥିବାରୁ ଘାଟିରେ ସୁରକ୍ଷା ବ୍ୟବସ୍ଥା ଉପରେ ସେନା ଜୋର ଦେଉଛି ।