ମଝି ଆକାଶରେ ତେଜ ଦେଖାଇଲା ତେଜସ୍ ବିମାନ ! ଦେଶୀ ଫାଇଟର୍ ଜେଟରେ ଉଡିଲେ ସ୍ଥଳସେନା ମୁଖ୍ୟ, କହିଲେ, ବଢ଼ିବ ବାୟୁସେନାର ସାମର୍ଥ୍ୟ ।
କନକ ବ୍ୟୁରୋ : ଆକାଶରେ ତେଜ ଦେଖାଇଛି ତେଜସ୍ । ବେଙ୍ଗାଲୁରୁ ଏରୋ ଇଣ୍ଡିଆ ଶୋରେ ଦେଖିବାକୁ ମିଳିଛି ତେଜସର ଶକ୍ତି ପ୍ରଦର୍ଶନ । ସ୍ଥଳସେନା ମୁଖ୍ୟ ବିପିନ ରାୱତ ଆଜି ତେଜସ୍ ବିମାନରେ ବସି ଆକାଶରେ ଉଡିଛନ୍ତି । ଏସିଆ ମହାଦେଶର ସବୁଠୁ ବଡ଼ ଏୟାର୍ ସୋ କୁହାଯାଉଥିବା ବେଙ୍ଗାଲୁରୁ ଏରୋ ସୋରେ ଭାଗ ନେଇଛନ୍ତି ୧୦୦ରୁ ଅଧିକ ଦେଶ । ତେବେ ମୁଖ୍ୟ ଆକର୍ଷଣ ପାଲଟିଛି ଭାରତର ତେଜସ ବିମାନ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେଜ ଦେଖାଇଲା ତେଜସ୍ ବିମାନ୍ । ଦେଶୀ ଜେଟରେ ଉଡ଼ିଲେ ସ୍ଥଳସେନା ମୁଖ୍ୟ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଲଢ଼ୁଆ ତେଜସ୍ ବିମାନରେ ଉଡ଼ାଣର ମଜା ନେଇଛନ୍ତି ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ୍ । ନିଜସ୍ୱ ଜ୍ଞାନକୌଶଳରେ ଦେଶ ପ୍ରସ୍ତୁତ କରିପାରିଛି ଏହି ବେଗଗାମୀ ଫାଇଟର୍ ଜେଟ୍ ଓ ଅନ୍ୟ କମ୍ପାନୀର ଜେଟ୍ ଠାରୁ କୌଣସି ଗୁଣରେ କମ୍ ନୁହଁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ ଓ ଡିଆରଡିଓ ପ୍ରସ୍ତୁତ କରିଥିବା ତେଜସ୍ ଲଢୁଆ ବିମାନ । ବେଙ୍ଗାଲୁରୁ ଏରୋ ସୋରେ ତେଜସରେ ଯାତ୍ରା କରିବା ପରେ ରାୱତ ବାଂଟିଛନ୍ତି ଅନୁଭୂତି ।
– ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ତେଜସ୍ ବିମାନ ।
– ସିଙ୍ଗିଲ୍ ସିଟ୍ ଓ ସିଙ୍ଗିଲ୍ ଜେଟ୍ ଇଂଜିନ ବିଶିଷ୍ଟ ଏହି ହାଲୁକା ଲଢୁଆ ବିମାନ ୫୦ହଜାର ଫୁଟ ଉଚ୍ଚରେ ଉଡି ଶତ୍ରୁକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି ।
– ଉଡାଣ ସମୟରେ ଆକାଶରେ ଥିବା ଶତ୍ରୁ ପକ୍ଷର ବିମାନ ଉପରେ ଆକ୍ରମଣ କରିବା ପାଇଁ ଏହି ବିମାନରେ ଡର୍ବି ମିସାଇଲ ସିଷ୍ଟମ୍ ଖଂଜା ଯାଇଛି ।
– ଆକାଶରୁ ଭୂପୃଷ୍ଠକୁ ଆକ୍ରମଣ କରିବା ପାଇଁ ତେଜସ୍ ବିମାନରେ ଲେଜର ଗାଇଡେଡ୍ ବୋମା ଖଂଜା ଯାଇଛି ।
– ଘଂଟା ପ୍ରତି ୧୩୫୦ କିଲୋମିଟର ବେଗରେ ୨୩୦୦ କିଲୋମିଟର ଦୂରତା ଅତିକ୍ରମ କରି ପାରିବ ତେଜସ୍ ବିମାନ ।
– ଏହି ଯୁଦ୍ଧ ବିମାନର ୩ ହଜାର କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି ।
ଏରୋ ଇଣ୍ଡିଆ ଶୋ’ର ସଫଳ ଆୟୋଜନ ବିଶ୍ୱ ମାନଚିତ୍ରରେ ଭାରତର ସ୍ଥାନକୁ ଆହୁରି ସୁଦୃଢ଼ କରିବ ଏହା ନିଃସନ୍ଦେହ । ଅନ୍ୟପଟେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଧିରେ ଧିରେ ଆତ୍ମନିର୍ଭରଶୀଳ ହେଉଛି ଏହାର ପ୍ରମାଣ ଦେଇଛି ତେଜସ୍ ବିମାନ, ବିଶ୍ୱକୁ ଜଣାଇଛି କୌଣସି ଦୃଷ୍ଟିରୁ ପଛରେ ନାହିଁ ଭାରତ ।