ସିଡ଼ିଏସ୍ ରୂପେ ଦାୟିତ୍ୱ ଗ୍ରହଣ କଲେ ବିପିନ୍ ରାୱତ୍ : ତିନି ସେନା ପକ୍ଷରୁ ବିପିନ ରାୱତଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

170
  • ସିଡ଼ିଏସ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ବିପିନ୍ ରାୱତ୍
  • ମଙ୍ଗଳବାର ସେନା ମୁଖ୍ୟ ପଦରୁ ଅବସର ନେଇଥିଲେ
  • ଦେଶର ପ୍ରଥମ ସିଡ଼ିଏସ୍ ହେଲେ ବିପିନ୍ ରାୱତ୍

ନୂଆ ବର୍ଷା ପ୍ରଥମ ଦିନରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ରୂପେ ଦାୟିତ୍ୱ ନେଲେ ବିପିନ୍ ରାୱତ୍ । ଗତ ମଙ୍ଗଳବାର ସେନାମୁଖ୍ୟ ପଦରୁ ଅବସର ନେଇଥିବା ଜେନେରାଲ ବିପିନ୍ ରାୱତ୍ ଆଜି ସକାଳେ ସିଡ଼ିଏସ୍ ରୂପରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । କାର୍ଯ୍ୟଭାର ସମ୍ଭାଳିବା ପରେ ତିନି ସେନା ପକ୍ଷରୁ ବିପିନ୍ ରାୱତଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯାଇଛି । ନୂଆଦିଲ୍ଲୀରେ ପଦଭାର ଗ୍ରହଣ କରିଛନ୍ତି ଜେନେରାଲ ରାୱତ । ତାଙ୍କ ଶପଥଗ୍ରହଣ ଉତ୍ସବରେ ତିନି ସେନାର ମୁଖ୍ୟ ଉପସ୍ଥିତ ଅଛନ୍ତି । ଏହି ପଦରେ ବିପିନ ରାୱତ ୩ବର୍ଷ ପାଇଁ ରହିବେ । ଦାୟିତ୍ୱ ନେବା ପୂର୍ବରୁ ବିପିନ ରାୱତ ୱାର ମେମୋରିଆଲ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦାୟିତ୍ୱ ନେବା ପରେ ସେ କହିଛନ୍ତି, ୩ ସେନା ଏକଜୁଟ ହୋଇ କାମ କରିବେ । ଟିମ ୱାର୍କକୁ ଗୁରୁତ୍ୱ ଦିଆଯିବ । ରାଜନୀତିଠୁ ସେନା ବହୁ ଦୂରରେ ବୋଲି କହିଛନ୍ତି ନୂଆ ମୁଖ୍ୟ ।

ତିନି ସେନାବାହିନୀର ସେନାପତି ଭାବେ କାମ କରିବେ ସିଡିଏସ ବିପିନ୍ ରାୱତ । ତିନି ସେନା ସହ ଜଡିତ ସମସ୍ତ ମାମଲାରେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେବେ ସିଡିଏସ । ଏହାଛଡା କୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା ସାମରିକ ଆକ୍ରମଣ ସମୟରେ ତିନି ସେନା ମଧ୍ୟରେ ତାଳମେଳ ରକ୍ଷା କରିବାର ଗୁରୁଦାୟିତ୍ୱ ସମ୍ଭାଳିବେ ବିପିନ୍ ରାୱତ ।

ଉତ୍ତରାଖଣ୍ଡର ପୌଡ଼ିରେ ଜନ୍ମ ଗ୍ରହଣ କରିଥିବା ଜେନେରାଲ ବିପିନ ରାୱତ ଏକ ଆର୍ମି ପରିବାରରୁ ଆସିଛନ୍ତି । ତାଙ୍କ ପରିବାରର ଅନେକ ପୀଢ଼ି ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟ କରିସାରିଛନ୍ତି । ତାଙ୍କ ବାପା ଲକ୍ଷ୍ମଣ ସିଂ ରାୱତ ଲେଫ୍ଟନେଣ୍ଟ ଜେନେରାଲ ଭାବେ ଭାରତର ସେବା କରିଛନ୍ତି ।