ରୋଜଗାରର ନୂଆ ରାସ୍ତା ଦେଖାଇଲେ ବାଲେଶ୍ୱରର ଯୁବକ । ଆଧୁନିକ ଜ୍ଞାନ କୌଶଳରେ ଆରମ୍ଭ କଲେ ବାଓଫ୍ଲକ୍ ମାଛ ଚାଷ, କମ୍ ସମୟରେ ଦେବ ଅଧିକରୁ ଅଧିକ ଲାଭ

958

କନକ ବ୍ୟୁରୋ: ଦିନକୁ ଦିନ ବେକାରୀ ସମସ୍ୟା ବଢୁଥିବା ବେଳେ ଦୁଇ ଉଚ୍ଚ ଶିକ୍ଷିତ ଯୁବକ ଚାକିରୀ ପଛରେ ନ ଗୋଡ଼ାଇ ରୋଜଗାର ନୂଆ ରାସ୍ତା ଆପଣାଇଛନ୍ତି । ନୂତନ ଜ୍ଞାନ କୌଶଳରେ ଏମିତି ମାଛ ଚାଷ କରୁଛନ୍ତି । ଯାହା ପୋଖରୀରେ ପାରମ୍ପରିକ ମାଛ ଚାଷ ଭଳି ଭ୍ରମ ସୃଷ୍ଟି କରୁଛି । ଅଳ୍ପ ଜାଗା, ସ୍ୱଳ୍ପ ଖର୍ଚ୍ଚ ସାଙ୍ଗକୁ ସ୍ୱଳ୍ପ ସମୟରେ ଯଥେଷ୍ଟ ଲାଭ ଦେଇପାରିବ ଏହି ମାଛ ଚାଷ ।

ଆମେ ସମସ୍ତେ ମାଛ ଚାଷ କଥା ଶୁଣିଲେ ଆଗ ପୋଖରୀ କଥା ଭାବି ଥାଉ। ତେବେ ମାଛ ଚାଷ କରିବାକୁ ହେଲେ ଆଗ ଗୋଟେ ପୋଖରୀର ଆବଶ୍ୟକ ହେଉଥିବା ବେଳେ ମାଛ ବଢ଼ିବା ପାଇଁ ସର୍ବନିମ୍ନ ୬ ମାସ ସମୟର ମଧ୍ୟ ଆବଶ୍ୟକତା ଅଛି । କିନ୍ତୁ ବାଲେଶ୍ୱର ବହବଲପୁରର ଦୁଇ ଯୁବକ ରାଜେଶ କୁବେରା ଓ ଶ୍ରୀକୃଷ୍ଣ ଦାସ ଆକାଉଣ୍ଟିଙ୍ଗ୍ ରେ ସ୍ନାତକୋତ୍ତର କରିବା ପରେ ଚାକିରୀ ପାଇଁ ମନ ନବଳାଇ ନିଜେ ବେକାରୀ ବାଏ ବାଏ କହିବା ପାଇଁ ଆପଣାଇଛନ୍ତି ବାଓଫ୍ଲକ ମାଛ ଚାଷ ତରିକା ।

ଇଣ୍ଡୋନେସିଆ ମାଛ ଚାଷ ବାଓଫ୍ଲକ୍ ପଦ୍ଧତି ପ୍ରତି ଆକୃଷ୍ଟ ହୋଇ ଏହି ପଦ୍ଧତିରେ ମାଛ ଚାଷ ହେଉଥିବା ବିଭିନ୍ନ ରାଜ୍ୟକୁ ଯାଇ ତାଲିମ ନେବା ପରେ ନିଜ ଜାଗାରେ ଆରମ୍ଭ କରିଛନ୍ତି ଏହି ବାଓଫ୍ଲକର ମାଛ ଚାଷ । ଏହି ପ୍ରଣାଳୀରେ ଛାତ ଉପରେ ମଧ୍ୟ ମାଛ ଚାଷ କରାଯାଇ ପାରିବ । ଏଥିପାଇଁ ଆପଣଙ୍କୁ ଦରକାର ୪ ମିଟର ବ୍ୟାସ।ର୍ଦ୍ଧ ଓ ଚାରିଫୁଟ ଉଚ୍ଚତା ବିଶିଷ୍ଟ ଏକ ଟାରପୋଲିନ୍ ପିଭିସି ଟାଙ୍କି । ପ୍ରତ୍ୟେକ ଟାଙ୍କିରେ ରହିଛି ୧୦ ହଜାର ଲିଟର ପାଣିର କ୍ଷମତା । ଗୋଟିଏ ଟାଙ୍କି ପ୍ରସ୍ତୁତ କରିବାକୁ ଖର୍ଚ୍ଚ ହେବ ପାଖାପାଖି ୨୫ ରୁ ୩୦ ହଜାର ଟଙ୍କା ।

ତେବେ ରାଜେଶ ଓ ଶ୍ରୀକୃଷ୍ଣ କରିଛନ୍ତି ୫ ଟି ଟାଙ୍କି। ଯେଉଁଥିରେ ପ୍ରତ୍ୟେକ ଟାଙ୍କିରେ ଛଡ଼ାଯାଇଛି ୭ ହଜାର ଭିଏତନାମ କଉ ମାଛ । ତିନି ମାସରେ ଏହି ମାଛ ୧୦୦ ଗ୍ରାମ ହେଇଗଲେ ବିକ୍ରି କରାଯିବ। କିଲୋପିଛା ଦାମ ରହିଛି୨୦୦ ରୁ୨୫୦ ଟଙ୍କା । ଦୁଇ ଜଣଙ୍କ କହିବା ମୁତାବକ, ୧ କିଲୋ ମାଛ ପ୍ରତି ୭୦ ରୁ ୮୦ ଟଙ୍କା ଖର୍ଚ ହେଉଥିବା ବେଳେ ବିକ୍ରି ଦାମ ରହିଛି ୨୦୦ ରୁ ୨୫୦ ଟଙ୍କା । ମାଛ ଚାଷର ଏହି ନୂଆ ପଦ୍ଧତି ନିଶ୍ଚିତ ଭାବେ ମାଛ ଚାଷ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ।