ବଦଳିଲାନି ବିଷ୍ଣୁଙ୍କ ସ୍ୱର। ପୁଣି ଦୋହରାଇଲେ ପୁରୁଣା କଥା। ଅନୁତାପ ବଦଳରେ କହିଲେ, ମୁଁ କଣ ମଣିଷ ମାରିଛି ଯେ, ପଶ୍ଚାତାପ କରିବି

ବିଧାନସଭାଙ୍କ ବୟାନକୁ ନେଇ ପ୍ରଶ୍ନକାଳରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ

440

କନକ ବ୍ୟୁରୋ: ବଦଳିଲାନି ବିଷ୍ଣୁଙ୍କ ସ୍ୱର । ଗତକାଲି ଭଳି ଆଜି ବି ପୂର୍ବଭଳି କଥା ଦୋହରାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ଗତକାଲି ବିଧାନସଭାରେ ମୁସଲିମ ମହିଳାମାନ ଦେହ ବ୍ୟବସାୟ କରୁଛନ୍ତି ବୋଲି କହି ବିବାଦୀୟ ବୟାନ ରଖିଥିଲେ ବିଷ୍ଣୁ । ତେବେ ଗତକାଲି ଭଳି ଆଜି ମଧ୍ୟ ପୁରୁଣା କଥା ଦୋହରାଇଛନ୍ତି ବିଷ୍ଣୁ ସେଠୀ । କହିଲେ, ମୁଁ କାଲି ଯାହା କହିଥିଲି ତାହା କୌଣସି ନିର୍ଦ୍ଦିଷ ଜାତିକୁ ଆକ୍ଷେପ କରି ନୁହେଁ ବରଂ ରିପୋର୍ଟ ଆଧାରରେ କହିଛି । ମୁଁ କଣ ମଣିଷ ମାରିଛି କି ପଶ୍ଚତାପ କରିବି ।

ସେପଟେ, ଗୃହକୁ ଗରମ କଲା ବିଷ୍ଣୁଙ୍କ ବିବାଦୀୟ ବୟାନ । ଗତକାଲି ବିଧାନସଭାରେ ମୁସଲିମ ମହିଳାଙ୍କୁ ନେଇ ଆପତ୍ତି ଜନକ ମନ୍ତବ୍ୟ ନେଇ କଂଗ୍ରେସର ହଟ୍ଟଗୋଳ । ବିଷ୍ଣୁଙ୍କ କ୍ଷମା ଦାବି କରି ଗୃହ ଆରମ୍ଭରୁ ହୋହଲ୍ଲା କରିଛନ୍ତି କଂଗ୍ରେସ ସଦସ୍ୟ । ଯାହା ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏପରିକି କଂଗ୍ରେସ ସଦସ୍ୟ ଗତକାଲି ଭଳି ଆଜି ମଧ୍ୟ  ବିଷ୍ଣୁଙ୍କ କ୍ଷମା ଦାବି ଜିଦରେ ଅଟଳ ରହିଛନ୍ତି  । ଆଉ ତାରା କହିଛନ୍ତି, ରାଜ୍ୟରେ ଯେଭଳି ବିଜେଡି-ବିଜେପି ଭାଇ ଭାଇ , ଠିକ୍ ସେମିତି ଗୃହରେ ମଧ୍ୟ ତାହା ଦେଖିବାକୁ ମିଳୁଛି । କାରଣ ନାରୀ ଜାତିକୁ ସମ୍ମାନ ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଗତକାଲି ବିଷ୍ଣୁଙ୍କ ବୟାନ ପରେ ଚୂପ ବସିଛି । ବିଭିନ୍ନ ବିଲକୁ ସମର୍ଥନ କରୁଥିବା ବିଜେଡି ଆଜି ନାରୀଙ୍କ ସମ୍ମାନ କଥା ଭୁଲି ବିଜେପିର ସାଥ୍ ଦେଇଛି । ଆମର ଦାବି ବିଷ୍ଣୁ ଦେଇଥିବା ବିବାଦୀୟ ବୟାନ ପାଇଁ ସେ କ୍ଷମା ମାଗନ୍ତୁ ଏବଂ ତାଙ୍କ ବିରୁଦ୍ଧରେ ବାଚସ୍ପତି ରୁଲିଂ ଡାକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଅନ୍ୟପକ୍ଷରେ , ବିଷ୍ଣୁଙ୍କ ବିବାଦୀୟ ବୟାନରେ ଦଳର କୌଣସି ସଂପୃକ୍ତି ନଥିବା କହିଛି ବିଜେଡି । ଏହା ବିରୋଧୀ ଦଳ ଉପନେତାଙ୍କ ନିଜସ୍ୱ ବିବୃତି । ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ଆପତିଜନକ । ଗୃହର ମର୍ଯ୍ୟାଦା ଦୃଷ୍ଟିରୁ କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ଯେହେତୁ ଆକ୍ଷେପ ରହିଛି ତାକୁ ପ୍ରତ୍ୟାହାର କରିନେବା ଉଚିତ ।  ଯାହା ଫଳରେ  ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ସମାଧାନ ହୋଇପାରିବ । କିନ୍ତୁ ତାକୁ ଆଳ କରି ପ୍ରଶ୍ନୋତ୍ତର କାଳକୁ ବନ୍ଦ କରିବା ଆଦୌ ସମୀଚିନ ନୁହେଁ । କାହିଁକି ନା ସାରା ଓଡିଶାବାସୀ ଚାହିଁ ରହିଛନ୍ତି କି, ଆମର ବିଧାୟକମାନେ କଣ ସବୁ ପ୍ରଶ୍ନ କରୁଛନ୍ତି ଏବଂ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ହୋଇ ଆସୁଛନ୍ତି ପ୍ରଶ୍ନର ଜବାବ ରଖିବା ପାଇଁ । ତେଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ପ୍ରଶ୍ନୋତ୍ତର କାଳରେ ହଟ୍ଟଗୋଳ କରିବା ଠିକ୍ ନୁହେଁ  ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ଗତକାଲି ବିଧାନସଭାରେ ତିନି ତଲାକ୍ ବିଲ୍କୁ କଂଗ୍ରେସ ବିରୋଧ କରିଥିଲା । ଏହାକୁ ଗୃହରେ ଜବାବ ରଖୁଥିଲେ ବିଷ୍ଣୁ ସେଠୀ । ସେହି ସମୟରେ କହିଥିଲେ, ମୁସଲିମ୍ ପରିବାରରେ ଛାଡପତ୍ର ଯୋଗୁଁ ସ୍ତ୍ରୀ ଲୋକମାନେ ରେଡ୍ ଲାଇଟ୍ ଏରିଆରେ ବେଶ୍ୟାବୃତି କରୁଛନ୍ତି । ଏହି ବୟାନକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଥିଲା । କଂଗ୍ରେସ ଏହାକୁ ଜୋରଦାର ବିରୋଧ କରି କ୍ଷମାପ୍ରାର୍ଥନା ଦାବି କରିଥିଲା ଏବଂ କଂଗ୍ରେସ ସଦସ୍ୟଙ୍କ ସହ ସ୍ୱର ମିଳାଇଥିଲେ ବିଜେଡି ବିଧାୟକ ।