ପୁଣି ଚର୍ଚ୍ଚାରେ ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରେମ କାହାଣୀ । ସର୍ବସମ୍ମୁଖରେ ପ୍ରଥମ ଥର ପାଇଁ ମୋନିକାଙ୍କ ସହ ସମ୍ପର୍କ ସ୍ୱୀକାର କଲେ କ୍ଲିଂଟନ ।

371

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଂଟନଙ୍କ ପ୍ରେମ କାହାଣୀ । କ୍ଲିଂଟନ ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ହ୍ୱାଇଟ ହାଉସରେ ଇନଟର୍ଣ୍ଣ ଥିବା ମୋନିକା ଲେୱିନସ୍କିଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ସେହି ସମୟରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ସର୍ବସମ୍ମୁଖରେ ପ୍ରଥମ ଥର ପାଇଁ ମୋନିକାଙ୍କ ସହ ସମ୍ପର୍କ ସ୍ୱୀକାର କରିଛନ୍ତି ବିଲ୍ କ୍ଲିଂଟନ । ରାଷ୍ଟ୍ରପତି ଥିବା ସମୟରେ ଚାପ ମୁକ୍ତ ହେବା ପାଇଁ ସେ ମୋନିକାଙ୍କ ସହ ସମ୍ପର୍କ ରଖିଥିଲେ ବୋଲି କହିଛନ୍ତି ।

ପ୍ରାୟ ୨୨ବର୍ଷର ତଳର ଏହି ଘଟଣା ଏବେ ପୁଣି ମୁଖ୍ୟଖବର ବନିଛି କାରଣ, ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ମୋନିକା ଲେୱିନସ୍କିଙ୍କ ସହ ତାଙ୍କ ସମ୍ପର୍କ ନେଇ ମୁହଁ ଖୋଲିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ହ୍ୱାଇଟ ହାଉସରେ ମୋନିକାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିବା ମାନିଛନ୍ତି କ୍ଳିଂଟନ । ତେବେ ରାଷ୍ଟ୍ରପତି ପଦର ଚାପରୁ ମୁକ୍ତି ପାଇବା ପାଇଁ କ୍ଲିଂଟନ, ମୋନିକାଙ୍କ ସହ ସମ୍ପର୍କ ର୍ଖିଥିବା ଏକ ସାକ୍ଷାତକାରରେ ସ୍ୱିକାର କରିଛନ୍ତି ବିଲ୍ କ୍ଳିଂଟନ । ୬ତାରିଖରେ ରିଲିଜ ହୋଇଥିବା ଡକ୍ୟୁମେଂଟାରୀ ହିଲାରୀର ଲଂଚ ଅବସରରେ କ୍ଲିଂଟନ, ମୋନିକାଙ୍କ ସହ ତାଙ୍କ ସମ୍ପର୍କ ନେଇ ମୁହଁ ଖୋଲିଛନ୍ତି । କେବଳ ଏତିକି ନୁହେଁ ସର୍ବସମ୍ମୁଖରେ ମୋନିକା ଲେୱିନସ୍କିଙ୍କ ଠାରୁ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି ।

ପରିବାର, ବିବାହ ଓ ଦେଶକୁ ବାଦ୍ ଦେଇ ସେ କିପରି ଏତେ ବଡ ପଦକ୍ଷେପ ନେଇଥିଲେ ବୋଲି ତାଙ୍କୁ ପଚରାଯାଇଥିଲା । ଏହାର ଜବାବରେ କ୍ଳିଂଟନ କହିଛନ୍ତି ଯେ, ସେହି ସମୟରେ ସେ ଏସବୁ ନେଇ କୌଣସି ଚିନ୍ତା କରିନଥିଲେ । ହ୍ୱାଇଟ ହାଉସ କାମ ଚାପରେ ସେ ଭୁଲ ରାସ୍ତାରେ ଚାଲିଯାଇଥିଲେ । ହ୍ୱାଇଟ ହାଉସରେ ଯେତେବେଳେ ଇନଟର୍ଣ୍ଣ ମୋନିକାଙ୍କ ସହ ସାକ୍ଷାତ ହୋଇଥିଲେ ସେହି ସମୟରେ ସେ ହୃଦୟଙ୍ଗମ କରିଥିଲେ ଯେ କେବଳ ମୋନିକା ତାଙ୍କୁ ଏହି ଚାପରୁ ମୁକ୍ତ କରିପାରିବେ । ଏବଂ ହ୍ୱାଇଟ ହାଉସରେ କାମର ଚାପ ଭିତରେ କେବଳ ମୋନିକା ହିଁ ତାଙ୍କୁ ଏହି ଚାପରୁ ମୁକ୍ତି କରୁଥିଲେ ।

ତେବେ ସେ ହିଲାରୀଙ୍କ ସମ୍ମୁଖରେ ସ୍କାଣ୍ଡାଲ ବିଷୟରେ ସବୁ ଖୋଲି କହିଥିଲେ । କିନ୍ତୁ ସବୁଠାରୁ କଷ୍ଟକର ଥିଲା ନିଜ ୧୮ବର୍ଷୀୟ ଝିଅ ସମ୍ମୁଖରେ ମୋନିକାଙ୍କ ସହ ସମ୍ପର୍କ ନେଇ ସ୍ୱୀକାର କରିବା । ହିଲାରୀ ସମ୍ମୁଖରେ ସ୍ୱିକାରୋକ୍ତି ଠାରୁ ମଧ୍ୟ ତାହା କଷ୍ଟକର ଥିଲା ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଂଟନ କହିଛନ୍ତି ।

ଏହି ସ୍କାଣ୍ଡାଲ ଯୋଗୁଁ ବିଲ୍ କ୍ଲିଂଟନଙ୍କୁ ମହାଭିଯୋଗର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ସେ ଏଥିରୁ ବର୍ତି ଯାଇଥିଲେ ଏବଂ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଥିଲେ । ୧୯୯୭-୯୮ରେ ବିଲ୍ କ୍ଳିଂଟନ ଓ ମୋନିକା ଲେୱିନସ୍କିଙ୍କ ସେକ୍ସ ସ୍କାଣ୍ଡାଲ ସାମ୍ନାକୁ ଆସିଥିଲା । ଯାହା କେବଳ ଆମେରିକା ନୁହେଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।