ସାବଧାନ ଗାଡିଚାଳକ ! କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଏଣିକି ଗାଡିରେ କର୍କଶ ଶବ୍ଦଯୁକ୍ତ ହର୍ଣ୍ଣ ଲଗାଇଲେ ଦଣ୍ଡିତ ହେବେ ।

424

ଆଜିକାଲି ଅଧିକାଂଶ ଯୁବପିଢି ନିଜର ବାଇକ ସାଇଲେନ୍ସର ବଦଳାଇ ଏକ ଅଧିକ ଶବ୍ଦ କରୁଥିବା ସାଇଲେନ୍ସର ଲଗାଉଛନ୍ତି । କିନ୍ତୁ ଏଣିକି ଏହା କରିବା ଆଉ ସମ୍ଭବ ହେବ ନାହିଁ । କେନ୍ଦ୍ର ସରକାର ଏଥିଲାଗି ବାରଣ କରିଛନ୍ତି । ସଡ଼କଗୁଡ଼ିକରେ ଶବ୍ଦ ପ୍ରଦୂଷଣ କମାଇବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସଡ଼କ ପରିବହନ ଏବଂ ଜାତୀୟ ରାଜପଥ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଲୋକସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଜଣାଇଛନ୍ତି ଯେ, ମୋଟର ପରିବହନ ଅଧିନିୟମ ୧୯୮୮ ଅନୁସାରେ କଂପାନୀ ଦ୍ୱାରା ଲଗାଯାଇଥିବା ସାଇଲେନ୍ସର ବଦଳାଇ ବା ସ୍ଥାନାନ୍ତରିତ କରି ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍ସର ଲଗାଇବାକୁ ବାରଣ କରାଯାଇଛି । ଏହି ଅଧିନିୟମର ଧାରା ୫୨(୧)ରେ ଉଲ୍ଲେଖ ରହିଛି ଯେ, ଯାନବାହନର କୌଣସି ମାଲିକ ଯାନବାହାନରେ ଏପରି କୌଣସି ପରିବର୍ତ୍ତନ କରିବେ ନାହିଁ, ଯାହାଦ୍ୱାରା ପଞ୍ଜିକରଣ ପ୍ରମାଣପତ୍ରରେ ନିର୍ମାତାଙ୍କ ଦ୍ୱାରା ଦିଆଯାଇଥିବା ବିବରଣୀ ସହିତ ମେଳ ଖାଉନଥିବ । ଏହା ବ୍ୟତୀତ ମୋଟର ପରିବହନ ଅଧିନିୟମ ୧୯୮୮ ର ଧାରା ୫୨(୧) ଉଲ୍ଲଂଘନ କଲେ ଧାରା ୧୯୦ ଓ ୧୯୧ ଅନୁସାରେ ଦଣ୍ଡିତ କରାଯିବ । ମୋଟର ପରିବହନ ଅଧିନିୟମ ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ରେ ଥିବା ନିୟମଗୁଡ଼ିକ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ଦ୍ୱାରା ଲାଗୁ କରା ଯାଇପାରିବ ।

ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ମଲ୍ଟି ଟୋନଡ୍ ହର୍ଣ୍ଣ କିମ୍ବା ଅନାବଶ୍ୟକ ଭାବେ କର୍କଶ, କାନଫଟା, ତୀବ୍ର ଓ ଚେତାବନୀ ଯୁକ୍ତ ଧ୍ୱନି ସୃଷ୍ଟି କରୁଥିବା ଉପକରଣ ଓ ଅନ୍ୟ ଧ୍ୱନି ସୃଷ୍ଟିକାରୀ ଉପକରଣ ଲଗାଇବା ଉପରେ ମଧ୍ୟ ଅଧିନିୟମରେ ବାରଣ କରାଯାଇଛି । ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ଯାନବାହନ ଆଦିକୁ ଏଥିରୁ ମୁକ୍ତ ରଖାଯାଇଛି । ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଅନଧିକୃତ ଭାବରେ ଯାନବାହନରେ ମଲ୍ଟିଟୋନ୍ ଲଗାଇବା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଜାରି କରିଛନ୍ତି ।