ବିକାଶ ପର୍ବରେ ସାମିଲ ହେବେନି ଦୁଇ କେନ୍ଦ୍ରମନ୍ତ୍ରୀ

30

ରାଉଲକେଲା ବ୍ୟୁରୋ ,କନକ ନ୍ୟୁଜ୍ : ରାଉରକେଲା ବିକାଶ ଉତ୍ସବରେ ସାମିଲ ହେବେନି ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ କ୍ରିଷନ ପାଲଙ୍କ ରାଉରକେଲା ଗସ୍ତ ବାତିଲ ହୋଇଛି । ଫଳରେ କେନ୍ଦ୍ରର ଦୁଇବର୍ଷ ପୂର୍ତୀ ଅବସରରେ କେନ୍ଦ୍ରର ବିକାଶର କଥା ବଖାଣିବାକୁ ହେଉଥିବା କାର୍ଯ୍ୟକ୍ରମରେ ଏହି ଦୁଇ ମନ୍ତ୍ରୀ ସାମିଲ ହେବେନି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଖରାପ ପାଗ ପାଇଁ ଉଭୟ ମନ୍ତ୍ରୀ ଆସିପାରିଲେ ନାହିଁ । ହେଲେ ଚର୍ଚ୍ଚା ଚାଲିଛି ଦିଲ୍ଲୀପ ରାୟ ବିକାଶ ଉତ୍ସବରୁ ନିଜକୁ ଦୂରେଇ ରଖିବା ପରେ ବିଜେପିର ରାଜ୍ୟ ଶାଖା ଅକଳରେ ପଡିଯାଇଥିଲା । ଆଉ ଏହାରି ଭିତରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇଛି । କୁହାଯାଉଛି, ଲକ୍ଷ୍ନୋରେ ପାଗ ଭଲ ଥିବା ସତ୍ୱେ ଦୁଇ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରୁ ନିଜକୁ ଦୁରେଇ ରଖିବାକୁ ଚାହିଁଥିଲେ । ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସତ୍ୱେ ୧୪ ମାସ ପରେ ବି କାମ ଆଗଉନଥିଲା । ଯାହାକୁ ନେଇ ଋଷିଥିଲେ ଦିଲ୍ଲୀପ । ଏପରିକି ତୋମାରଙ୍କ ସହ ଏନେଇ ବାରମ୍ବାର ଆଲୋଚନା ହୋଇଥିଲେ ବି କିଛି ସୁଫଳ ମିଳିନଥିଲା । ଅନୁମାନ କରାଯାଉଛି, ଏହି ସବୁ କାରଣ ପାଇଁ ଆଜିର ବିକାଶ ଉତ୍ସବରୁ ନିଜକୁ ଦୂରେଇ ରଖିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ସେପଟେ କିନ୍ତୁ ଜୁଏଲ ଓରାମ ପୂର୍ବ ନିର୍ଦ୍ଧାରିତ ଭାବେ ବିକାଶ ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବେ ।

ସେପଟେ ଏନେଇ ଟ୍ୱିଟରେ ଟ୍ୱିଟ୍ କରିଛନ୍ତି କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର  । କହିଛନ୍ତି ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧାରାସ୍ତାରୁ ଆମକୁ ଫେରିବାକୁ ପଡିଲା । ତେବେ ଆଗକୁ ପୁଣି ତାରିଖ ନିର୍ଦ୍ଧାରଣ କରି ଜୁଏଲ୍ ଓରାମଙ୍କ ସହ କାର୍ଯ୍ୟକ୍ରମରେ ସେ ଯୋଗଦେବେ ।