ରବର୍ଟ ଭଦ୍ରାଙ୍କ ସହ ମା ମୌରୀନ ଭଦ୍ରାଙ୍କୁ ଇଡିର ଜେରା ! ବିକାନେର ଜମି ଦୁର୍ନୀତି ମାମଲାରେ ପଚରାଉଚରା ।

69

କନକ ବ୍ୟୁରୋ : ଗୋଟିଏ ପଟେ ପତ୍ନୀଙ୍କ ପଲିଟିକାଲ ଡେବ୍ୟୁ । ଅନ୍ୟପଟେ ସ୍ୱାମୀଙ୍କ ଇଡିରେ ହାଜିରା । ସୋମବାର ଭାଇ ରାହୁଲ ଗାନ୍ଧିଙ୍କ ସହ ପ୍ରିୟଙ୍କା ଗାନ୍ଧି ଲକ୍ଷ୍ନୌରେ ରୋଡ ସୋ କରିଥିଲେ । ଆଉ ଇଡିରେ ହାଜର ହେବାକୁ ସଂଧ୍ୟାରେ ଜୟପୁରରେ ପହଂଚିଯାଇଥିଲେ ରବର୍ଟ ଭଡ୍ରା । ମଙ୍ଗଳବାର ଭଡ୍ରାଙ୍କ ସହ ତାଙ୍କ ମାଆଙ୍କୁ ମଧ୍ୟ ଜେରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଲଣ୍ଡଲ ଫ୍ଲାଟ୍ ମାମଲାରେ ଭଡ୍ରାଙ୍କୁ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ଜେରା କରାଯାଇଥିଲା । ଏବେ ବିକାନେର ଜମି ମାମଲାରେ ଭଡ୍ରାଙ୍କ ସହ ତାଙ୍କ ମାଆଙ୍କୁ ମଧ୍ୟ ଜୟପୁରରେ ପଚରା ଉଚରା କରିଛି ଇଡି । ପ୍ରବର୍ତନ ନିର୍ଦ୍ଦେଶାଳୟର ୧୧ ଜଣିଆ ଟିମ୍ ଉଭୟଙ୍କୁ ଗୁଡାଇ ତୁଡାଇ ପ୍ରାୟ ୫୫ଟି ପ୍ରଶ୍ନ ପଚାରିଥିବା ଜଣାପଡିଛି । ହେଲେ ଇଡି ଛାନଭିନକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରବର୍ଟ ଭଡ୍ରା ।

ଦିଲ୍ଲୀ ପରେ ଜୟପୁରରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଜେରା । ରବର୍ଟ ଭଡ୍ରାଙ୍କ ସହ ତାଙ୍କ ମାଆଙ୍କୁ ମଧ୍ୟ ପଚରା ଉଚରା । ମନି ଲଣ୍ଡରିଂ ବା ବେଆଇନ ଅର୍ଥ କାରବାର ମାମଲାରେ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଡ୍ରାଙ୍କୁ ଇଡିର ଜେରା ଜାରି ରହିଛି । ଲଣ୍ଡନ ଫ୍ଲାଟ୍ ମାମଲାରେ ଦିଲ୍ଲୀ କାର୍ଯ୍ୟାଳୟରେ ଲଗାତର ତିନିଦିନ ଧରି ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଆଉ ଏବେ ବିକାନେର ଜମି ମାମଲାରେ ଜୟପୁରରେ କରିଛି ପଚରା ଉଚରା । ବଡକଥା ହେଉଛି ଏହି ମାମଲାରେ ରବର୍ଟ ଭଡ୍ରାଙ୍କ ସହ ତାଙ୍କ ମାଆ ମୌରିନ ଭଡ୍ରାଙ୍କୁ ମଧ୍ୟ ଜେରା କରାଯାଇଛି । କାରଣ ବିକାନେରରେ ଜମି କାରବାର କରିଥିବା ଭଡ୍ରାଙ୍କ କମ୍ପାନି ସ୍କାଏଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶିକା ଅଛନ୍ତି ତାଙ୍କ ମାଆ ମୌରିନ ଭଡ୍ରା ।

ମିଳିଥିବା ସୂଚନା ଅନୁସାରେ ଜୟପୁରର ଏକ ହୋଟେଲରେ ରବର୍ଟ ଭଡ୍ରାଙ୍କ ସହ ତାଙ୍କ ମାଆଙ୍କୁ ପଚରା ଉଚରା କରିଛନ୍ତି ଇଡିର ଏକ ୧୧ ଜଣିଆ ଟିମ୍ । ବିକାନେର ଜମି ମାମଲାରେ ଉଭୟଙ୍କୁ ପ୍ରାୟ ୫୫ଟି ପ୍ରଶ୍ନ ପଚରା ଯାଇଛି । ବିକାନେର ଜମି ମାମଲାର ଛାନଭିନ୍ କରୁଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ ରବର୍ଟ ଭଡ୍ରାଙ୍କ ମାଆଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । ଯେମିତିକି,

ଇଡି ଅଧିକାରୀଙ୍କ ପ୍ରଶ୍ନ :

– ସ୍କାଏଲାଇଟ ହସ୍ପିଟାଲିଟିର କେତେଜଣ ନିର୍ଦ୍ଦେଶକ ଅଛନ୍ତି?

– ଆପଣ କେବେଠାରୁ ଏହି କମ୍ପାନିର ନିର୍ଦ୍ଦେଶିକା ରହିଛନ୍ତି?

– କମ୍ପାନି କିଭଳି କାରବାରରେ ସଂପୃକ୍ତ ରହିଛି?

– କେତୋଟି ବ୍ୟାଙ୍କରେ କମ୍ପାନିର ଆକାଉଂଟ ଅଛି?

– ଆପଣଙ୍କର କେତୋଟି ବ୍ୟାଙ୍କରେ ଆକାଉଂଟ ରହିଛି?

– ସ୍କାଏଲାଇଟ ସହ ଆଉ କେଉଁ କମ୍ପାନି କାରବାର କରନ୍ତି?

– ବିକାନେରରେ ଜମି ବାବଦରେ କାହାଠୁ ଜାଣିବାକୁ ପାଇଲେ?

– କ’ଣ ଆପଣଙ୍କୁ ଜଣାଥିଲା ଯେ, ଏହା ସରକାରୀ ଜମି?

ବିକାନେର ଜମି ଦୁର୍ନୀତିର ଛାନଭିନ୍ ବେଳେ ଇଡି ଜାଣିବାକୁ ପାଇଥିଲା ଯେ, ମହେଶ ନାଗରର ଡ୍ରାଇଭର ଅଶୋକ କୁମାରର ପାୱାର ଅଫ ଆଟର୍ଣ୍ଣି ବଳରେ ଜମି କଣିଥିଲା ରବର୍ଟ ଭଡ୍ରାଙ୍କ କମ୍ପାନି ସ୍କାଏଲାଇଟ୍ ହସ୍ପିଟାଲିଟି । ତେଣୁ ଜଣେ ଡ୍ରାଇଭରକୁ ପାୱାର ଅଫ ଆଟର୍ଣ୍ଣି ଦେଇ କାହିଁକି ଜମି କାରବାର ହେଲା ସେନେଇ ଖୋଳତାଡ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଜଣେ ଡ୍ରାଇଭରକୁ ପାୱାର ଅଫ ଆଟର୍ଣ୍ଣି ଦିଆଯାଇଥିବାବେଳେ ଭାରତ-ପାକିସ୍ତାନ ସୀମାକୁ ଲାଗିରହିଥିବା ବିକାନେର ଅଂଚଳରେ ଏହି ଅତି ସମ୍ବେଦନଶୀଳ ସରକାରୀ ଜମି ଖରିଦ କରିଥିଲା ରବର୍ଟ ଭଡ୍ରାଙ୍କ ସ୍କାଏଲାଇଟ ହସ୍ପିଟାଲିଟି କମ୍ପାନି । ପୁଣି ୨୦୧୨ରେ ଏହି ଜମିକୁ ଫିନଲିଜ ପ୍ରାଇଭେଟ୍ ଲିମିଟେଡକୁ ବିକ୍ରି କରାଗଲା । ତେଣୁ ପୁରା କାରବାର ପଛରେ ହୋଇଥିବା ଦୁର୍ନୀତିର ଚେର ଖୋଜୁଛି ଇଡି । ବିଶେଷ କରି ବେଇଆନ ଅର୍ଥ କାରବାର ଜରିଆରେ କଳା ଟଙ୍କାକୁ ଧଳା କରୁଥିବା ନେଇ ଭଡ୍ରାଙ୍କ ବିରୋଧରେ ଅଭିଯୋଗର ଛାନଭିନ୍ ଚଳାଇଛି ଇଡି ।

ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୟପୁରରେ ଇଡି ଆଗରେ ହାଜର ହୋଇଛନ୍ତି ରବର୍ଟ ଭଡ୍ରା । ଏହା ପୂର୍ବରୁ ଇଡି ତାଙ୍କୁ ତିନିଥର ସମନ୍ କରିଥିଲେ ବି ସେ ହାଜର ହୋଇନଥିଲେ । ତାଙ୍କ ବିରୋଧରେ ଇଡି ଛାନଭିନକୁ ମୋଦି ସରକାରଙ୍କ ରାଜନୈତିକ ଅଭିସନ୍ଧି ବୋଲି ପାଲଟା ଅଭିଯୋଗ କରିଆସୁଥିଲେ । ମଙ୍ଗଳବାର ତାଙ୍କ ମାଆ ଇଡିରେ ହାଜର ହେବା ପୂର୍ବରୁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଟାର୍ଗେଟ କରି ଏକ ଟ୍ୱିଟ୍ କରିଥିଲେ ରବର୍ଟ ଭଡ୍ରା । ଯେଉଁଥିରେ ସେ ଲେଖିଥିଲେ,

ରବର୍ଟ ଭଡ୍ରା, ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ

‘ମୁଁ ମୋ ମା’ଙ୍କ ସହ ଇଡିରେ ହାଜର ହେବି । କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି । ମୋ ମା’ କାର ଦୁର୍ଘଟଣାରେ ନିଜ ଝିଅକୁ ହରାଇଛନ୍ତି । ନିଜ ପୁଅ ଓ ସ୍ୱାମୀଙ୍କୁ ବି ହରାଇସାରିଛନ୍ତି । ୩ ଜଣଙ୍କ ମୃତ୍ୟୁ ପରେ ମୁଁ ତାଙ୍କୁ ମୋ ଅଫିସରେ କିଛି ସମୟ ଅତିବାହିତ କରିବାକୁ କହିଥିଲି । ହେଲେ ତାଙ୍କ ଉପରେ ଏଭଳି ସଙ୍ଗୀନ ଅଭିଯୋଗ ଲଗାଯାଉଛି । ମୋଦି ସରକାର ୪ବର୍ଷ ୮ମାସ ଭିତରେ କିଛି ପରିପାରିଲେ ନାହିଁ । ହେଲେ ଏବେ ଲୋକସଭା ନିର୍ବାଚନ ଆସୁଥିବାରୁ ମୋ ବିରୋଧରେ ଆକ୍ରାମକ ହୋଇପଡିଛନ୍ତି ।’

ଦିଲ୍ଲୀରେ କାର୍ଯ୍ୟଭାର ସମ୍ଭାଳିବା ପରେ ସୋମବାର ପ୍ରଥମଥର ଲାଗି ୟୁପିରେ ରୋଡ ଶୋ କରିଥିଲେ ପ୍ରିୟଙ୍କା ଗାନ୍ଧି । ଆଉ ରାଲି ସାରି ସିଧା ଛୁଟିଯାଇଥିଲେ ଜୟପୁର ସ୍ୱାମୀଙ୍କୁ ସାକ୍ଷାତ କରିବାକୁ । ସବୁ ପ୍ରତିକୂଳ ପରିସ୍ଥିତିରେ ବି ପରିବାର ସହ ରହିଥିବା ବାର୍ତା ଦେବାକୁ ଚାହିଁଛନ୍ତି ପ୍ରିୟଙ୍କା ଗାନ୍ଧି । ଆଉ ରାଜନୈତିକ ଆକ୍ରୋଶରୁ ସ୍ୱାମୀଙ୍କୁ ଟାର୍ଗେଟ କରାଯାଉଥିବା ସେ ମଧ୍ୟ ଅନୁଭବ କରୁଛନ୍ତି ।