ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ, ୫ ଲକ୍ଷରୁ ୭ ଲକ୍ଷ ଟଙ୍କା ବୃଦ୍ଧି କଲେ ସରକାର

38

କନକ ବ୍ୟୁରୋ : ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଲକ୍ଷରୁ ୭ ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ମାଲକାନଗିରିର ଜଣେ ମହିଳା ଏନେଇ ପ୍ରସ୍ତାବ ରଖିଥିଲେ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଦେଇଥିଲେ ପ୍ରସ୍ତାବ । ଆଜି ସଚିବାଳୟରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ମାଲକାନଗିରି କାଲିମେଳା ବ୍ଲକର ମମତା ପଡିଆମୀ ମୁଖ୍ୟମନ୍ତ୍ରୀଙ୍କୁ ମହିଳାମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଚିକିତ୍ସା ସହାୟତା ରାଶି ବୃଦ୍ଧି ପାଇଁ ଅନୁରୋଧ କରିଥିଲେ ।

ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ । ତେଣୁ ମହିଳାଙ୍କ କଥା ସ୍ୱତନ୍ତ୍ର ଭାବେ ବିଚାର କରି ଅଧିକ ଅର୍ଥ ବ୍ୟବସ୍ଥା ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଚିକିତ୍ସା ସହାୟତା ୫ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ଆସନ୍ତା ଅଗଷ୍ଟ ୧୫ରୁ ଏହା କାର୍ଯ୍ୟକାରୀ ହେବ । ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାର ଏବଂ ସାଢେ ୩ କୋଟିରୁ ଅଧିକ ଲୋକ ଏହି ସୁବିଧା ପାଇପାରିବେ ।