ବରଗଡ଼ ଡୁବେନପାଲିରେ ବିଜୁ ସେତୁ ଭୁଶୁଡିବା ଘଟଣା ! ୩ କର୍ମଚାରୀ ନିଲମ୍ବିତ, ୨ଅଟକ

33

କନକ ବ୍ୟୁରୋ: ବରଗଡ଼ ଭେଡେନ ବ୍ଲକ ବୁଡେନପାଲିରେ ଥିବା ଜିରାନଦୀ ପୋଲ ଭୁଶୁଡିବା ଘଟଣାର ତନାଘନା ଆରମ୍ଭ ହୋଇଛି । ଘଟଣାରେ ୨ ଜଣକୁ ଅଟକ ରଖିଛି ପୋଲିସ । ଏସଡିଓ ମନୋରଞ୍ଜନ ମହାପାତ୍ର ଓ ଜେଇ ଅମ୍ଲକାନ୍ତ ତରିଆଙ୍କୁ ବରଗଡ଼ ଥାନାରେ ଅଟକ ରଖାଯାଇଛି । ଗ୍ରାମ୍ୟଉନ୍ନୟନ ବିଭାଗର ଏକ ଟିମ ଆଜି ତଦନ୍ତ ପାଇଁ ପହଂଚୁଛନ୍ତି । ୫ ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯିବା ପରେ ଜଣକର ଗୋଡ ଭାଙ୍ଗିଯାଇଥିବାରୁ ତାଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଭୁବନେଶ୍ୱର ବମିଖାଲଠାରେ ନିର୍ମାଣାଧୀନ ରେଳ ଓଭରବ୍ରିଜ୍ ଭୁଷୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ନ ଥମୁଣୁ, ଗତକାଲି ବରଗଡ଼ ଜିଲ୍ଲାର ଭେଡେନ୍ ବ୍ଲକ ଜାମଡୋଲ୍ ଧୁବେନପାଲିଠାରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡି ପଡ଼ିଛି । ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଜୀରା ନଦୀ ଉପରେ ନିର୍ମାଣ ଚାଲିଥିବା ଏହି ସେତୁର ବିଶାଳକାୟ ସ୍ଲାବ୍ ମଝିରୁ ଭାଙ୍ଗି ପଡ଼ିବାରୁ ସେଠାରେ କାମ କରୁଥିବା ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି ।

ଜିରାନଦୀ ଉପରେ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ଏହି ପୋଲ ନିର୍ମାଣ କାମ ଚାଲିଥିଲା । ରବିବାର ଛାତ ପକାଇବା ପାଇଁ ଆବଶ୍ୟକ କାର୍ଯ୍ୟ ଚାଲିଥିବା ବେଳେ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ହଠାତ୍ ମଧ୍ୟ ଭାଗରୁ ଦୁଇ ଫାଳ ହୋଇ ନଦୀ ଭିତରକୁ ଭୁଶୁଡି ପଡ଼ିଥିଲା । ଫଳରେ ସେଠାରେ କାର୍ଯ୍ୟରତ ୮ ଜଣ ଶ୍ରମିକ ଆହତ ହୋଇଥିଲେ । ଏଥି ସହ ପୋଲ ତଳେ ଥିବା କେତେକ ବାଇକ୍ ମଧ୍ୟ ଚାପି ହୋଇ ଚୂର୍ ମାର୍ ହୋଇଯାଇଛି । ସ୍ଥାନୀୟ ଲୋକେ ସଂଗେ ସଂଗେ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଭେଡ଼େନ ସିଏଚସିକୁ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ରଜତ ନାଏକ ଓ ସୁରେନ୍ଦ୍ର ନାଏକଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଡାକ୍ତରଖାନାରେ ପହଞ୍ଚିଥିଲେ । ଆହତଙ୍କ ସଂପର୍କରେ ସିଡିଏମଓ ଡା. ପ୍ରକାଶ ପ୍ରଧାନଙ୍କୁ ପଚାରିବାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ବାରମ୍ବାର ନିର୍ମାଣାଧିନ ପୋଲ ଭୁଶୁଡିବା ପଛରେ ପିସି କାରବାର ଚାଲିଥିବା ଅଭିଯୋଗ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଦଳ । ବରଗଡର ଏହି ପୋଲ କାମ ପାଇଁ କେତେ ଟଙ୍କାର ପିସି କାରବାର ହୋଇଛି ବୋଲି ପ୍ରଶ୍ନ କରିଛି ବିଜେପି । ମୋଟା ଅଙ୍କରେ ପିସି କାରବାର ଚାଲିଥିବାରୁ ବାରମ୍ବାର ଏପରି ସରିଜ୍ ଦୁର୍ଘଟଣା ଘଟୁଛି ବୋଲି ବିଜେପି ଅଭିଯୋଗ କରିଛି ।

ସେପଟେ ପୂର୍ବ ବିଧାୟକ ସାଧୁ ଚରଣ ନେପାକ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିବା ସହ ଏହାର ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବ୍ୟାପକ ପିସି କାରବାର ଓ ନିମ୍ନମାନର କାମ ଯୋଗୁଁ ରାଜ୍ୟରେ ପୋଲ ଭୁଶୁଡିବା ବର୍ତ୍ତମାନ ନିତିଦିନିଆ ଘଟଣା ପାଲଟିଥିବା ଶ୍ରୀ ନେପାକ ମତ ଦେଇଛନ୍ତି ।

ଟେଣ୍ଡର ପରେ କାର୍ଯ୍ୟାଦେଶ ଦେବା ସମୟରେ ବର୍ଷା ଦିନେ ପୋଲ ନିର୍ମାଣ କାମ ବନ୍ଦ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲେ ହେଁ ସଂପୃକ୍ତ ଠିକାଦାରଙ୍କ ମନମୁଖୀ ଯୋଗୁଁ ଗତକାଲି ଏଭଳି ଘଟଣା ଘଟିଲା । ଅପରାହ୍ଣ ବଦଳରେ ଯଦି ମଧ୍ୟାହ୍ନ ସମୟରେ ଏହା ଘଟିଥାନ୍ତା ତେବେ ଅଧିକ ଲୋକ ଦୁର୍ଘଟଣାର ଶିକାର ହୋଇଥାନ୍ତେ ବୋଲି ଅଂଚଳବାସୀ କହିଛନ୍ତି ।