କୋଳାକୋଳି ପରେ କଳି ! ବିଜୁ ସମତା କ୍ରାନ୍ତି ଦଳକୁ ନେଇ ଦାମ ଓ ବ୍ରଜଙ୍କ ଭିତରେ ଫାଟ

ବିଜେଡିରୁ ବହିଷ୍କାର ପରେ ବ୍ରଜଙ୍କ ସହ ମିଶି ଗଢିଥିଲେ ବିଜୁ ସମତା କ୍ରାନ୍ତି ଦଳ

434

କନକ ବ୍ୟୁରୋ : ସମତା କ୍ରାନ୍ତି ଦଳରେ ଦାମୋଦର ରାଉତ ସାମିଲ ହେବା ପରେ ବିଜୁ ସମତା କ୍ରାନ୍ତି ଦଳ କଥା ଉଠିଲା । ହେଲେ ଏବେ ଦାମୋଦର ରାଉତ କହିଛନ୍ତି ସେ ଏକ ନୂଆଦଳ ଗଠନ କରିବାକୁ ଯାଉଛନ୍ତି । ସମତା କ୍ରାନ୍ତି ଦଳ ମୁଖ୍ୟ ବ୍ରଜ କିଶୋର ତ୍ରିପାଠୀ ଏବଂ ଦାମୋଦର ରାଉତଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା କାରଣରୁ ଦାମ ଏପରି ନିଷ୍ପତି ନେଇଥିବା କୁହାଯାଇଛି । ସମତା କ୍ରାନ୍ତି ଦଳରେ ଦାମ ମିଶିବାକୁ ଲୋକେ ପସନ୍ଦ କରୁନଥିବାରୁ ସେ ଏପରି ନିଷ୍ପତି ନେଇଥିବା କହିଛନ୍ତି ଦାମୋଦର ରାଉତ ।

ପ୍ରାୟ ମାସେ ତଳେ ସମତା କ୍ରାନ୍ତି ଦଳରେ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଂଜ ଦେବାକୁ ତୟାର ହୋଇଥିବା ଦାମ ଏବେ ରଣନୀତି ବଦଳାଉଛନ୍ତି । ଦାମ କହିଛନ୍ତି ସମତା କ୍ରାନ୍ତି ଦଳରେ ସେ ସାମିଲ ହେବାକୁ ଲୋକେ ପସନ୍ଦ କରୁନାହାନ୍ତି । ତେଣୁ ସେ ନୂଆ ଦଳ ତିଆରି କରିବେ । ଅନ୍ୟପକ୍ଷରେ ବ୍ରଜ କିଶୋର କହିଛନ୍ତି ଦାମ ସମତାକ୍ରାନ୍ତି ଦଳରେ ସାମିଲ ହୋଇଥିଲେ । ନାଁ ପରିବର୍ତ୍ତନ କରି ବିଜୁ ସମତା କ୍ରାନ୍ତି ଦଳ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏନେଇ ଦଳ ତର୍ଜମା କରୁଥିବା ବେଳେ ଦାମ ନୂଆଦଳ କଥା କହୁଛନ୍ତି ।

ଦାମ କହିଛନ୍ତି ଯେ ସେ ସମତା କ୍ରାନ୍ତି ଦଳର ସଦସ୍ୟ ହୋଇନାହାନ୍ତି । ଲୋକେ ତାଙ୍କ ସାମିଲ ହେବାକୁ ପସନ୍ଦ କରୁନଥିବାରୁ ସେ ନୂଆ ଦଳ ତିଆରି କରିବେ । ଏହାର ଚିହ୍ନ କଣ ରହିବ ଏବଂ ଦଳର ନାଁ କଣ ରହିବ ସେନେଇ ସେ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିବେ । ସେପଟେ ବ୍ରଜ କହିଛନ୍ତି ଦଳକୁ କିଏ ଆସିବେ କିଏ ଯିବେ ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତି । ସମତା କ୍ରାନ୍ତି ଦଳ ପୂର୍ବପରି କାମ କରିବ । ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେଇ ୨୦୧୯ ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ ବୋଲି ବ୍ରଜ କହିଛନ୍ତି ।

ବିଜେଡିକୁ ବହିଷ୍କୃତ ହେବା ପରେ ଦାମୋଦର ରାଉତ କୁଆଡେ ଯିବେ ତା ଉପରେ ରହିଥିଲା ସମସ୍ତଙ୍କ ନଜର । ଆଉ ଦାମ ସାମିଲ ହୋଇଥିଲେ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳରେ । ଏପରିକି ସାମ୍ବାଦିକ ସମ୍ମିଳନୀ କରି ଏହାର ନାଁ ବିଜୁ ସମତା କ୍ରାନ୍ତି ଦଳ ବୋଲି ଘୋଷଣା କରି ନିଜେ ପ୍ରଚାରକ ସାଜିଥିଲେ । ଏବେ କିନ୍ତୁ ଦାମ ନୂଆ ଦଳ ଗଢିବେ ବୋଲି କହିବା ପରେ ବ୍ରଜଙ୍କ ସହ ବିବାଦ ସାମନାକୁ ଆସିଛି ।

Comments are closed.