ସଚିବାଳୟରେ ବସି ଗାଁ ଲୋକଙ୍କ ସହ ସିଧା କଥାହେବେ ନବୀନ ! ପଂଚାୟତିରାଜ ଦିବସରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

228

କନକ ବ୍ୟୁରୋ: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିବସ । ଏଥିପାଇଁ ସାରା ରାଜ୍ୟରେ ପାଳନ କରାଯିବ ପଂଚାୟତିରାଜ ଦିବସ । ଏହି ଅବସରରେ ରାଜ୍ୟ ସରକାର ଆରମ୍ଭ କରିବେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଗ୍ରାମାଂଚଳର ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରତିବର୍ଷ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସ ପାଳନ କରାଯାଉଥିବାବେଳେ ଚଳିତବର୍ଷ ଏହାକୁ ଜିଲ୍ଲା ଓ ବ୍ଲକ ସ୍ତରରେ ପାଳନ କରାଯିବ ବୋଲି ଜଣାପଡିଛି । ରାଜ୍ୟ ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପସ୍ଥିତ ଥିବା ପଂଚାୟତ ପ୍ରତିନିଧି ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିବେ । ୪ଟି ଜିଲ୍ଲାର ୪ଟି ବ୍ଲକରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି । ପଂଚାୟତିରାଜ ଦିବସ ଅବସରରେ ସଂଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ନବନିର୍ମିତ ଗୀତଗୋବିନ୍ଦ ସଦନ, ଫଟୋଚିତ୍ର ପ୍ରଦର୍ଶନୀ ଓ ବିଜୁ ସ୍ମାରକୀ ଡାକ ଟିକଟକୁ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ ଜୟନ୍ତୀରେ ଟ୍ୱିଟ କରି ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟରେ ସେ ଲେଖିଛନ୍ତି, ବିଜୁ ପଟ୍ଟନାୟକ ଜଣେ ଦୂରଦୃଷ୍ଟିସମ୍ପର୍ଣ୍ଣ ବ୍ୟକ୍ତି ଥିଲେ । ସେ ଅକ୍ଲାନ୍ତଭାବେ ଭାବେ ଦେଶ ଓ ଓଡିଶା ଲୋକଙ୍କ ସେବା କରିଥିଲେ । ଗରିବୀ ଦୂରୀକରଣରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।

ବିଶିଷ୍ଟ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ତଥା ଆଧୁନିକ ଓଡିଶାର ନିର୍ମାତା ବିଜୁ ପଟ୍ଟନାୟକଙ୍କ ଜୟନ୍ତ ଅବସରରେ ପ୍ରବାଦ ପୁରୁଷଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀତ ଉନ୍ନତି,ଓଡିଆ ସ୍ୱାଭିମାନର ସୁରକ୍ଷା, ଶିଳ୍ପ ସମୃଦ୍ଧ କରିବାରେ ବିଜୁ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ ଲୋକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ ହୋଇ ରହିବ ।