ଭୁବନେଶ୍ୱର ବିମାନ ବନ୍ଦରରେ ୬ ମିନିଟର ଶୋଷଣ ! ଫ୍ରି ପାର୍କିଂ ନେଇ ବିବାଦ, କନକ ନ୍ୟୁଜର ଅନୁସନ୍ଧାନ ମୂଳକ ରିପୋର୍ଟ

153

କନକ ବ୍ୟୁରୋ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶୋଷଣର କାହାଣୀ । ଗତ କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଏୟାରପୋର୍ଟ ପାର୍କିଂରେ କିଭଳି ଲୋକଙ୍କୁ ହଇରାଣ ହରକତ କରାଯାଉଛି, ସେ ନେଇ ବିଭିନ୍ନ ଲୋକ ପୋଷ୍ଟ କରୁଛନ୍ତି । ବିମାନ ବନ୍ଦରରେ ପ୍ରବେଶର ୬ ମିନିଟ୍ ପର୍ଯ୍ୟନ୍ତ ଫ୍ରି ପାର୍କିଂର ବ୍ୟବସ୍ଥା ରହିଛି । ଏହାପରେ ଅଧିକ ସମୟ ରହିଲେ ୫୫ଟଙ୍କା ଦେବାକୁ ପଡୁଛି । ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଆମେ ନିଜେ ଏହାର ଅନୁସନ୍ଧାନ ପାଇଁ ବାହାରିଥିଲୁ । ଏବଂ ଜାଣିବା ପାଇଁ ଚେଷ୍ଟା କରିଥିଲୁ, ଏୟାର ପୋର୍ଟର ପାର୍କିଂ ସ୍ଥାନରେ ଘଟୁଛି କ’ଣ?

Biju Patnaik airport Bhubaneswar odisha International Airportଏଣ୍ଟ୍ରିଗେଟରେ ପ୍ରବେଶ କଲା ବେଳେ ମିଳିଥାଏ ଗୋଟିଏ ଟିକଟ । ଏଥିରେ ଭିତରେ କେବଳ ୬ ମିନିଟ୍ ପାର୍କିଂ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ ବୋଲି ଲେଖାଯାଇଥାଏ । ବିମାନ ବନ୍ଦରରେ ପହଂଚିଲା ପାଇଁ ବି ୨ରୁ ୩ ମିନିଟ୍ ଲାଗିଯାଉଛି । ସେଠାରୁ ଜଣେ ଗେଷ୍ଟଙ୍କୁ ଲଗେଜ୍ ସହ ଆଣିବା ବେଳକୁ ୨/୩ ମିନିଟ୍ ଲାଗିଯାଇପାରେ । ତା ପରେ ଗେଟ୍ ପାଖକୁ ଫେରିଲା ବେଳକୁ ଆଗରେ ଅନେକ କାର ବି ରହିିପାରେ । ଫେରିଲା ବେଳକୁ ୬ ମିନିଟ୍ ଟପିଗଲେ ଏକଜିଟ୍ ଗେଟରେ ୫୫ ଟଙ୍କା ଆଦାୟ କରାଯାଇଥାଏ ।
ପ୍ରଶ୍ନ ଉଠୁଛି ପୁନେ, ମୁମ୍ବାଇ ଭଳି ବିମାନବନ୍ଦରରେ ମାଗଣାରେ ପାର୍କିଂ ପାଇଁ ଏତେ କମ୍ ସମୟ ରଖାଯାଇନଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମାତ୍ର ୬ ମିନିଟ୍ ପାଇଁ ଫ୍ରି ପାର୍କିଂ ବ୍ୟବସ୍ଥା ରଖାଯାଇଛି କାହିଁକି? ଟିକଟରେ ଆସୁଥିିବା ଟାଇମିଂକୁ ଭଲ ଭାବରେ ଇଲୋକ୍ଟ୍ରୋନିକାଲି ଡିସପ୍ଲେ ନକରି ସାଧାରଣ ଘଂଟା ଉପରେ ଛାଡ଼ି ଦିଆଯାଇଛି କାହିଁକି?

ପାର୍କି ଫି ଆଦାୟର ତରିକା ପ୍ରତିବାଦରେ ଆମେ ଫେସବୁକ୍-ଟ୍ୱିଟର-ୟୁଟ୍ୟୁବ୍ ଭଳି ଅନଲାଇନ୍ ମିଡିୟମରେ କାମ୍ପେନ୍ ଚାଲିଥିବାର ମଧ୍ୟ ଦେଖିବାକୁ ମିଳିଛି । ନୀଳାଦ୍ରି ନିହାର ନନ୍ଦ ନାମକ ଜଣେ ଆଇଟି ବିଶେଷଜ୍ଞ ଏଭଳି ଘରୋଇ କଂଟ୍ରାକ୍ଟର ସଂସ୍ଥାଙ୍କ ଦାଦାଗିରି ସଂପର୍କରେ ପ୍ରଥମେ ଭିଡିଓ ଛାଡ଼ିଥିଲେ । ମୁଖ୍ୟମନ୍ତ୍ରୀ, ବିମାନବନ୍ଦର କର୍ତୃପକ୍ଷଙ୍କ ସମେତ କମିଶନରେଟ୍ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ପୋଷ୍ଟକୁ ସମର୍ଥନ କରି ଓଡ଼ିଶାର ହଜାର ହଜାର ବିମାନ ଯାତ୍ରୀଙ୍କ ପ୍ରତିକ୍ରିୟା ଆସିଥିଲା । ଓଡ଼ିଶା ବୋଲି ଏଭଳି ହେଉଥିବା ସେମାନେ ଦର୍ଶାଇଥିଲେ ।

ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, କେବଳ ଭୁବନେଶ୍ୱର ଏୟାରପୋର୍ଟରେ ଏଭଳି ଘଟେ । ବ୍ୟସ୍ତବହୁଳ ମୁମ୍ବାଇ, ପୁନେ ଏୟାରପୋର୍ଟରେ ଏଭଳି ହୁଏନି । ସେହିଭଳି ଅନ୍ୟଜଣେ ଯାତ୍ରୀ ଅମିତ କୁମାର କହିଛନ୍ତି, କେବଳ ଓଡ଼ିଶା ନୁହେଁ ରାଂଚି ବିମାନ ବନ୍ଦରରେ ଏଭଳି ଜାଣିଶୁଣି ଅପେକ୍ଷା କରାଇ ପଇସା ନିଆଯାଏ । ଦିଲ୍ଲୀ ବିମାନ ବନ୍ଦରରେ ଏହାଠାରୁ ଅଧିକ ୫୦ଗୁଣ ଟ୍ରାଫିକ୍ ଥିଲେ ବି ଅସୁବିଧା ହୁଏ ନାହିଁ ।

କିନ୍ତୁ ଏସବୁ ସତ୍ତେ୍ୱ ମଧ୍ୟ କର୍ତ୍ତୃପକ୍ଷ ଏଭଳି ବ୍ୟବସ୍ଥାକୁ ସୁଧାରିବାକୁ ଆଗଭର ହେଉନାହାନ୍ତି । ଏଡି ଘଟଣା ଉପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡିଥିଲେ ମଧ୍ୟ ସେଭଳି କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ । ଅନେକ ସମୟରେ ଏହି ଘଟଣାକୁ ନେଇ ଯାତ୍ରୀ ମାନେ ସ୍ୱର ଉଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବରଂ ଭଡାଟିଆ ଗୁଣ୍ଡାଙ୍କ ଧମକ ମିଳିଛି । ତେଣୁ ଏସବୁ ଭିତରେ କେବେ ଏହି ନିୟମରେ ପରିବର୍ତ୍ତନ ଆସୁଛି ତାହା ଦେଖିବା ବାକି ରହିଲା ।