ସ୍ୱାସ୍ଥ୍ୟ ସେବାରେ ସ୍ୱାଧୀନତା ! ସାଢେ ୩ କୋଟି ଲୋକଙ୍କ ପାଇଁ ନବୀନଙ୍କ ସ୍ୱାସ୍ଥ୍ୟ କାର୍ଡ

45

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ପୂରା ଦେଶ ପାଳନ କରିବ ୭୨ ତମ ସ୍ୱାଧୀନତା ଦିବସ । ତେବେ ଚଳିତ ସ୍ୱାଧୀନତା ଦିବସ ଓଡିଶାବାସୀଙ୍କ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । କାରଣ ଏହି ଅଗଷ୍ଟ ୧୫ରୁ ହିଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଆଉ ଏହାସହ ଓଡିଶା ଭଳି ରାଜ୍ୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅର୍ଥନୀତିକ ପରାଧୀନତାର ଜୀବନ ବଞ୍ଚୁଥିବା ଲୋକମାନଙ୍କୁ ମିଳିବ ମୁକ୍ତି । ସିଧାସଳଖ ଉପକୃତ ହେବେ ୭୦ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ । ୧୯୪୭ ଅଗଷ୍ଟ ୧୫ରେ ଯେପରି ଦେଶ ଇଂରେଜ ମାନଙ୍କ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ହାସଲ କରିଥିଲା ଠିକ୍ ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିବା ସହ ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ ଅର୍ଥନୀତିକ ପରାଧୀନତାରୁ ମୁକ୍ତି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ଓଡିଶା ଭଳି ରାଜ୍ୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି ଗରିବ ଲୋକ । ଏପରିକି ଅଧିକାଂଶ ଲୋକଙ୍କୁ ଅର୍ଥାଭାବରୁ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବାକୁ ପଡିଥାଏ । ଆଉ ଏସବୁକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ମହତ୍ୱାକାଂକ୍ଷୀ ଯୋଜନାର ଘୋଷଣା କରିଥିଲେ ନବୀନ ।

ଗୋଟିଏ ପଟେ ଦେଶର ପ୍ରାୟ ୧୦ କୋଟି ପରିବାର ବା ୫୦ କୋଟି ଲୋକଙ୍କୁ ଦୃଷ୍ଟିରେ ରଖି ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯେଗାଇଦେବାକୁ ମୋଦି ସରକାର ବଡ ଘୋଷଣା କରିଥିଲେ । କିନ୍ତୁ ଏହାକୁ କେବେ ଲାଗୁ କରାଯିବ ସେନେଇ କୌଣସି ନିଷ୍ପତି ନିଆଯାଇ ନଥିଲା । କିନ୍ତୁ ଏସବୁ ଭିତରେ ଆୟୁଷ୍ମାନ ଭାରତକୁ ପ୍ରତ୍ୟାଖାନ କରି ନିଜସ୍ୱ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିବା ପାଇଁ ଘୋଷଣା କଲେ ନବୀନ । ଅଭିଯୋଗ ଥିଲା ମୋଦି କେୟାରରେ ଓଡିଶାର ପ୍ରାୟ ୬୧ ଲକ୍ଷ ପରିବାର ଲାଭ ପାଇଥାନ୍ତେ, ଆଉ ଉପେକ୍ଷିତ ହୋଇଥାନ୍ତେ ପ୍ରାୟ ୯ଲକ୍ଷ ପରିବାର । ତେଣୁ ଏହି ବଳକା ୯ଲକ୍ଷ ପରିବାରକୁ ଛାଡି ଓଡିଶା ସରକାର ସାମଗ୍ରିକ ବିକାଶର କଥା ଚିନ୍ତା କରିପାରିବେନି । ଯେଉଁଥିପାଇଁ ଘୋଷଣା ହେଲା ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ଯୋଜନା । ଯାହା ଆଗାମୀ ଅଗଷ୍ଟ ୧୫ରୁ ଲାଗୁ କରିବାକୁ ଯାଉଛନ୍ତି ନବୀନ ।

ଆଉ ନବୀନଙ୍କ ଏହି ଯୋଜନାରେ ଗରିବ ଲୋକଟିଏ ମାଗଣାରେ ଉତ୍ତମ ଚିକିତ୍ସା ସେବା ପାଇବା ସହ ସ୍ୱାସ୍ଥ୍ୟ ସୁରକ୍ଷାର ମଧ୍ୟ ଲାଭ ଉଠାଇପାରିବ । ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ ଲୋକେ । ଯୋଜନାରେ ସାମିଲ ଥିବା ପୁରୁଷ ଲୋକଙ୍କୁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେବେ ସରକାର । ସିଧାସଳଖ ଭାବେ କହିବାକୁ ଗଲେ, ନବୀନଙ୍କ ଏହି ଯୋଜନା ଦ୍ୱାରା ଗରିବ ଲୋକ ଟିଏ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ସହ ଆର୍ଥିକ ସଙ୍କଟରୁ ମଧ୍ୟ ମୁକୁଳିପାରିବ ।