ମୋଦିଙ୍କ ରାସ୍ତାରେ ନବୀନ : ଆରମ୍ଭହେବ ମୁଖ୍ୟମନ୍ତ୍ରୀଙ୍କ ‘ବିଜୁ ଗାଁ ରେଡିଓ’ କାର୍ଯ୍ୟକ୍ରମ

62

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୋଦିଙ୍କ ରାସ୍ତାରେ ନବୀନ । ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ପରି ଆରମ୍ଭହେବ ମୁଖ୍ୟମନ୍ତ୍ରୀଙ୍କ ‘ବିଜୁ ଗାଁ ରେଡିଓ’ କାର୍ଯ୍ୟକ୍ରମ । ରାଜ୍ୟ ସରକାର ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଏହି ରେଡିଓ ପ୍ରସାରଣ । ଏହା ମାଧ୍ୟମରେ କୃଷକ ମାନଂକୁ ଜରୁରୀ ତଥ୍ୟ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଂଚଳର ଲୋକଙ୍କୁ ମୁଖ୍ୟତଃ କୃଷି, ସମବାୟ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଓ ସଂସ୍କୃତି ସମ୍ପର୍କରେ ଆବଶ୍ୟକ ସୂଚନା ଓ ତଥ୍ୟ ପ୍ରଦାନ କରାଯିବ ।

ସଚିବାଳୟରେ ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ କମ୍ୟୁନିଟି ରେଡିଓ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରତିଦିନ ୬ଟାରୁ ୭ଟା ପର୍ଯ୍ୟନ୍ତ ପ୍ରସାରିତ ହେବ । ଏବଂ ୮ଟାରୁ ୯ଟା ପର୍ଯ୍ୟନ୍ତ ପୁନଃ ପ୍ରସାରଣ ହେବା ପାଇଁ ପ୍ରସ୍ତାବ ରହିଛି । ସବୁଠାରୁ ବଡ କଥା ହେଉଛି ମାସକୁ ଥରେ ଦଶ ମିନିଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପ୍ରସାରଣ କରାଯିବ । ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସୂଚନା ଦିଆଯିବ ବୋଲି ଜଣାପଡିଛି ।