ନୂଆ ବର୍ଷରେ କଡ଼ ଲେଉଟାଇବ ରାଜ୍ୟ ରାଜନୀତି, କ’ଣ ହେବ କ୍ୟାମ୍ପ ଖୋଜୁଥିବା ଦୁଇ ନେତାଙ୍କ ନିଷ୍ପତି ?

ନୂଆ ବର୍ଷରେ ନୂଆ ନିଷ୍ପତି ନେବେ ଦୁଇ ବଡ଼ ନେତା । ବଦଳିବ କି ରାଜ୍ୟ ରାଜନୀତିର ପାଣିପାଗ? 

325

କନକ ବ୍ୟୁରୋ: ନିକଟରେ ବିଜେପିକୁ ବାଏ ବାଏ କହିଥିବା ବିଜୟ-ଦିଲୀପଙ୍କୁ ନେଇ ଆରମ୍ଭ ହୋଇଛି ଆଉ ଏକ ଚର୍ଚ୍ଚା । କାରଣ ଆସନ୍ତା ନୂଆ ବର୍ଷରେ ଉଭୟ ବିଜୟ ଓ ଦିଲୀପ ନେବେ ବଡ଼ ନିଷ୍ପତି ବୋଲି କହିଛନ୍ତି ଖୋଦ୍ ବରିଷ୍ଠ ନେତା ବିଜୟ ମହାପାତ୍ର । ଆଉ ବିଜୟଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଉଷ୍ମ କରିବା ପାଇଁ ଖୋରାକ ଯୋଗାଇଛି । ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଠାରେ ଥିବା ଗୋଜବାୟାଣି ପିଠରେ ବିଜୟଙ୍କ ପାଇଁ ତାଙ୍କ ସମର୍ଥକ ଆୟୋଜନ କରିଥିଲେ ଏକ ସମ୍ବର୍ଦ୍ଧନା ସଭା । ଏହି ସଭାରେ ବିଜୟ ଯୋଗଦେବା ସହ କହିଛନ୍ତି ଯେ, ଆଗାମୀ ୨୦୧୯ ନିର୍ବାଚନ ନିର୍ଣ୍ଣାୟକ ହେବ କାରଣ ସେ ଏବଂ ଦିଲୀପ ମିଶି ଏକ ବଡ଼ ନିଷ୍ପତି ନେବେ  । ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି କହିଛନ୍ତି ଉକପୂଳ ଗଡ଼ର ଏହି ହେଭିୱେଟ ନେତା ବିଜୟ ମହାପାତ୍ର । 

ଅନ୍ୟପଟେ ବିଜୟଙ୍କ ଏଭଳି ମନ୍ତବ୍ୟ ଅନେକ ସଂକେତ ଦେଉଛି ବୋଲି ରାଜନୀତି ଅନ୍ଦର ମହଲରେ ଚର୍ଚ୍ଚା ଆରମ୍ଭ କରିଦେଇଛି । ନିକଟରେ ବିଜେପି ବିଧାୟକ ପଦ ଏବଂ ବିଜେପିକୁ ବାଏ ବାଏ କହି ନୂଆ ରାଜନୀତି ମାହୋଲ ତିଆରି କରିଛନ୍ତି ଏହି ଦୁଇ ବରିଷ୍ଠ ନେତା । ଅନ୍ୟପଟେ ବିଜୟ ଯେଉଁ ବଡ଼ ପରିବର୍ତ୍ତନ କଥା କହୁଛନ୍ତି ତାହା କ’ଣ ଘର ବାହୁଡ଼ିବାର ସଂକେତ ଦେଉଛି କି? ନା ସ୍ୱାଭିମାନ ସହିତ କେବେ ସାଲିସ୍ କରିନଥିବା ଏହି ନେତା ଅନ୍ୟ କିଛି ବିକଳ୍ପ ଚିନ୍ତା କରିଛନ୍ତି ତାହାକୁ ଅନେକ ଦ୍ୱନ୍ଦ ସୃଷ୍ଟି ହୋଇଛି । 

BIJAYA DILLIPସେହିଭଳି ବିଜୟଙ୍କ ପାଇଁ ସମ୍ବର୍ଦ୍ଧନା ସମାବେଶ ବିଜେପି ପାଇଁ ସତର୍କ ଘଣ୍ଟି ବୋଲି ରାଜନୀତି ବିଶେଜ୍ଞମାନେ ମତ ପ୍ରକାଶ କରୁଛନ୍ତି । କାରଣ ବିଜେପିର ଏହି ଦୁଇ ପୂର୍ବତନ ହେଭିୱେଟ୍ ନେତାଙ୍କ ଗତି ଅଗାମୀ ୨୦୧୯ ନିର୍ବାଚନ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜୟଙ୍କ ପାଇଁ ଆଜିର ସମ୍ବର୍ଦ୍ଧନା ସଭାରେ ଅବିଭକ୍ତ ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ସମର୍ଥକମାନଙ୍କ ସମାବେଶ ବିଜୟଙ୍କ ଲୋକପ୍ରିୟତାକୁ ଉଭୟ ଶାସକ ଓ ବିରୋଧୀ ଶିବିରକୁ ଚେତାଇଦେଇଛି । ଏବେ ଏହି ଦୁଇ ହେଭିୱେଟ ନେତା ନୂଆ ବର୍ଷରେ କ’ଣ ନିଷ୍ପତି ନେବେ ଏବଂ ବଦଳୁଥିବା ରାଜନୀତିରେ କେଉଁ ରଙ୍ଗ ଲାଗିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।